Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଶିକ୍ଷା

ପାଖାପାଖି ସୁସମାଚାର · ଶିକ୍ଷା

ବିବାହ ଭୋଜି

ମାଥି 22:1–14 · ଲୂକ 14:15–24

ମାଥିଉ

ମାଥି 22:1–14

1ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ,

2“ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ,

3ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ।

4ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’

5କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,

6ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ।

7କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍‍ କଲେ।

8ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ।

9ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର।

10ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା।

11କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ-ବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ,

12ହେ ବନ୍ଧୁ, ତୁମ୍ଭେ ବିବାହ-ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା।

13ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।

14କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ।’”

ଲୂକ

ଲୂକ 14:15–24

15ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ବରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ।

16କିନ୍ତୁ ସେ ତାହାଙ୍କୁ କହିଲେ, “ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;

17ଆଉ, ଭୋଜନର ସମୟ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ‘ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି।’

18କିନ୍ତୁ ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣ ତାହାକୁ କହିଲେ, ‘ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର।’

19ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର।

20ଅନ୍ୟ ଜଣେ କହିଲା, ‘ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ।’

21ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, ‘ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ନେଇଆସ।’

22ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି।

23ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ‘ରାଜଦାଣ୍ଡ ଓ ବାଡ଼ ଆଡ଼କୁ ଯାଇ ଲୋକମାନଙ୍କୁ ଆସିବା ପାଇଁ କୁହ, ଯେପରି ମୋହର ଗୃହ ପୂର୍ଣ୍ଣ ହୁଏ।’

24ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋହର ଭୋଜର ଆସ୍ୱାଦ ପାଇବ ନାହିଁ।”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର