45ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା।
46ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍ଥାନୀ?” ଅର୍ଥାତ୍, “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”
47ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି।
48ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା।
49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା।
50କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ।
51ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,
52ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା,
53ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ପବିତ୍ର ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ।
54ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ।
55ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ;
56ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରୀୟମ, ଯାକୁବ ଓ ଯୋଷେଫଙ୍କ ମାତା ମରୀୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ।