Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଯିହୁଦାର ରାଜାଗଣ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଯିହୁଦାର ରାଜାଗଣ

ଯୋୟାଶ୍‍ ମନ୍ଦିର ମରାମତି କରାନ୍ତି

ଦ୍ଵି.ରା 12:1–16 · ଦ୍ଵି.ବଂ 24:1–14

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 12:1–16

1ଯେହୂଙ୍କ ରାଜତ୍ଵର ସପ୍ତମ ବର୍ଷରେ ଯୋୟାଶ୍‍ ରାଜତ୍ୱ କରିବାକୁ ଆରମ୍ଭ କରି ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାର ନାମ ସିବୀୟା, ସେ ବେର୍‍ଶେବା ନିବାସିନୀ ଥିଲେ।

2ଯିହୋୟାଦା ଯାଜକ ଯୋୟାଶ୍‍ଙ୍କୁ ଯେତେ ଦିନ ଶିକ୍ଷା ଦେଲା, ସେତେ ଦିନ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।

3ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।

4ଏଥିଉତ୍ତାରେ ଯୋୟାଶ୍‍ ଯାଜକମାନଙ୍କୁ କହିଲେ, “ପବିତ୍ରୀକୃତ ବସ୍ତୁର ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଯାଏ, ଅର୍ଥାତ୍‍, ପ୍ରଚଳିତ ମୁଦ୍ରା, ପ୍ରାଣୀମାନଙ୍କ ନିମନ୍ତେ ପ୍ରତ୍ୟେକ ଲୋକ ଉପରେ ନିରୂପିତ ମୁଦ୍ରା ଓ ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ କୌଣସି ମନୁଷ୍ୟର ମନରେ ବାଞ୍ଛା ହୁଏ,

5ତାହାସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ; ପୁଣି ସେହି ଗୃହର ଯେକୌଣସି ସ୍ଥାନ ଭଗ୍ନ ଦେଖାଯାଏ, ତାହାସବୁ ସେମାନେ ପୁନଃନିର୍ମାଣ କରନ୍ତୁ।”

6ମାତ୍ର ଯୋୟାଶ୍‍ ରାଜାଙ୍କ ରାଜତ୍ଵର ତେଇଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନଃନିର୍ମାଣ କରି ନ ଥିଲେ।

7ତହିଁରେ ଯୋୟାଶ୍‍ ରାଜା ଯିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଗୃହର ଭଗ୍ନସ୍ଥାନସବୁ କାହିଁକି ପୁନଃନିର୍ମାଣ କରୁ ନାହଁ? ଏହେତୁ ତୁମ୍ଭେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନ ସ୍ଥାନ ନିମନ୍ତେ ତାହା ସମର୍ପଣ କର।”

8ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ, ଅବା ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ ନ କରିବାକୁ ସମ୍ମତ ହେଲେ।

9ମାତ୍ର ଯିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା; ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରାସବୁ ତହିଁ ଭିତରେ ରଖିଲେ।

10ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।

11ପୁଣି ସେମାନେ ସେହି ପରିମିତ ମୁଦ୍ରା ସଦାପ୍ରଭୁଙ୍କ ଗୃହର କର୍ମକାରକ ଅଧ୍ୟକ୍ଷମାନଙ୍କ ହସ୍ତରେ ଦେଲେ; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀ ସୂତ୍ରଧର ଓ ଗାନ୍ଥକ

12ଓ ରାଜମିସ୍ତ୍ରୀ ଓ ପ୍ରସ୍ତର ଖୋଦକମାନଙ୍କୁ, ଆଉ ସଦାପ୍ରଭୁଙ୍କ ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବାକୁ ଓ ଗୃହର ପୁନଃନିର୍ମାଣ କରିବାକୁ ପ୍ରୟୋଜନୀୟ ସର୍ବପ୍ରକାର ବ୍ୟୟ ପାଇଁ ତାହା ଦେଲେ।

13ମାତ୍ର ସଦାପ୍ରଭୁଙ୍କ ଗୃହକୁ ଆନୀତ ସେହି ମୁଦ୍ରା ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ଡ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର, କିଅବା ରୌପ୍ୟ ପାତ୍ର ନିର୍ମିତ ହେଲା ନାହିଁ।

14କାରଣ ସେମାନେ କର୍ମକାରୀମାନଙ୍କୁ ସେହି ମୁଦ୍ରା ଦେଇ ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ପୁନଃନିର୍ମାଣ କଲେ।

15ମାତ୍ର ସେମାନେ କର୍ମକାରୀମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ମୁଦ୍ରା ସମର୍ପଣ କଲେ, ସେମାନଙ୍କଠାରୁ ହିସାବ ନେଲେ ନାହିଁ; କାରଣ ସେମାନେ ବିଶ୍ୱସ୍ତ ଭାବରେ କର୍ମ କଲେ।

16ଦୋଷାର୍ଥକ ବଳି ଓ ପାପାର୍ଥକ ବଳିର ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଗଲା ନାହିଁ, ତାହା ଯାଜକମାନଙ୍କର ହେଲା।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 24:1–14

1ଯୋୟାଶ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ସିବୀୟା, ଯେ ବେର୍‍ଶେବା ନିବାସିନୀ ଥିଲେ।

2ପୁଣି, ଯିହୋୟାଦା ଯାଜକର ଜୀବନଯାଏ ଯୋୟାଶ୍‍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।

3ଯିହୋୟାଦା ତାଙ୍କୁ ଦୁଇ କନ୍ୟା ବିବାହ କରାଇଲେ ଓ ତାଙ୍କର ପୁତ୍ରକନ୍ୟା ଜାତ ହେଲେ।

4ଏଥିଉତ୍ତାରେ ସଦାପ୍ରଭୁଙ୍କ ଗୃହର ମରାମତି କରିବାକୁ ଯୋୟାଶ୍‍ଙ୍କର ମନ ହେଲା।

5ତହିଁରେ ସେ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କରି କହିଲେ, “ତୁମ୍ଭେମାନେ ଯିହୁଦାର ସମସ୍ତ ନଗରକୁ ଯାଅ ଓ ବର୍ଷକୁ ବର୍ଷ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ଦୃଢ଼ କରିବା ନିମନ୍ତେ ସମଗ୍ର ଇସ୍ରାଏଲ ନିକଟରୁ ମୁଦ୍ରା ସଂଗ୍ରହ କର, ଏବଂ ଏହି କାର୍ଯ୍ୟ ଶୀଘ୍ର କର।” ତଥାପି ଲେବୀୟମାନେ ତାହା ଶୀଘ୍ର କଲେ ନାହିଁ।

6ଏଥିରେ ରାଜା ପ୍ରଧାନ ଯିହୋୟାଦାକୁ ଡାକି କହିଲେ, “ସାକ୍ଷ୍ୟ-ତମ୍ବୁ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ମଣ୍ଡଳୀ ଦ୍ୱାରା ଯେଉଁ କର ନିରୂପିତ ହୋଇଅଛି, ତାହା ତୁମ୍ଭେ ଯିହୁଦା ଓ ଯିରୂଶାଲମରୁ ଆଣିବା ପାଇଁ କାହିଁକି ଲେବୀୟମାନଙ୍କୁ ଆଦେଶ କରି ନାହଁ?”

7କାରଣ ସେହି ଦୁଷ୍ଟା ସ୍ତ୍ରୀ ଅଥଲୀୟାର ପୁତ୍ରମାନେ ପରମେଶ୍ୱରଙ୍କ ଗୃହ ଭଗ୍ନ କରିଥିଲେ; ମଧ୍ୟ ସଦାପ୍ରଭୁଙ୍କ ଗୃହର ସମସ୍ତ ପବିତ୍ରୀକୃତ ବସ୍ତୁ ବାଲ୍‍ ଦେବଗଣକୁ ଦେଲେ।

8ରାଜା ଏହିପରି ଆଜ୍ଞା କରନ୍ତେ, ସେମାନେ ଏକ ସିନ୍ଦୁକ ନିର୍ମାଣ କରି ବାହାରେ ସଦାପ୍ରଭୁଙ୍କ ଗୃହର ଦ୍ୱାର ନିକଟରେ ରଖିଲେ।

9ଆଉ, ପରମେଶ୍ୱରଙ୍କ ସେବକ ମୋଶା ପ୍ରାନ୍ତରରେ ଇସ୍ରାଏଲ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଯିହୁଦା ଓ ଯିରୂଶାଲମରେ ଘୋଷଣା କରାଇଲେ।

10ଏଥିରେ ଅଧିପତି ସମସ୍ତେ ଓ ସମଗ୍ର ଲୋକ ଆନନ୍ଦ କଲେ ଓ ସେମାନେ ସମାପ୍ତ ନ କରିବା ପର୍ଯ୍ୟନ୍ତ ଆଣି ସିନ୍ଦୁକରେ ପକାଇଲେ।

11ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ୱ ସ୍ଥାନରେ ରଖିଲେ। ଏହିରୂପେ ସେମାନେ ପ୍ରତିଦିନ କଲେ ଓ ପ୍ରଚୁର ମୁଦ୍ରା ସଂଗ୍ରହ କଲେ।

12ଆଉ, ରାଜା ଓ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ସେବାକର୍ମକାରୀମାନଙ୍କୁ ତାହା ଦେଲେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଗୃହର ମରାମତି ନିମନ୍ତେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ, ମଧ୍ୟ ସଦାପ୍ରଭୁଙ୍କ ଗୃହ ଦୃଢ଼ କରିବା ନିମନ୍ତେ ଲୌହ ଓ ପିତ୍ତଳ କର୍ମକାରୀମାନଙ୍କୁ ବେତନ ଦେଇ ନିଯୁକ୍ତ କଲେ।

13ଏହିରୂପେ କର୍ମକାରୀମାନେ କାର୍ଯ୍ୟ କଲେ ଓ ସେମାନଙ୍କ ଦ୍ୱାରା କାର୍ଯ୍ୟ ସିଦ୍ଧ ହେଲା, ଆଉ ସେମାନେ ପରମେଶ୍ୱରଙ୍କ ଗୃହ ପୂର୍ବାବସ୍ଥାରେ ସ୍ଥାପନ କରି ତାହା ଦୃଢ଼ କଲେ।

14ପୁଣି, ସେମାନେ କାର୍ଯ୍ୟ ସମାପ୍ତ କରନ୍ତେ, ରାଜାଙ୍କର ଓ ଯିହୋୟାଦାର ସମ୍ମୁଖକୁ ଅବଶିଷ୍ଟ ମୁଦ୍ରା ଆଣିଲେ, ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ନାନା ପାତ୍ର, ଅର୍ଥାତ୍‍, ପରିଚର୍ଯ୍ୟାର୍ଥକ ଓ ବଳିଦାନାର୍ଥକ ପାତ୍ର, ପୁଣି ଚାମଚ ଓ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ନିର୍ମାଣ କରାଗଲା। ଆଉ, ସେମାନେ ଯିହୋୟାଦାର ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ନିତ୍ୟ ହୋମବଳି ଉତ୍ସର୍ଗ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର