Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଗାଲିଲୀରେ

ପାଖାପାଖି ସୁସମାଚାର · ଗାଲିଲୀରେ

ଚିହ୍ନ ଦାବି; ଫାରୂଶୀମାନଙ୍କ ଖମୀର

ମାଥି 16:1–12 · ମାର୍କ 8:11–21

ମାଥିଉ

ମାଥି 16:1–12

1ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।

2କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ‘ଭଲ ପାଗ ହେବ, କାରଣ ଆକାଶ ଲାଲ୍ ହୋଇଅଛି।’

3ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?

4ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ।

5ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି।

6ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”

7ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି।

8କିନ୍ତୁ ଯୀଶୁ ତାହା ଜାଣି କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?

9ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,

10କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?

11ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ।”

12ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ।

ମାର୍କ

ମାର୍କ 8:11–21

11ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।

12ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।”

13ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକୁ ବାହାରିଗଲେ।

14ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା।

15ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”

16ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି।

17ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?

18ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?

19ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।

20“ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ।

21ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର