Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ହିଜକୀୟଙ୍କ ପୀଡ଼ା

ଦ୍ଵି.ରା 20:1–11 · ଦ୍ଵି.ବଂ 32:24–26 · ଯିଶା 38:1–8

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 20:1–11

1ସେହି ସମୟରେ ହିଜକୀୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”

2ଏଥିରେ ସେ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ,

3“ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ।

4ଏଥିଉତ୍ତାରେ ଯିଶାଇୟ ନଗରର ମଧ୍ୟଭାଗକୁ ବାହାରି ଯିବା ପୂର୍ବେ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା,

5ଯଥା, “ଫେରିଯାଅ ଓ ଆମ୍ଭ ଲୋକମାନଙ୍କ ଅଧିପତି ହିଜକୀୟକୁ କୁହ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ; ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବ।

6ଆଉ ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା; ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବା; ଆଉ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରର ସପକ୍ଷ ହେବା।”

7ତହୁଁ ଯିଶାଇୟ କହିଲେ, “ଏକ ଡିମ୍ବିରି ଚକ୍ତି ଆଣ।” ତହିଁରେ ସେମାନେ ତାହା ଆଣି ବଥ ଉପରେ ଥୋଇଲେ, ଆଉ ସେ ସୁସ୍ଥ ହେଲେ।

8ପୁଣି ହିଜକୀୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ସୁସ୍ଥ କରିବେ ଓ ମୁଁ ଯେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର କି ଚିହ୍ନ ହେବ।”

9ତହିଁରେ ଯିଶାଇୟ କହିଲେ, “ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ; ଛାୟା କି ଆଗକୁ ଦଶ ପାହୁଣ୍ଡ ଯିବ, ଅବା ପଛକୁ ଦଶ ପାହୁଣ୍ଡ ଯିବ।”

10ତହିଁରେ ହିଜକୀୟ ଉତ୍ତର କଲେ, “ଛାୟା ଆଗକୁ ଦଶ ପାହୁଣ୍ଡ ଯିବାର କ୍ଷୁଦ୍ର ବିଷୟ; ନା; ମାତ୍ର ଛାୟା ପଛକୁ ଦଶ ପାହୁଣ୍ଡ ଫେରିଯାଉ।”

11ତହୁଁ ଯିଶାଇୟ ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ। ଏଥିରେ ଆହସ୍‌ଙ୍କର ସୂର୍ଯ୍ୟ ଘଟିକାରେ ଛାୟା ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 32:24–26

24ସେହି ସମୟରେ ହିଜକୀୟଙ୍କୁ ସାଂଘାତିକ ପୀଡ଼ା ହୋଇଥିଲା; ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ।

25ମାତ୍ର ହିଜକୀୟ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ; କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା; ଏହେତୁ ତାଙ୍କ ଉପରେ, ପୁଣି ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।

26ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକୀୟ ଓ ଯିରୂଶାଲମ ନିବାସୀମାନେ ଆପଣାମାନଙ୍କୁ ନମ୍ର କଲେ, ତେଣୁ ହିଜକୀୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ।

ଯିଶାଇୟ

ଯିଶା 38:1–8

1ସେହି ସମୟରେ ହିଜକୀୟର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାହା ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”

2ଏଥିରେ ହିଜକୀୟ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,

3“ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ, ହିଜକୀୟ ଅତିଶୟ ରୋଦନ କଲା।

4ସେତେବେଳେ ଯିଶାଇୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।

5“ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।

6ପୁଣି, ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବା ଓ ଆମ୍ଭେ ଏହି ନଗରର ସପକ୍ଷ ହେବା।’”

7ଆଉ, ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ;

8ଦେଖ, ଆମ୍ଭେ ଆହସ୍‌ର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହା ଦଶ ପାହୁଣ୍ଡ ପଛକୁ ଫେରାଇ ଆଣିବା। ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ପଛକୁ ସେତିକି ଫେରି ଆସିଲା।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର