ନବୂଖଦ୍ନିତ୍ସର ବାବିଲକୁ ବିଶାଳ ଆକାରରେ ପୁନର୍ନିର୍ମାଣ କଲେ। ଏହାର ଇଶ୍ତାର ଦ୍ୱାର, ନୀଳ ଚିକ୍କଣ ଇଟା ଓ ଷଣ୍ଢ ଏବଂ ନାଗସଦୃଶ ଜନ୍ତୁଙ୍କ ଧାଡ଼ିରେ ସଜ୍ଜିତ, ଖନନରେ ମିଳିଥିବା ଖଣ୍ଡଗୁଡ଼ିକରୁ ବର୍ଲିନରେ ପୁଣି ଗଢ଼ାଯାଇଛି।
ବାଇବେଲରେ · ଖ୍ରୀଷ୍ଟପୂର୍ବ 587/586 · ଯିରୂଶାଲମ
ଯିରୂଶାଲମର ପତନ
ନବୂଖଦ୍ନିତ୍ସରଙ୍କ ବାବିଲୀୟ ସୈନ୍ୟ ଯିରୂଶାଲମରେ ପ୍ରବେଶ କରି ମନ୍ଦିରକୁ ପୋଡ଼ିଦିଅନ୍ତି ଓ ଲୋକମାନଙ୍କୁ ନିର୍ବାସନକୁ ନେଇଯାଆନ୍ତି।
ଏଥିଉତ୍ତାରେ ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ ବାବିଲ ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। ତହୁଁ ସିଦିକୀୟ ରାଜାଙ୍କ ରାଜତ୍ଵର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶର ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟଦ୍ରବ୍ୟ ମିଳିଲା ନାହିଁ। ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ; ସେସମୟରେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ଥିଲେ, ପୁଣି ରାଜା ସିଦିକୀୟ ଆରବା ପଥ ଦେଇ ଚାଲିଗଲେ। ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ରାଜା ସିଦିକୀୟଙ୍କର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ତାଙ୍କୁ ଧରିଲେ; ତହିଁରେ ସିଦିକୀୟଙ୍କର ସକଳ ସୈନ୍ୟ ତାଙ୍କ ନିକଟରୁ ଛିନ୍ନଭିନ୍ନ ହୋଇଗଲେ। ତହୁଁ ସେମାନେ ରାଜାଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲେ; ତହିଁରେ ସେମାନେ ତାଙ୍କ ପ୍ରତି ଦଣ୍ଡାଜ୍ଞା କଲେ। ଆଉ ସେମାନେ ସିଦିକୀୟଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକୀୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲେ। ପଞ୍ଚମ ମାସରେ, ମାସର ସପ୍ତମ ଦିନରେ ବାବିଲ ରାଜା ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଊଣେଇଶ ବର୍ଷରେ ବାବିଲ ରାଜାର ଦାସ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା। ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ଆଉ ଯିରୂଶାଲମର ସମସ୍ତ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା। ପୁଣି ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗର ପ୍ରାଚୀର ଭଗ୍ନ କଲେ। ଆଉ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ନଗରର ଅବଶିଷ୍ଟ ଲୋକମାନଙ୍କୁ ଓ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା। ମାତ୍ର ପ୍ରହରୀବର୍ଗର ସେନାପତି ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମକାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା। ଆହୁରି କଲ୍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକିସକଳ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ବାବିଲକୁ ନେଇଗଲେ। ଆହୁରି ସେମାନେ ପାତ୍ର ଓ କରଚୁଲି ଓ କତୁରୀ ଓ ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ। ଆଉ ପ୍ରହରୀବର୍ଗର ସେନାପତି ଅଙ୍ଗାରଧାନୀ ଓ କୁଣ୍ଡସବୁ, ଯାହା ସୁନାର ଥିଲା, ତାହା ସୁନା କରି, ପୁଣି ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା। ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କ ନିର୍ମିତ ଦୁଇ ସ୍ତମ୍ଭ, ଏକ ସମୁଦ୍ରରୂପ ପାତ୍ର ଓ ବୈଠିକିସକଳ, ଏହିସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା। ଏକ ସ୍ତମ୍ଭ ଅଠର ହାତ ଉଚ୍ଚ ଓ ତହିଁ ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ଆଉ ମୁଣ୍ଡାଳିର ଉଚ୍ଚ ତିନି ହାତ ମୁଣ୍ଡାଳି ଉପରେ ଚତୁର୍ଦ୍ଦିଗରେ ପିତ୍ତଳମୟ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ମଧ୍ୟ ଦ୍ୱିତୀୟ ସ୍ତମ୍ଭ ଜାଲିକର୍ମ ସହିତ ଏହି ପ୍ରକାର ଥିଲା। ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ପ୍ରଧାନ ଯାଜକ ସରାୟଙ୍କୁ ଓ ଦ୍ୱିତୀୟ ଯାଜକ ସଫନୀୟଙ୍କୁ ଓ ତିନି ଜଣ ଦ୍ୱାରପାଳଙ୍କୁ ଧରିଲା। ଆଉ ନବୂଷରଦନ୍ ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ନପୁଂସକକୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଓ ଦେଶର ଲୋକଗଣନାକାରୀ ଲେଖକ ସେନାପତିକୁ ଓ ନଗରରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକଙ୍କୁ ଧରିଲା। ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲା। ତହିଁରେ ବାବିଲ ରାଜା ହମାତ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା।ସେହି ସମୟରେ ଜଗତରେ
ବାବିଲର ନବୂଖଦ୍ନିତ୍ସର ଖ୍ରୀଷ୍ଟପୂର୍ବ 597ରେ ଯିରୂଶାଲମ ଅଧିକାର କଲେ ଏବଂ ଖ୍ରୀଷ୍ଟପୂର୍ବ 587 ବା 586ରେ ତାହା ଧ୍ୱଂସ କଲେ (ସୂତ୍ରଗୁଡ଼ିକ ଦୁହିଁକୁ ସମ୍ଭବ କରେ)। ଏକ ବାବିଲୀୟ ଇତିବୃତ୍ତ ଫଳକ ପ୍ରଥମ ଅଧିକାରର ଦିନ ମଧ୍ୟ ଦିଏ: ଅଦର ମାସର 2 ତାରିଖ, ଅର୍ଥାତ୍ ଖ୍ରୀଷ୍ଟପୂର୍ବ 597ର ମାର୍ଚ୍ଚ ମଧ୍ୟଭାଗ। ଏହା ହେଉଛି ସେହି ବର୍ଷଗୁଡ଼ିକର ଜଗତ।
ହେରୋଡୋଟସ କହନ୍ତି ଯେ ମୀଲୀତର ଦାର୍ଶନିକ ଥେଲିସ ଏକ ସୂର୍ଯ୍ୟ ଗ୍ରହଣର ପୂର୍ବାନୁମାନ କରିଥିଲେ, ଯାହା ଲିଡୀୟ ଓ ମାଦୀୟମାନଙ୍କ ମଧ୍ୟରେ ଏକ ଯୁଦ୍ଧକୁ ଥମାଇଦେଲା; ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ 28 ମଇ ଖ୍ରୀଷ୍ଟପୂର୍ବ 585 ବୋଲି ସ୍ଥିର କରନ୍ତି। ଥେଲିସ ପ୍ରକୃତରେ ଏହାର ପୂର୍ବାନୁମାନ କରିଥିଲେ କି ନା, ସେ ବିଷୟରେ ମତଭେଦ ଅଛି।
ଆଜିର ପଶ୍ଚିମ ତୁର୍କୀସ୍ଥିତ ଲିଡିଆରେ ପ୍ରଥମ ମୁଦ୍ରାଗୁଡ଼ିକ ଇଲେକ୍ଟ୍ରମ, ଅର୍ଥାତ୍ ସୁନା ଓ ରୁପାର ଏକ ପ୍ରାକୃତିକ ମିଶ୍ରଣରୁ ଢଳାଗଲା, ଏବଂ ସେଥିରେ ସିଂହ ମୁଣ୍ଡର ଛାପ ଦିଆଗଲା। ଏହା ପୂର୍ବରୁ ରୁପା ଓଜନ କରି ଦିଆଯାଉଥିଲା, ଯେପରି ଶେକଲ ଶବ୍ଦ, ଯାହାର ଅର୍ଥ “ଓଜନ”, ମନେ ପକାଇଦିଏ।
ମଗିଦ୍ଦୋରେ ରାଜା ଯୋଶୀୟଙ୍କୁ ବଧ କରିଥିବା ଫାରୋ ଦ୍ୱିତୀୟ ନଖୋ (2 ରାଜାବଳୀ 23:29) ନୀଳ ନଦୀରୁ ଲୋହିତ ସାଗର ପର୍ଯ୍ୟନ୍ତ ଏକ କେନାଲ ଆରମ୍ଭ କଲେ। ହେରୋଡୋଟସ ଏହା ମଧ୍ୟ ଜଣାନ୍ତି ଯେ ସେ ପଠାଇଥିବା ନାବିକମାନେ ଆଫ୍ରିକାକୁ ପରିକ୍ରମା କରିଥିଲେ।
ମୀଲୀତର ଗ୍ରୀକମାନେ କୃଷ୍ଣ ସାଗରର ଉତ୍ତର କୂଳରେ ବାଣିଜ୍ୟ ସହର ସ୍ଥାପନ କଲେ: ପ୍ରାୟ ଖ୍ରୀଷ୍ଟପୂର୍ବ 600ରେ ପାଣ୍ଟିକାପାୟମ, ଯାହା ଆଜି କ୍ରିମିଆର କର୍ଚ, ଏବଂ ଆଜିର ୟୁକ୍ରେନରେ ଦକ୍ଷିଣ ବୁଗ ନଦୀର ମୁହାଣ ନିକଟରେ ଓଲ୍ବିଆ। ସେମାନେ ଶସ୍ୟ ଓ ମାଛ ବଦଳରେ ଦ୍ରାକ୍ଷାରସ ଓ ଜୀତ ତୈଳ ବେପାର କରୁଥିଲେ।
ଉତ୍ତର ଭାରତରେ ଗଙ୍ଗା ଓ ତାହାର ଉପନଦୀଗୁଡ଼ିକ କୂଳରେ ଗଢ଼ିଉଠୁଥିବା ନୂଆ ନଗରମାନଙ୍କ ଚାରିପାଖରେ ଷୋହଳଟି ରାଜ୍ୟ ଓ ଗଣରାଜ୍ୟ, ମହାଜନପଦ, ବିକଶିତ ହେଲା। ସେମାନଙ୍କ ମଧ୍ୟରୁ ଗୋଟିଏ, ମଗଧ, ପରେ ଭାରତର ପ୍ରଥମ ମହାନ ସାମ୍ରାଜ୍ୟଗୁଡ଼ିକର କେନ୍ଦ୍ର ହେଲା।
ଉତ୍ସ: Theographic Bible Metadata, CC BY-SA 4.0 · OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର