ମାଟିର ପ୍ରିଜମରେ ଲେଖାଯାଇଥିବା ସନ୍ହେରୀବଙ୍କ ବାର୍ଷିକ ବିବରଣୀ ଗର୍ବ କରେ ଯେ ସେ ହିଜକୀୟଙ୍କୁ ଯିରୂଶାଲମରେ “ପିଞ୍ଜରାରେ ଥିବା ପକ୍ଷୀ ପରି” ଆବଦ୍ଧ କଲେ ଏବଂ କର ନେଲେ — କିନ୍ତୁ ନଗରର ପତନ ହେଲା ବୋଲି ଦାବି କରେ ନାହିଁ। ନୀନିବୀରେ ତାଙ୍କ ରାଜପ୍ରାସାଦର କାନ୍ଥରେ ଲାଖୀଶର ଅବରୋଧ ଦେଖାଯାଇଥିଲା।
ବାଇବେଲରେ · ଖ୍ରୀଷ୍ଟପୂର୍ବ 701 · ଯିରୂଶାଲମ
ଯିରୂଶାଲମ ରକ୍ଷା ପାଏ
ଅଶୂରୀୟ ରାଜା ସନ୍ହେରୀବ ଯିରୂଶାଲମକୁ ଧମକ ଦେବାରୁ ରାଜା ହିଜକୀୟ ମନ୍ଦିରରେ ପ୍ରାର୍ଥନା କରନ୍ତି। ସନ୍ହେରୀବଙ୍କ ନିଜ ରାଜକୀୟ ଇତିହାସ ଏହି ଅଭିଯାନର ବର୍ଣ୍ଣନା କରେ।
ତହିଁରେ ହିଜକୀୟ ଦୂତମାନଙ୍କଠାରୁ ପତ୍ର ଗ୍ରହଣ କରି ତାହା ପାଠ କଲେ। ଆଉ ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଖୋଲିଲେ। ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେର ଓ ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଅ ଓ ଦେଖ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ। ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି, ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନ ଥିଲେ, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ। ଏଣୁ ଏବେ, ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।” ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ। ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି: ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି, ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି। ତୁମ୍ଭେ କାହାକୁ ତିରସ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ! ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା। ଆମ୍ଭେ ଖୋଳି ଅଜ୍ଞାତ ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ସବୁ ନଦୀ ଶୁଷ୍କ କରିବା। ଏହା କʼଣ ତୁମ୍ଭେ ଶୁଣି ନାହଁ, କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ, ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ? ଏହା ଏବେ ଆମ୍ଭେ ସଫଳ କରିଅଛୁ। ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି, ସେସବୁକୁ ଢିପି କରିବ। ଏହେତୁ ତନ୍ନିବାସୀଗଣ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଲଜ୍ଜିତ ହେଲେ; ସେମାନେ କ୍ଷେତ୍ରର ଶାକ ଓ ନବୀନ ତୃଣ, ଗୃହ-ଛାତ ଉପରିସ୍ଥ ଘାସ, ଓ ଅପକ୍ୱ ଅବସ୍ଥାରେ ଶୁଷ୍କ ଶସ୍ୟ ତୁଲ୍ୟ ହେଲେ। ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ। ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ, ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏହେତୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ, ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା। ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ, ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଜନ କର। ପୁଣି ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକ, ଓ ସିୟୋନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନେ ବାହାରିବେ। ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସିଦ୍ଧ କରିବ। ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି: ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ। କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ। ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ, ଓ ସେ ଏହି ନଗରକୁ ଆସିବ ନାହିଁ। କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।” ଏଥିଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ହଜାର ଲୋକ ସଂହାର କଲେ; ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସେସମସ୍ତେ ମୃତ ଶବ ହୋଇଅଛନ୍ତି। ତହିଁରେ ଅଶୂରର ରାଜା ସନ୍ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା। ଏଥିଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ତାହାର ଦୁଇ ପୁତ୍ର ଅଦ୍ରମ୍ମେଲକ୍ ଓ ଶରେତ୍ସର ତାହାକୁ ଖଡ୍ଗରେ ବଧ କଲେ; ତହୁଁ ସେମାନେ ଆରାରାଟ୍ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସର୍ହଦ୍ଦୋନ୍ ତାହାର ପଦରେ ରାଜ୍ୟ କଲା।ସେହି ସମୟରେ ଜଗତରେ
ଖ୍ରୀଷ୍ଟପୂର୍ବ 701ରେ ଅଶୂରୀୟ ରାଜା ସନ୍ହେରୀବ ଯିହୁଦା ଆକ୍ରମଣ କଲେ, ଏବଂ ରାଜା ହିଜକୀୟଙ୍କ ଅଧୀନରେ ଯିରୂଶାଲମ ରକ୍ଷା ପାଇଲା। ଭବିଷ୍ୟଦ୍ବକ୍ତା ଯିଶାଇୟ ପ୍ରାୟ ଖ୍ରୀଷ୍ଟପୂର୍ବ 740ରୁ ସକ୍ରିୟ ଥିଲେ। ଏହା ହେଉଛି ଯିଶାଇୟଙ୍କ ଜୀବନକାଳର ଜଗତ।
ରୋମୀୟ ପରମ୍ପରା ଅନୁସାରେ ରୋମୁଲସ 21 ଏପ୍ରିଲ ଖ୍ରୀଷ୍ଟପୂର୍ବ 753ରେ ରୋମ ପ୍ରତିଷ୍ଠା କଲେ, ଯିଶାଇୟଙ୍କ ଆହ୍ୱାନର କିଛି ବର୍ଷ ପୂର୍ବରୁ (ଯିଶାଇୟ 6:1)। ପ୍ରତ୍ନତତ୍ତ୍ୱ ଦେଖାଏ ଯେ ପାଲାଟାଇନ ପାହାଡ଼ରେ ଏହାଠାରୁ ମଧ୍ୟ ପୂର୍ବରୁ ଗ୍ରାମ ଥିଲା।
ପ୍ରାୟ ସେହି ଯୁଗରେ ଇଲିଅଡ ଓ ଓଡିସି ଆମେ ଜାଣିଥିବା ଲିଖିତ ରୂପ ପାଇଲା; ପଣ୍ଡିତମାନେ ସେଗୁଡ଼ିକୁ ପ୍ରାୟ ଖ୍ରୀଷ୍ଟପୂର୍ବ 750 ଓ 650 ମଧ୍ୟରେ ରଖନ୍ତି। ଗ୍ରୀକମାନେ କିଛି ସମୟ ପୂର୍ବରୁ ଫିନିସୀୟ ଅକ୍ଷର ଗ୍ରହଣ କରିଥିଲେ।
ଚୀନା ରାଜ୍ୟ ଲୁର ଇତିବୃତ୍ତ ‘ବସନ୍ତ ଓ ଶରତ ଇତିବୃତ୍ତ’ ଖ୍ରୀଷ୍ଟପୂର୍ବ 722ରୁ ଆରମ୍ଭ ହୁଏ — ଯେଉଁ ବର୍ଷ ଶମରୀୟା ଅଶୂର ହସ୍ତଗତ ହେଲା (2 ରାଜାବଳୀ 17:6)। ପରମ୍ପରା ଅନୁସାରେ, ପରେ କନଫ୍ୟୁସିୟସ ଏହାକୁ ସମ୍ପାଦନ କଲେ।
2 ରାଜାବଳୀ 19:9 କହେ ଯେ କୂଶର ରାଜା ତିର୍ହକ ସନ୍ହେରୀବଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଲେ। ତାହାର୍କା ଖ୍ରୀଷ୍ଟପୂର୍ବ 690ରେ ଫାରୋ ହେଲେ; ଏକ ମତ ଅନୁସାରେ, 701ରେ ସେ ଜଣେ ଯୁବ ରାଜକୁମାର ଭାବରେ ସେନାର ନେତୃତ୍ୱ ନେଇଥିଲେ; ବିସ୍ତୃତ ବିବରଣୀ ବିଷୟରେ ପଣ୍ଡିତମାନଙ୍କ ମଧ୍ୟରେ ବିତର୍କ ଅଛି।
ଅଶ୍ୱାରୋହୀ ସ୍କୁଥୀୟମାନେ ପୂର୍ବରୁ କୃଷ୍ଣ ସାଗରର ଉତ୍ତରସ୍ଥ ତୃଣଭୂମିକୁ ଆସିଲେ। ସେମାନଙ୍କ ମୁଖିଆମାନଙ୍କୁ ପରେ ସୂକ୍ଷ୍ମ ସୁନା କାମ ସହିତ ବଡ଼ ବଡ଼ ଢିପି, କୁର୍ଗାନ ତଳେ କବର ଦିଆଗଲା; ଅନେକ ଆଜିର ୟୁକ୍ରେନ ଓ ଦକ୍ଷିଣ ରୁଷିଆରେ ମିଳିଛି।
ଉତ୍ସ: Theographic Bible Metadata, CC BY-SA 4.0 · OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର