ଅଶୂରର ଶେଷ ମହାନ ରାଜା ଅଶୂରବନିପାଲ ନୀନିବୀରେ ହଜାର ହଜାର ମାଟିର ଫଳକ ସଂଗ୍ରହ କଲେ, ସେଗୁଡ଼ିକ ମଧ୍ୟରେ ଜଳପ୍ଳାବନ କାହାଣୀ ସହିତ ଗିଲଗାମେଶ ମହାକାବ୍ୟ। ଖ୍ରୀଷ୍ଟପୂର୍ବ 612ରେ ନଗର ଜଳିବା ବେଳେ ପୋତି ହୋଇଯାଇଥିବା ଏହି ଫଳକଗୁଡ଼ିକ ବଞ୍ଚିରହିଲା ଏବଂ 1800 ମସିହା ପରର ଶତାବ୍ଦୀର ମଧ୍ୟଭାଗରେ ଖୋଳି ବାହାର କରାଗଲା।
ବାଇବେଲରେ · ପ୍ରାୟ ଖ୍ରୀଷ୍ଟପୂର୍ବ 622 · ଯିରୂଶାଲମ
ଯୋଶୀୟଙ୍କ ସଂସ୍କାର
ମନ୍ଦିରରେ ବ୍ୟବସ୍ଥା-ପୁସ୍ତକ ମିଳିବା ପରେ ରାଜା ଯୋଶୀୟ ତାହା ଲୋକମାନଙ୍କୁ ପଢ଼ି ଶୁଣାନ୍ତି ଓ ଯିହୁଦାରୁ ପ୍ରତିମାଗୁଡ଼ିକୁ ଦୂର କରନ୍ତି।
ଏଥିଉତ୍ତାରେ ରାଜା ଲୋକ ପଠାନ୍ତେ, ସେମାନେ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ତାଙ୍କ ନିକଟରେ ଏକତ୍ର କଲେ। ପୁଣି ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ତାଙ୍କ ସଙ୍ଗେ ଯିହୁଦାର ସମସ୍ତ ମନୁଷ୍ୟ ଓ ଯିରୂଶାଲମ ନିବାସୀ ସମସ୍ତେ ଓ ଯାଜକମାନେ ଓ ଭବିଷ୍ୟଦ୍ବକ୍ତାମାନେ ଓ ସାନ ବଡ଼ ସମସ୍ତ ଲୋକ ଗମନ କଲେ। ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ। ଏଥିରେ ରାଜା ସ୍ତମ୍ଭ ନିକଟରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କ ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି, ଏହି ପୁସ୍ତକରେ ଲିଖିତ ନିୟମ-ବାକ୍ୟ ସଫଳ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ। ଆଉ ସମୁଦାୟ ଲୋକ ସେହି ନିୟମରେ ସମ୍ମତ ହେଲେ। ପୁଣି ରାଜା ଯୋଶୀୟ ସଦାପ୍ରଭୁଙ୍କ ମନ୍ଦିରରୁ ବାଲ୍ର ଓ ଆଶେରା ମୂର୍ତ୍ତିର ଓ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍କୀୟ ମହାଯାଜକକୁ ଓ ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଜ୍ଞା କଲେ; ତହୁଁ ସେ ଯିରୂଶାଲମର ବାହାରେ କିଦ୍ରୋଣ ପଦାରେ ତାହାସବୁ ଦଗ୍ଧ କରି ତହିଁର ଭସ୍ମ ବେଥେଲ୍କୁ ନେଇଗଲେ। ପୁଣି ଯିହୁଦାର ରାଜାମାନେ ଯେଉଁ ପୌତ୍ତଳିକ ପୁରୋହିତମାନଙ୍କୁ ଯିହୁଦା ଦେଶସ୍ଥ ନଗରସବୁର ଉଚ୍ଚସ୍ଥଳୀମାନରେ ଓ ଯିରୂଶାଲମର ଚତୁର୍ଦ୍ଦିଗର ସ୍ଥାନସବୁରେ ଧୂପ ଜ୍ୱଳାଇବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କୁ, ମଧ୍ୟ ଯେଉଁମାନେ ବାଲ୍ର, ସୂର୍ଯ୍ୟର ଓ ଚନ୍ଦ୍ରର ଓ ଗ୍ରହଗଣର ଓ ଆକାଶସ୍ଥ ବାହିନୀ ସକଳ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ, ସେସବୁକୁ ସେ ରହିତ କଲେ। ଆଉ ଯୋଶୀୟ ସଦାପ୍ରଭୁଙ୍କ ଗୃହରୁ ଆଶେରା ମୂର୍ତ୍ତି ବାହାର କରି ଯିରୂଶାଲମର ବାହାରେ କିଦ୍ରୋଣ ନଦୀକୁ ଆଣିଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ ଓ ସେହି ଚୂର୍ଣ୍ଣ ସାଧାରଣ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ। ଆହୁରି ଯେଉଁ ସ୍ଥାନରେ ସ୍ତ୍ରୀମାନେ ଆଶେରା ନିମନ୍ତେ ପଟଗୃହ ନିର୍ମାଣ କଲେ, ସଦାପ୍ରଭୁଙ୍କ ଗୃହରେ ସ୍ଥିତ ସଦୋମୀମାନଙ୍କ ସେହି ଗୃହସବୁ ଭାଙ୍ଗି ପକାଇଲେ। ପୁଣି ଯୋଶୀୟ ଯିହୁଦାର ନାନା ନଗରରୁ ସମସ୍ତ ଯାଜକଙ୍କୁ ଆଣିଲେ ଓ ଗେବାଠାରୁ ବେର୍ଶେବା ପର୍ଯ୍ୟନ୍ତ ଯେ ଯେ ସ୍ଥାନରେ ଯାଜକମାନେ ଧୂପ ଜ୍ୱଳାଇଥିଲେ, ସେସବୁ ଉଚ୍ଚସ୍ଥଳୀ ଅଶୁଚି କଲେ। ପୁଣି ସେ ନଗର-ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ, ନଗରାଧ୍ୟକ୍ଷ ଯିହୋଶୂୟର ଦ୍ୱାର-ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ନଗର ଦ୍ୱାରର ଉଚ୍ଚସ୍ଥଳୀସକଳ ଭାଙ୍ଗି ପକାଇଲେ। ତଥାପି ଉଚ୍ଚସ୍ଥଳୀର ଯାଜକମାନେ ଯିରୂଶାଲମସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆସିଲେ ନାହିଁ, ମାତ୍ର ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ ଥାଇ ତାଡ଼ିଶୂନ୍ୟ ରୁଟି ଭୋଜନ କଲେ। ପୁଣି କେହି ଯେପରି ମୋଲକ୍ ଉଦ୍ଦେଶ୍ୟରେ ଆପଣା ପୁତ୍ର କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ ନ କରାଇବ, ଏଥିପାଇଁ ସେ ହିନ୍ନୋମର ସନ୍ତାନଗଣ ଉପତ୍ୟକାସ୍ଥିତ ତୋଫତ୍ ନାମକ ସ୍ଥାନକୁ ଅଶୁଚି କଲେ। ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରି ନିକଟସ୍ଥ ସଦାପ୍ରଭୁଙ୍କ ଗୃହର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇଗଲେ, ପୁଣି ସେ ସୂର୍ଯ୍ୟରଥସବୁ ଅଗ୍ନିରେ ଦଗ୍ଧ କଲେ। ଆଉ ଯିହୁଦାର ରାଜାମାନେ ଆହସ୍ର ଉପରିସ୍ଥ କୋଠରି ଛାତ ଉପରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ, ରାଜା ସେସବୁକୁ ସେସ୍ଥାନରୁ ଭାଙ୍ଗି ପକାଇ ଚୂର୍ଣ୍ଣ କଲେ ଓ ତହିଁର ଧୂଳି କିଦ୍ରୋଣ ନଦୀରେ ଫୋପାଡ଼ି ଦେଲେ। ପୁଣି ବିନାଶ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଯିରୂଶାଲମ ସମ୍ମୁଖରେ ଇସ୍ରାଏଲର ରାଜା ଶଲୋମନ ସୀଦୋନୀୟମାନଙ୍କ ଘୃଣାଯୋଗ୍ୟ ଅଷ୍ଟାରୋତ୍ ନିମନ୍ତେ ଓ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମିଲ୍କମ୍ ନିମନ୍ତେ ଯେ ଯେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ସେସବୁକୁ ରାଜା ଅଶୁଚି କଲେ। ଆଉ ସେ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ ଛେଦନ କରି ମନୁଷ୍ୟର ଅସ୍ଥିରେ ସେମାନଙ୍କ ସ୍ଥାନ ପୂର୍ଣ୍ଣ କଲେ। ଆହୁରି ବେଥେଲ୍ରେ ଯେଉଁ ଯଜ୍ଞବେଦି ଥିଲା ଓ ଇସ୍ରାଏଲକୁ ପାପ କରାଇଥିଲେ ଯେ ନବାଟର ପୁତ୍ର ଯାରବୀୟାମ, ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶୀୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ, ପୁଣି ସେ ଉଚ୍ଚସ୍ଥଳୀ ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ, ଆଉ ଆଶେରାମୂର୍ତ୍ତିକୁ ଦଗ୍ଧ କଲେ। ଏଥିଉତ୍ତାରେ ଯୋଶୀୟ ମୁଖ ଫେରାଇବା ବେଳେ ସେଠାର ପର୍ବତସ୍ଥିତ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରରୁ ଅସ୍ଥି ଅଣାଇଲେ, ଆଉ ପରମେଶ୍ୱରଙ୍କର ଯେଉଁ ଲୋକ ପୂର୍ବେ ଏହିସବୁ ବିଷୟ ପ୍ରଚାର କରିଥିଲେ, ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ସେହି ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ଦଗ୍ଧ କରି ତାହା ଅଶୁଚି କଲେ। ତହୁଁ ସେ ପଚାରିଲେ, “ସେହି ଯେ ସ୍ତମ୍ଭ ଆମ୍ଭେ ଦେଖୁଅଛୁ, ତାହା କଅଣ?” ଏଥିରେ ନଗରର ଲୋକମାନେ ଉତ୍ତର କଲେ, “ପରମେଶ୍ୱରଙ୍କର ଯେଉଁ ଲୋକ ଯିହୁଦାରୁ ଆସି ଆପଣଙ୍କ କୃତ ଏହି ସକଳ ବିଷୟ ବେଥେଲ୍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ପ୍ରଚାର କରିଥିଲେ, ତାହା ତାଙ୍କର କବର।” ତେବେ ରାଜା ଯୋଶୀୟ କହିଲେ, “ତାଙ୍କୁ ଛାଡ଼ିଦିଅ; କେହି ତାଙ୍କର ଅସ୍ଥି ସ୍ଥାନାନ୍ତର ନ କରୁ।” ଏହେତୁ ସେମାନେ ଶମରୀୟାରୁ ଆଗତ ଭବିଷ୍ୟଦ୍ବକ୍ତାଙ୍କର ଅସ୍ଥି ସହିତ ତାହାର ଅସ୍ଥି ଛାଡ଼ିଦେଲେ। ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଶମରୀୟାର ନାନା ନଗରରେ ଯେ ଯେ ଉଚ୍ଚସ୍ଥଳୀର ଗୃହ ନିର୍ମାଣ କରିଥିଲେ, ଯୋଶୀୟ ସେସବୁ ମଧ୍ୟ ଦୂର କଲେ ଓ ବେଥେଲ୍ରେ ଯେପରି କର୍ମ କରିଥିଲେ, ସେସବୁ ପ୍ରତି ସେହିପରି କଲେ। ପୁଣି ସେ ଉଚ୍ଚସ୍ଥଳୀର ଯାଜକ ସମସ୍ତଙ୍କୁ ଯଜ୍ଞବେଦିରେ ବଧ କରି, ତହିଁ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଦଗ୍ଧ କଲେ; ଏଥିଉତ୍ତାରେ ସେ ଯିରୂଶାଲମକୁ ଫେରିଗଲେ। ଆହୁରି ରାଜା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, “ଏହି ନିୟମ ପୁସ୍ତକରେ ଯେପରି ଲେଖାଅଛି; ତଦନୁସାରେ ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର।” ପ୍ରକୃତରେ ଇସ୍ରାଏଲର ବିଚାରକାରୀ ବିଚାରକର୍ତ୍ତୃଗଣର ସମୟଠାରୁ, କିଅବା ଇସ୍ରାଏଲର ରାଜାମାନଙ୍କର ଓ ଯିହୁଦାର ରାଜାମାନଙ୍କର ସମସ୍ତ ସମୟରେ ଏପ୍ରକାର ନିସ୍ତାର ପର୍ବ ପାଳନ କରାଯାଇ ନ ଥିଲା। ମାତ୍ର ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ପାଳନ କରାଗଲା। ଆହୁରି ଯୋଶୀୟ ଯେପରି ସଦାପ୍ରଭୁଙ୍କ ଗୃହରେ ହିଲ୍କୀୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ଏଥିପାଇଁ ଯିହୁଦା ଦେଶରେ ଓ ଯିରୂଶାଲମରେ ଯେସବୁ ଭୂତୁଡ଼ିଆ, ଗୁଣିଆ, ଠାକୁର, ପୁତ୍ତଳି ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା, ସେ ତାହାସବୁ ଦୂର କଲେ। ଆଉ ଯୋଶୀୟଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ଯୋଶୀୟଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ହେଲେ ନାହିଁ।ସେହି ସମୟରେ ଜଗତରେ
ରାଜା ଯୋଶୀୟଙ୍କ ଅଠରତମ ବର୍ଷରେ, ପ୍ରାୟ ଖ୍ରୀଷ୍ଟପୂର୍ବ 622ରେ, ଯିରୂଶାଲମର ମନ୍ଦିରରେ ବ୍ୟବସ୍ଥା-ପୁସ୍ତକ ମିଳିଲା (2 ରାଜାବଳୀ 22:8)। ସେହି ବର୍ଷଗୁଡ଼ିକରେ ତିନି ଶତାବ୍ଦୀ ଧରି ନିକଟ ପ୍ରାଚ୍ୟରେ ଶାସନ କରିଥିବା ଅଶୂର ଭାଙ୍ଗି ପଡ଼ୁଥିଲା; ଏହାର ରାଜଧାନୀ ନୀନିବୀର ଖ୍ରୀଷ୍ଟପୂର୍ବ 612ରେ ପତନ ହେଲା। ଏହା ହେଉଛି ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀର ଶେଷ ଭାଗର ଜଗତ।
ନବୋପୋଲାସରଙ୍କ ଅଧୀନରେ ବାବିଲୀୟମାନେ ଓ ମାଦୀୟମାନେ ନୀନିବୀ ଅବରୋଧ କଲେ ଏବଂ ତିନି ମାସ ପରେ ତାହା ଅଧିକାର କଲେ। ଏକ ବାବିଲୀୟ ଇତିବୃତ୍ତ ସେହି ବର୍ଷକୁ ଲେଖି ରଖିଛି; କିଛି ବର୍ଷ ମଧ୍ୟରେ ଅଶୂରୀୟ ସାମ୍ରାଜ୍ୟ ଲୋପ ପାଇଲା।
ଆଥିନୀରେ ଡ୍ରାକୋ ପ୍ରଥମ ଥର ପାଇଁ ନଗରର ଆଇନଗୁଡ଼ିକୁ ଲେଖିଲେ, ଯେପରି ବିଚାରକମାନେ ଆଉ କେବଳ ପ୍ରଥା ଅନୁସାରେ ନିଷ୍ପତ୍ତି ନେଇ ନ ପାରନ୍ତି। ସେଗୁଡ଼ିକ ଏତେ କଠୋର ଥିଲା ଯେ ଇଂରାଜୀ ଶବ୍ଦ “draconian”ର ଅର୍ଥ ଆଜି ମଧ୍ୟ ଅତି କଠୋର।
ବଦ୍ୱୀପସ୍ଥିତ ସାଇସର ଜଣେ ରାଜକୁମାର ପ୍ରଥମ ପସାମ୍ଟିକ ମିସରକୁ ଅଶୂରୀୟ ନିୟନ୍ତ୍ରଣରୁ ମୁକ୍ତ କଲେ ଏବଂ ଦେଶକୁ ପୁଣି ଏକତ୍ର କଲେ। ସେ ଗ୍ରୀକ୍ ଓ କାରୀୟ ସୈନିକ ନିଯୁକ୍ତ କଲେ, ଏବଂ ଶୀଘ୍ର ଗ୍ରୀକ୍ ବଣିକମାନେ ନୀଳ ନଦୀର ଏକ ଶାଖା କୂଳସ୍ଥ ନାଉକ୍ରାଟିସରେ ବସବାସ କରୁଥିଲେ।
ଚି ରାଜ୍ୟର ଡ୍ୟୁକ ହୁଆନ, ତାଙ୍କ ମନ୍ତ୍ରୀ ଗୁଆନ ଝୋଙ୍ଗଙ୍କ ପରାମର୍ଶରେ, ଚିକୁ ଚୀନ୍ର ସବୁଠାରୁ ଶକ୍ତିଶାଳୀ ରାଜ୍ୟ କଲେ ଏବଂ “ଆଧିପତ୍ୟକାରୀ”ମାନଙ୍କ ମଧ୍ୟରେ ପ୍ରଥମ ହେଲେ, ଯେଉଁମାନେ ଦୁର୍ବଳ ଝୋଉ ରାଜାଙ୍କ ନାମରେ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା କରୁଥିଲେ।
ନୀପର ଓ ଦକ୍ଷିଣ ବୁଗ ନଦୀର ମୁହାଣ ନିକଟସ୍ଥ ଛୋଟ ବେରେଜାନ ଦ୍ୱୀପରେ ମୀଲୀତରୁ ଆସିଥିବା ଗ୍ରୀକମାନେ କୃଷ୍ଣ ସାଗରର ଉତ୍ତର ଉପକୂଳରେ ପ୍ରଥମ ଗ୍ରୀକ୍ ବସତି ସ୍ଥାପନ କଲେ।
ଉତ୍ସ: Theographic Bible Metadata, CC BY-SA 4.0 · OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର