Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଯିହୁଦାର ରାଜାଗଣ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଯିହୁଦାର ରାଜାଗଣ

ଅଥଲୀୟା ଓ ବାଳକ ଯୋୟାଶ୍‍

ଦ୍ଵି.ରା 11:1–21 · ଦ୍ଵି.ବଂ 22:10–12; 23:1–21

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 11:1–21

1ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା।

2ମାତ୍ର ଯୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶ୍‍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକୁ ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ।

3ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ ଛଅ ବର୍ଷ ଗୋପନରେ ରହିଲା; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲା।

4ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା ନିକଟକୁ ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା।

5ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କ ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ,

6ଓ ତୃତୀୟାଂଶ ସୂର ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍‍ ଦ୍ୱାରରେ ରହିବେ; ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ।

7ଆଉ ତୁମ୍ଭମାନଙ୍କର ଦୁଇ ଦଳ, ଅର୍ଥାତ୍‍, ବିଶ୍ରାମବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ।

8ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବ; ଆଉ ଯେକେହି ଶ୍ରେଣୀ ଭିତରକୁ ଆସେ, ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।”

9ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ।

10ତହିଁରେ ଦାଉଦ ରାଜାଙ୍କର ଯେ ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା, ତାହାସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା।

11ତହୁଁ ଗୃହର ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ପ୍ରହରୀବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦ୍ଦିଗରେ ଠିଆ ହେଲେ।

12ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”

13ଏଥିରେ ଅଥଲୀୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ ନିକଟକୁ ଆସିଲା।

14ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ!” ବୋଲି ଡାକ ପକାଇଲା।

15ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, “ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେ ତାହାର ପଶ୍ଚାଦ୍‍ଗାମୀ ହୁଏ, ତାହାକୁ ଖଡ୍ଗରେ ବଧ କର।” କାରଣ ଯାଜକ କହିଲା, “ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।”

16ତହୁଁ ସେମାନେ ତାହା ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା।

17ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା।

18ଏଥିଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା।

19ପୁଣି ଯିହୋୟାଦା ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ଯୋୟାଶ୍‍ ରାଜସିଂହାସନରେ ଉପବିଷ୍ଟ ହେଲେ।

20ଏହିରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ ସେମାନେ ରାଜଗୃହ ନିକଟରେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।

21ଯୋୟାଶ୍‍ ସାତ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 22:10–12; 23:1–21

22:10ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।

22:11ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍‍ ଅହସୀୟଙ୍କର ପୁତ୍ର ଯୋୟାଶ୍‍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍‍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ।

22:12ଏଉତ୍ତାରେ ଯୋୟାଶ୍‍ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ।

23:1ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଆପଣାକୁ ବଳବାନ କରି ଯିରୋହମର ପୁତ୍ର ଅସରୀୟ ଓ ଯିହୋହାନନ୍‍ର ପୁତ୍ର ଇଶ୍ମାୟେଲ, ଓବେଦ୍‍ର ପୁତ୍ର ଅସରୀୟ ଓ ଅଦାୟାର ପୁତ୍ର ମାସେୟ ଓ ସିଖ୍ରିର ପୁତ୍ର ଇଲୀଶାଫଟ୍‍, ଏହି ଶତପତିମାନଙ୍କୁ ଆପଣା ସଙ୍ଗେ ନିୟମରେ ଆବଦ୍ଧ କଲା।

23:2ତହିଁରେ ସେମାନେ ଯିହୁଦାର ଚାରିଆଡ଼େ ଭ୍ରମଣ କରି ଯିହୁଦାର ସମସ୍ତ ନଗରରୁ ଲେବୀୟମାନଙ୍କୁ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କୁ ଏକତ୍ର କଲେ, ତହୁଁ ସେମାନେ ଯିରୂଶାଲମକୁ ଆସିଲେ।

23:3ଏଉତ୍ତାରେ ସମଗ୍ର ସମାଜ ପରମେଶ୍ୱରଙ୍କ ଗୃହରେ ରାଜାଙ୍କ ସଙ୍ଗେ ନିୟମ କଲେ। ପୁଣି ଯିହୋୟାଦା ସେମାନଙ୍କୁ କହିଲା, “ଦେଖ, ଦାଉଦଙ୍କର ସନ୍ତାନଗଣ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ରାଜପୁତ୍ର ରାଜ୍ୟ କରିବେ।

23:4ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁ ଯାଜକମାନେ ଓ ଲେବୀୟମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କର ତୃତୀୟାଂଶ ଦ୍ୱାରପାଳ ହେବେ।

23:5ଓ ତୃତୀୟାଂଶ ରାଜଗୃହରେ ରହିବେ ଓ ତୃତୀୟାଂଶ ଭିତ୍ତିମୂଳ-ଦ୍ୱାରରେ ରହିବେ; ଆଉ ସମଗ୍ର ଲୋକ ସଦାପ୍ରଭୁଙ୍କ ଗୃହର ନାନା ପ୍ରାଙ୍ଗଣରେ ରହିବେ।

23:6ମାତ୍ର ଯାଜକମାନଙ୍କର ଓ ପରିଚର୍ଯ୍ୟାକାରୀ ଲେବୀୟମାନଙ୍କର ବ୍ୟତୀତ ଆଉ କାହାକୁ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରିବାକୁ ଦିଅ ନାହିଁ; ସେମାନେ ପବିତ୍ର, ଏଥିପାଇଁ ସେମାନେ ପ୍ରବେଶ କରିବେ; ମାତ୍ର ସମଗ୍ର ଲୋକ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କରିବେ।

23:7ପୁଣି ଲେବୀୟମାନଙ୍କର ପ୍ରତ୍ୟେକେ ଆପଣା ଆପଣା ହାତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବେ; ଆଉ ଯେକେହି ଗୃହ ଭିତରକୁ ଆସେ, ସେ ହତ ହେଉ; ପୁଣି ରାଜା ଭିତରକୁ ଆସିବା ବେଳେ ଓ ବାହାରକୁ ଯିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।”

23:8ତହୁଁ ଲେବୀୟମାନେ ଓ ସମଗ୍ର ଯିହୁଦା, ଯିହୋୟାଦା ଯାଜକର ଆଜ୍ଞା ପ୍ରମାଣେ ସମସ୍ତ କର୍ମ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକଙ୍କୁ ନେଲେ; କାରଣ ଯିହୋୟାଦା ଯାଜକ ଲୋକମାନଙ୍କୁ ପାଳିରୁ ବିଦାୟ କରି ନ ଥିଲା।

23:9ଆଉ, ଦାଉଦ ରାଜାଙ୍କର ଯେଉଁ ବର୍ଚ୍ଛା ଓ ଢାଲ ଓ ଚର୍ମ ପରମେଶ୍ୱରଙ୍କ ଗୃହରେ ଥିଲା, ତାହାସବୁ ଯିହୋୟାଦା ଯାଜକ ଶତପତିମାନଙ୍କୁ ଦେଲା।

23:10ଆଉ, ସେ ସମସ୍ତ ଲୋକଙ୍କୁ, ସ୍ୱହସ୍ତରେ ଅସ୍ତ୍ରଧାରୀ ପ୍ରତି ଜଣକୁ ଗୃହର ଦକ୍ଷିଣ ପାର୍ଶ୍ୱର ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ରାଜାଙ୍କର ଚତୁର୍ଦ୍ଦିଗରେ ସ୍ଥାପନ କଲା।

23:11ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟ ପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।

23:12ଏଥିରେ ଅଥଲୀୟା ଲୋକମାନଙ୍କ ଦୌଡ଼ା ଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ;

23:13ଆଉ, ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର-ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୂରୀ ଅଛି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି; ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସା ଗାନ କରୁଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ, ରାଜଦ୍ରୋହ ବୋଲି ଡାକ ପକାଇଲେ।

23:14ତହିଁରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ବାହାରକୁ ଆଣି କହିଲା, “ସୈନ୍ୟଶ୍ରେଣୀ ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେକେହି ତାହାର ପଶ୍ଚାଦ୍‍ଗାମୀ ହୁଏ, ସେ ଖଡ୍ଗରେ ହତ ହେଉ;” କାରଣ ଯାଜକ କହିଲା, “ସଦାପ୍ରଭୁଙ୍କ ଗୃହ ଭିତରେ ତାହାକୁ ବଧ କର ନାହିଁ।”

23:15ତହୁଁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ; ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ।

23:16ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା।

23:17ଏଉତ୍ତାରେ ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ।

23:18ଆଉ, ଦାଉଦଙ୍କର ବିଧାନମତେ ଆନନ୍ଦ ଓ ଗାନ ସହିତ ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା।

23:19ଆଉ, କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାରସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା।

23:20ଏଥିଉତ୍ତାରେ ସେ ଶତପତିମାନଙ୍କୁ ଓ କୁଳୀନମାନଙ୍କୁ ଓ ଲୋକମାନଙ୍କର ଶାସନକର୍ତ୍ତାମାନଙ୍କୁ ଓ ଦେଶର ସମଗ୍ର ଲୋକଙ୍କୁ ନେଇ ରାଜାଙ୍କୁ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ଆଉ, ସେମାନେ ଉପର ଦ୍ୱାର ଦେଇ ରାଜଗୃହକୁ ଆସି ରାଜସିଂହାସନରେ ରାଜାଙ୍କୁ ବସାଇଲେ।

23:21ସେତେବେଳେ ଦେଶର ସମସ୍ତ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ, ସେମାନେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର