47ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ୍ଗ ଓ ଯଷ୍ଟି ଧରି ଆସିଲେ।
48ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ।
49ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା।
50କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର।” ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
51ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
52ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭର ଖଡ୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ୍ଗ ଦ୍ୱାରା ବିନଷ୍ଟ ହେବେ।
53ଅଥବା ତୁମ୍ଭେ କଅଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ?
54ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ?”
55ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ;
56ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି।” ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।