36କିନ୍ତୁ ସେମାନେ ଏହିସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ, ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।”
37ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ।
38ସେଥିରେ ସେ ସେମାନଙ୍କୁ କହିଲେ, “କାହିଁକି ଉଦ୍ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି?
39ଏ ଯେ ସ୍ୱୟଂ ମୁଁ, ମୋହର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ।”
40[ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।]
41ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି?”
42ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ।
43ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ।
44ପୁଣି, ସେ ସେମାନଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖାଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।”
45ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ;
46ଆଉ ସେମାନଙ୍କୁ କହିଲେ, “ଏହି ପ୍ରକାରେ ଲେଖାଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ,
47ପୁଣି, ଯିରୂଶାଲମ ସହରରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ।
48ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ
49ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ।”