1ଯୀଶୁ ଏହି ସମସ୍ତ କଥା ସମାପ୍ତ କରିବା ପରେ ଗାଲିଲୀରୁ ଚାଲିଯାଇ ଯର୍ଦ୍ଦନ ନଦୀର ଆରପାରରେ ଥିବା ଯିହୂଦିୟା ପ୍ରଦେଶ ସୀମାରେ ଉପସ୍ଥିତ ହେଲେ।
2ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ।
3ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ?
4ସେ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ,”
5ଆଉ କହିଲେ, “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ?”
6“ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ।”
7ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ?
8ଯୀଶୁ ସେମାନଙ୍କୁ କହିଲେ, “କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା।”
9“ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ।”
10ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ।
11କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସମସ୍ତେ ଏହି କଥା ଗ୍ରହଣ କରିପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରିପାରନ୍ତି।
12କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି। ଯେଉଁ ଲୋକ ଗ୍ରହଣ କରିପାରେ, ସେ ଗ୍ରହଣ କରୁ।”