Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଦୁଃଖଭୋଗ

ପାଖାପାଖି ସୁସମାଚାର · ଦୁଃଖଭୋଗ

କବର ଦିଆଯିବା

ମାଥି 27:57–61 · ମାର୍କ 15:42–47 · ଲୂକ 23:50–56 · ଯୋହ 19:38–42

ମାଥିଉ

ମାଥି 27:57–61

57ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ।

58ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ।

59ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ,

60ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ।

61ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ।

ମାର୍କ

ମାର୍କ 15:42–47

42ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍‍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ,

43ହାରାମାଥୀୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ।

44କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତ-ସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି?

45ଶତ-ସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ।

46ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ।

47ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍‌ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।

ଲୂକ

ଲୂକ 23:50–56

50ଆଉ ଦେଖ, ଯିହୂଦିୟା ପ୍ରଦେଶରେ ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ଯିହୁଦୀମାନଙ୍କର ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,

51ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ପୁଣି, ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ।

52ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ,

53ପୁଣି, ତାହା ଓହ୍ଲାଇ ଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧି-ସ୍ଥାନରେ ତାହାଙ୍କୁ ଥୋଇଲେ।

54ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା

55ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ,

56ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।

ଯୋହନ

ଯୋହ 19:38–42

38ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ।

39ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ।

40ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ।

41ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା।

42ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର