57ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ।
58କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ।
59ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ,
60ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ,
61ଏହି ଲୋକଟା କହିଥିଲା, ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ।
62ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
63କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ?
64ଯୀଶୁ ତାହାଙ୍କୁ କହିଲେ, “ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
65ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ବର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ଆବଶ୍ୟକ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ବର ନିନ୍ଦା ଶୁଣିଲେ,
66ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ।
67ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,
68ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା?