Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ସନ୍‍ହେରୀବ ଯିରୂଶାଲମକୁ ଧମକ ଦିଏ

ଦ୍ଵି.ରା 18:13–37; 19:1–37 · ଦ୍ଵି.ବଂ 32:1–23 · ଯିଶା 36:1–22; 37:1–38

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 18:13–37; 19:1–37

18:13ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚଉଦ ବର୍ଷରେ ଅଶୂରର ରାଜା ସନ୍‍ହେରୀବ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା।

18:14ଏଥିରେ ଯିହୁଦାର ରାଜା ହିଜକୀୟ ଲାଖୀଶ୍‍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇ କହିଲେ, “ମୁଁ ଅପରାଧ କଲି; ମୋʼ ନିକଟରୁ ଫେରି ଯାଉନ୍ତୁ; ଆପଣ ମୋʼ ଉପରେ ଯେଉଁ ଭାର ଥୋଇବେ, ତାହା ମୁଁ ବହିବି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକୀୟଙ୍କ ଉପରେ ତିନି ଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା।

18:15ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ।

18:16ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।

18:17ଏଥିଉତ୍ତାରେ ଅଶୂରର ରାଜା ଲାଖୀଶ୍‍ଠାରୁ ତର୍ତ୍ତାନ ଓ ରବ୍‍ସାରୀସ୍‍ ଓ ରବ୍‍ଶାକିକୁ ମହାସୈନ୍ୟ ସହିତ ଯିରୂଶାଲମକୁ ହିଜକୀୟ ରାଜାଙ୍କ ନିକଟକୁ ପଠାଇଲା। ତହୁଁ ସେମାନେ ଯାତ୍ରା କରି ଯିରୂଶାଲମକୁ ଆସିଲେ। ଆଉ ସେଠାରେ ଉପସ୍ଥିତ ହୁଅନ୍ତେ, ସେମାନେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।

18:18ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ।

18:19ତହିଁରେ ରବ୍‍ଶାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ “ହିଜକୀୟଙ୍କୁ କୁହ, ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ‘ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ?

18:20ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?

18:21ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।

18:22ମାତ୍ର ଯେବେ ତୁମ୍ଭେମାନେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଯିରୂଶାଲମରେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି?’

18:23ଏବେ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯେବେ ତୁମ୍ଭେ ପାର, ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।

18:24ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ଫେରାଇ ଦେଇ ପାରିବ? କିପରି ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରୁଅଛ?

18:25ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”

18:26ଏଥିରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ଓ ଶିବ୍‍ନ ଓ ଯୋୟାହ ରବ୍‍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କହନ୍ତୁ।”

18:27ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”

18:28ତହୁଁ ରବ୍‍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ।

18:29ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ନ ଦିଅ; କାରଣ ସେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।

18:30କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକୀୟ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ନ ଜନ୍ମାଉ।

18:31ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର।

18:32ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶ, ଆଉ ତୈଳଜୀତ ଓ ମଧୁମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ତୁମ୍ଭମାନଙ୍କୁ ମଣାଇଲେ, ତାହାର କଥା ତୁମ୍ଭେମାନେ ଶୁଣ ନାହିଁ।

18:33ନାନା ଗୋଷ୍ଠୀୟମାନଙ୍କ ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?

18:34ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଓ ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି?

18:35ନାନା ଗୋଷ୍ଠୀୟ ସମସ୍ତ ଦେବତା ମଧ୍ୟରେ କିଏ ଆପଣା ଦେଶକୁ ମୋʼ ହସ୍ତରୁ ଉଦ୍ଧାର କରିଅଛି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’”

18:36ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ଗୋଟିଏ କଥା ଉତ୍ତର କଲେ ନାହିଁ। କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାଙ୍କର ଆଜ୍ଞା ଥିଲା।

18:37ଏଥିଉତ୍ତାରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟଙ୍କ ନିକଟକୁ ଆସି ରବ୍‍ଶାକିର କଥାସବୁ ତାଙ୍କୁ ଜଣାଇଲେ।

19:1ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ସଦାପ୍ରଭୁଙ୍କ ଗୃହକୁ ଗଲେ।

19:2ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ ଓ ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କ ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲେ।

19:3ତହିଁରେ ସେମାନେ ଯିଶାଇୟଙ୍କୁ କହିଲେ, “ହିଜକୀୟ କହନ୍ତି, ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ବାଳକଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

19:4ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।”

19:5ଏହିରୂପେ ହିଜକୀୟ ରାଜାଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।

19:6ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ କହିବ; ସଦାପ୍ରଭୁ ଏହା କହନ୍ତି, ‘ଅଶୂରୀୟ ରାଜାର ଦାସମାନେ ଆମ୍ଭକୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।

19:7ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ। ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’”

19:8ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍‍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍‍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍‍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।

19:9ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା, “ଦେଖ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।” ତହୁଁ ସେ ହିଜକୀୟଙ୍କ ନିକଟକୁ ପୁନର୍ବାର ଦୂତମାନଙ୍କୁ ପଠାଇ କହିଲା,

19:10“ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟଙ୍କୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।

19:11ଦେଖ, ଅଶୂରୀୟ ରାଜାମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ତେବେ ତୁମ୍ଭେ କʼଣ ଉଦ୍ଧାର ପାଇବ?

19:12ଆମ୍ଭ ପିତୃଲୋକମାନେ ଯେଉଁ ଗୋଶନ ଓ ହାରଣ ଓ ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ?

19:13ହମାତର ରାଜା ଓ ଅର୍ପଦର ରାଜା ଓ ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି?’”

19:14ତହିଁରେ ହିଜକୀୟ ଦୂତମାନଙ୍କଠାରୁ ପତ୍ର ଗ୍ରହଣ କରି ତାହା ପାଠ କଲେ। ଆଉ ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଖୋଲିଲେ।

19:15ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

19:16ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେର ଓ ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଅ ଓ ଦେଖ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍‍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ।

19:17ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି,

19:18ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନ ଥିଲେ, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ।

19:19ଏଣୁ ଏବେ, ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”

19:20ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍‍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ।

19:21ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି: ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି, ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।

19:22ତୁମ୍ଭେ କାହାକୁ ତିରସ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ!

19:23ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।

19:24ଆମ୍ଭେ ଖୋଳି ଅଜ୍ଞାତ ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ସବୁ ନଦୀ ଶୁଷ୍କ କରିବା।

19:25ଏହା କʼଣ ତୁମ୍ଭେ ଶୁଣି ନାହଁ, କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ, ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ? ଏହା ଏବେ ଆମ୍ଭେ ସଫଳ କରିଅଛୁ। ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି, ସେସବୁକୁ ଢିପି କରିବ।

19:26ଏହେତୁ ତନ୍ନିବାସୀଗଣ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଲଜ୍ଜିତ ହେଲେ; ସେମାନେ କ୍ଷେତ୍ରର ଶାକ ଓ ନବୀନ ତୃଣ, ଗୃହ-ଛାତ ଉପରିସ୍ଥ ଘାସ, ଓ ଅପକ୍ୱ ଅବସ୍ଥାରେ ଶୁଷ୍କ ଶସ୍ୟ ତୁଲ୍ୟ ହେଲେ।

19:27ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ।

19:28ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ, ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏହେତୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ, ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।

19:29ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ, ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଜନ କର।

19:30ପୁଣି ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।

19:31କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକ, ଓ ସିୟୋନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନେ ବାହାରିବେ। ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସିଦ୍ଧ କରିବ।

19:32ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି: ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ। କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।

19:33ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ, ଓ ସେ ଏହି ନଗରକୁ ଆସିବ ନାହିଁ।

19:34କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।”

19:35ଏଥିଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ହଜାର ଲୋକ ସଂହାର କଲେ; ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସେସମସ୍ତେ ମୃତ ଶବ ହୋଇଅଛନ୍ତି।

19:36ତହିଁରେ ଅଶୂରର ରାଜା ସନ୍‍ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।

19:37ଏଥିଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ତାହାର ଦୁଇ ପୁତ୍ର ଅଦ୍ରମ୍ମେଲକ୍‍ ଓ ଶରେତ୍ସର ତାହାକୁ ଖଡ୍ଗରେ ବଧ କଲେ; ତହୁଁ ସେମାନେ ଆରାରାଟ୍‍ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସର୍‍ହଦ୍ଦୋନ୍‍ ତାହାର ପଦରେ ରାଜ୍ୟ କଲା।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 32:1–23

1ଏହି ସକଳ ଘଟଣା ଓ ଏହି ବିଶ୍ୱସ୍ତତାର କର୍ମ ଉତ୍ତାରେ ଅଶୂରର ରାଜା ସନ୍‍ହେରୀବ ଆସି ଯିହୁଦାରେ ପ୍ରବେଶ କଲା ଓ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହାସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା।

2ପୁଣି, ସନ୍‍ହେରୀବ ଆସିଅଛି ଓ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି, ହିଜକୀୟ ଏହା ଦେଖନ୍ତେ,

3ସେ ନଗରର ବହିଃସ୍ଥିତ ନିର୍ଝରସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ; ଆଉ, ସେମାନେ ତାଙ୍କର ସାହାଯ୍ୟ କଲେ।

4“ଏଣୁ ଅଶୂର-ରାଜାଗଣ ଆସି କାହିଁକି ଅନେକ ଜଳ ପାଇବେ?” ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶମଧ୍ୟବାହୀ ସ୍ରୋତ ବନ୍ଦ କଲେ।

5ପୁଣି, ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିଃସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦ-ନଗରସ୍ଥ ମିଲ୍ଲୋ ଦୃଢ଼ କଲେ, ଆଉ ପ୍ରଚୁର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ।

6ଆଉ, ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର-ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତ ପ୍ରବୋଧକ ବାକ୍ୟ କହିଲେ,

7“ବଳବାନ ଓ ସାହସିକ ହୁଅ, ଅଶୂରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ହୁଅ ନାହିଁ; କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ;

8ମାଂସର ବାହୁ ତାହାର ସହାୟ; ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି।” ଏଥିରେ ଲୋକମାନେ ଯିହୁଦା-ରାଜା ହିଜକୀୟଙ୍କ ବାକ୍ୟରେ ନିର୍ଭର ରଖିଲେ।

9ଏଥିଉତ୍ତାରେ ଅଶୂରର ରାଜା ସନ୍‍ହେରୀବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖୀଶ୍‍ ନଗର ସମ୍ମୁଖରେ ଥିବା ବେଳେ ସେ ଯିରୂଶାଲମକୁ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ଓ ଯିରୂଶାଲମରେ ଉପସ୍ଥିତ ସମଗ୍ର ଯିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା,

10“ଅଶୂରର ରାଜା ସନ୍‍ହେରୀବ ଏହି କଥା କହନ୍ତି, ତୁମ୍ଭେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଯିରୂଶାଲମରେ ରହୁଅଛ?

11ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅଶୂର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମ୍ଭମାନଙ୍କୁ ସମର୍ପି ଦେବାକୁ କʼଣ ହିଜକୀୟ ମଣାଉ ନାହାନ୍ତି?

12ଏହି ହିଜକୀୟ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରି ଯିହୁଦା ଓ ଯିରୂଶାଲମକୁ ଆଜ୍ଞା କରି କି କହି ନାହାନ୍ତି, ତୁମ୍ଭେମାନେ ଏକ ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜ୍ୱଳାଇବ?

13ମୁଁ ଓ ମୋʼ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେହି ସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରି ପାରିଲେ?

14ମୋʼ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଃଶେଷରେ ବିନାଶ କଲେ, ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିଅଛି ଯେ, ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?

15ଏହେତୁ ହିଜକୀୟ ତୁମ୍ଭମାନଙ୍କୁ ନ ଭୁଲାଉ, କି ଏରୂପ ନ ମଣାଉ, କିଅବା ତୁମ୍ଭେମାନେ ତାହାକୁ ବିଶ୍ୱାସ କର ନାହିଁ; କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଓ ମୋʼ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରିପାରି ନାହିଁ; ତେବେ ତୁମ୍ଭମାନଙ୍କ ପରମେଶ୍ୱର କି ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?”

16ପୁଣି, ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ।

17ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, “ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବେ ନାହିଁ।”

18ଆଉ, ଯିରୂଶାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ, ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଡାକି କହିଲେ।

19ଆଉ, ପୃଥିବୀସ୍ଥ ନାନା ଗୋଷ୍ଠୀୟମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଯିରୂଶାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ।

20ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।

21ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ।

22ଏହିରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ ଅଶୂରର ରାଜା ସନ୍‍ହେରୀବ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ।

23ତହିଁରେ ଅନେକେ ଯିରୂଶାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ; ତହୁଁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ।

ଯିଶାଇୟ

ଯିଶା 36:1–22; 37:1–38

36:1ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଦ୍ଦଶ ବର୍ଷରେ ଅଶୂରର ରାଜା ସନ୍‍ହେରୀବ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସବୁର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା।

36:2ତହିଁରେ ଅଶୂରର ରାଜା ରବ୍‍ଶାକିକୁ ମହାସୈନ୍ୟ ସହିତ ଲାଖୀଶ୍‍ଠାରୁ ଯିରୂଶାଲମକୁ ହିଜକୀୟ ରାଜା ନିକଟକୁ ପଠାଇଲା। ଆଉ, ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା।

36:3ତେବେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ତାହା ନିକଟକୁ ଆସିଲେ।

36:4ତହିଁରେ ରବ୍‍ଶାକି ସେମାନଙ୍କୁ କହିଲା, “ଏବେ ତୁମ୍ଭେମାନେ ହିଜକୀୟକୁ କୁହ, ‘ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ?

36:5ମୁଁ କହୁଅଛି, ଯୁଦ୍ଧ କରିବା ପାଇଁ ତୁମ୍ଭର ମନ୍ତ୍ରଣା ଓ ବଳ କେବଳ ବୃଥା କଥା; ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?

36:6ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।

36:7ମାତ୍ର ଯଦି ତୁମ୍ଭେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯାହାଙ୍କ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କʼଣ ସେହି ନୁହନ୍ତି?

36:8ଏହେତୁ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।

36:9ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ବିମୁଖ କରି ପାରିବ, ଆଉ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରିବ?

36:10ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।’”

36:11ଏଥିରେ ଇଲିୟାକୀମ୍‍, ଶିବ୍‍ନ ଓ ଯୋୟାହ ରବ୍‍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କୁହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ; ପୁଣି, ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କୁହନ୍ତୁ।”

36:12ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏହିସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”

36:13ତହୁଁ ରବ୍‍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ।

36:14ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ଦିଅ ନାହିଁ; କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରି ପାରିବ ନାହିଁ;

36:15କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ହିଜକୀୟ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ନ କରାଉ।

36:16ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ କତିକି ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର;

36:17ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି।

36:18ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?

36:19ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଦେବତାମାନେ କାହାନ୍ତି? ଓ ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି?

36:20ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତାମାନେ ମୋʼ ହସ୍ତରୁ ଆପଣାମାନଙ୍କର ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’”

36:21ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ତାହାକୁ ପଦେ ମାତ୍ର ଉତ୍ତର କଲେ ନାହିଁ; କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାର ଆଜ୍ଞା ଥିଲା।

36:22ତହିଁରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବ୍‍ଶାକିର କଥାସବୁ ତାହାକୁ ଜଣାଇଲେ।

37:1ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ଗୃହକୁ ଗଲା।

37:2ପୁଣି, ସେ ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ, ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲା।

37:3ତହିଁରେ ସେମାନେ ତାଙ୍କୁ କହିଲେ, “ହିଜକୀୟ ଏହିପରି କହିଅଛନ୍ତି, ‘ଆଜି ଦିନ ଆପଦ, ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

37:4ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’”

37:5ଏହିରୂପେ ହିଜକୀୟ ରାଜାର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।

37:6ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ ଏହିପରି କହିବ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଦାସମାନେ ଆମ୍ଭଙ୍କୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।

37:7ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ; ଆଉ, ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’”

37:8ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍‍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍‍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍‍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।

37:9ପୁଣି, ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା ଯେ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି; ଏହା ଶୁଣି ସେ ହିଜକୀୟ ନିକଟକୁ ଦୂତଗଣ ପଠାଇ କହିଲା,

37:10“ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟକୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।

37:11ଦେଖ, ଅଶୂରୀୟ ରାଜାମାନେ ନିଃଶେଷ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ଆଉ, ତୁମ୍ଭେ କʼଣ ଉଦ୍ଧାର ପାଇବ?

37:12ମୋʼ ପିତୃଲୋକମାନେ ଯେଉଁ ଗୋଶନ, ହାରଣ, ରେତ୍ସଫ ଦେଶୀୟମାନଙ୍କୁ ଓ ତଳଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ?

37:13ହମାତର ରାଜା, ଅର୍ପଦର ରାଜା, ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି?’”

37:14ତହିଁରେ ହିଜକୀୟ ଦୂତଗଣର ହସ୍ତରୁ ପତ୍ର ଗ୍ରହଣ କରି ତାହା ପାଠ କଲା; ଆଉ, ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ମେଲାଇଲା।

37:15ଆଉ, ହିଜକୀୟ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,

37:16“ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

37:17ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେରି ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଇ ଦେଖ; ପୁଣି, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍‍ହେରୀବ ଯାହା କହି ପଠାଇଅଛି, ତାହାର ସେହି ସବୁ କଥା ଶୁଣ।

37:18ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ, ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି

37:19ଓ ସେମାନଙ୍କର ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନୁହନ୍ତି, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେମାନେ ସେମାନଙ୍କୁ ବିନାଶ କରିଅଛନ୍ତି।

37:20ଏଣୁ ଏବେ, ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”

37:21ଏଉତ୍ତାରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକୀୟ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍‍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କରିବାରୁ,

37:22ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।

37:23ତୁମ୍ଭେ କାହାକୁ ଧିକ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ତ।

37:24ତୁମ୍ଭେ ଆପଣା ଦାସଗଣ ଦ୍ୱାରା ପ୍ରଭୁଙ୍କୁ ଧିକ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ: ଆଉ, ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି, ଆମ୍ଭେ ତାହାର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।

37:25ଆମ୍ଭେ ଖୋଳି ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ନଦୀସବୁ ଶୁଷ୍କ କରିବା।

37:26କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ, ଏହା କʼଣ ତୁମ୍ଭେ ଶୁଣି ନାହଁ? ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି ସେହି ସବୁକୁ ଢିପି କରିବ, ଏହା ଏବେ ଆମ୍ଭେ ସଫଳ କରିଅଛୁ।

37:27ଏହେତୁ ତନ୍ନିବାସୀମାନେ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଉଦ୍‍ବିଗ୍ନ ହେଲେ; ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ, ଗୃହଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।

37:28ତୁମ୍ଭର ବସିବାର, ବାହାରେ ଯିବାର, ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ।

37:29ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏଥିପାଇଁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।

37:30ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ; ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ; ପୁଣି, ତୃତୀୟ ବର୍ଷ ବୀଜ ବୁଣି ଶସ୍ୟ କାଟିବ ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଗ କରିବ।

37:31ପୁଣି, ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।

37:32କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକେ ଓ ରକ୍ଷାପ୍ରାପ୍ତ ଲୋକେ ସିୟୋନ ପର୍ବତରୁ ବାହାରିବେ; ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍‍ଯୋଗ ଏହା ସିଦ୍ଧ କରିବ।

37:33ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି, ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ, କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।

37:34ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ ଓ ସେ ଏହି ନଗରକୁ ଆସିବ ନାହିଁ।

37:35କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା।”

37:36ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ସହସ୍ର ଲୋକ ସଂହାର କଲେ; ପୁଣି, ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସମସ୍ତେ ମୃତ ଶବ।

37:37ତହିଁରେ ଅଶୂରର ରାଜା ସନ୍‍ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।

37:38ଏଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ଅଦ୍ରମ୍ମେଲକ୍‍ ଓ ଶରେତ୍ସର ନାମକ ତାହାର ଦୁଇ ପୁତ୍ର ତାହାକୁ ଖଡ୍ଗରେ ବଧ କଲେ। ତହୁଁ ସେମାନେ ଆରାରାଟ୍‍ ଦେଶକୁ ପଳାୟନ କଲେ। ପୁଣି, ତାହାର ପୁତ୍ର ଏସର୍‍ହଦ୍ଦୋନ୍‍ ତାହାର ପଦରେ ରାଜ୍ୟ କଲା।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର