Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 29

ଅର୍ଥୋଡକ୍ସ ପଞ୍ଜିକା · 16 ଅପ୍ରେଲ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 29 ଅପ୍ରେଲ 2027

ଗୁରୁବାର · ପବିତ୍ର ସପ୍ତାହ

ପର୍ବ ଓ ସନ୍ଥ

ମହାନ ଓ ପବିତ୍ର ଗୁରୁବାର

ମହା ଉପବାସ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସୁସମାଚାର (ବରଙ୍କ ପ୍ରଭାତୀ ପ୍ରାର୍ଥନା)

ଲୂକ 22:1–39

1ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା। 2ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। 3ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା; 4ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା। 5ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ। 6ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା। 7ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା; 8ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।” 9ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 10ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ, 11‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’ 12ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।” 13ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 14ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। 15ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। 16କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।” 17ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର, 18କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।” 19ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 20ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। 21କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି। 22କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!” 23ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ। 24ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା। 25ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି। 26କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ। 27କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। 28ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ; 29ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି, 30ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।” 31“ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି; 32କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।” 33ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି। 34କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।” 35ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ। 36ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ। 37କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।” 38ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।” 39ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।

ପ୍ରଥମ ଘଣ୍ଟା

ଯିରି 11:18–12:5, 9–11, 14–15

18ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ ଜ୍ଞାନ ଦିଅନ୍ତେ, ମୁଁ ତାହା ଜାଣିଲି; ସେସମୟରେ ତୁମ୍ଭେ ମୋତେ ସେମାନଙ୍କର କ୍ରିୟା ଦେଖାଇଲ। 19ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; “ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ,” ଏହି କଥା କହି ସେମାନେ ଯେ ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି। 20ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ନ୍ୟାୟରେ ବିଚାର କରୁଥାଅ, ତୁମ୍ଭେ ମର୍ମ ଓ ଚିତ୍ତର ପରୀକ୍ଷା କରୁଥାଅ, ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ଦାନ ମୋତେ ଦେଖିବାକୁ ଦିଅ; କାରଣ ମୁଁ ତୁମ୍ଭ ନିକଟରେ ଆପଣା ଗୁହାରି ପ୍ରକାଶ କରିଅଛି। 21ଏହେତୁ “ଅନାଥୋତ୍‍ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ତୁମ୍ଭର ପ୍ରାଣ ଅନ୍ୱେଷଣ କରି କହନ୍ତି, ତୁମ୍ଭେ ଯେପରି ଆମ୍ଭମାନଙ୍କ ହସ୍ତରେ ହତ ନ ହୁଅ, ଏଥିପାଇଁ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ; 22ଏନିମନ୍ତେ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା; ଯୁବାଗଣ ଖଡ୍ଗରେ ମରିବେ; ସେମାନଙ୍କର ପୁତ୍ର ଓ କନ୍ୟାଗଣ ଦୁର୍ଭିକ୍ଷରେ ମରିବେ; 23ସେମାନଙ୍କର ଅବଶିଷ୍ଟ କେହି ରହିବେ ନାହିଁ; କାରଣ ଆମ୍ଭେ ଅନାଥୋତ୍‍ ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କର ପ୍ରତିଫଳ ପ୍ରାପ୍ତିର ବର୍ଷ ଆଣିବା।” 12:1ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ; ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି; ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥାʼନ୍ତି? 2ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନେ ବଦ୍ଧମୂଳ ହୋଇଅଛନ୍ତି; ସେମାନେ ବଢ଼ନ୍ତି, ହଁ, ସେମାନେ ଫଳ ଫଳନ୍ତି; ତୁମ୍ଭେ ସେମାନଙ୍କ ମୁଖର ନିକଟରେ ଓ ସେମାନଙ୍କ ଅନ୍ତଃକରଣରୁ ଦୂରରେ ଅଛ। 3ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ; ତୁମ୍ଭେ ମୋତେ ଦେଖୁଅଛ ଓ ତୁମ୍ଭ ପ୍ରତି ମୋର ମନ କିପରି, ତାହା ପରୀକ୍ଷା କରୁଅଛ; ତୁମ୍ଭେ ସେମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ଆଣ ଓ ହତ୍ୟା ଦିନର ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖ। 4କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ? ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି; କାରଣ ଲୋକମାନେ କହିଲେ, “ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।” 5“ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି, ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ? ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ, ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ? 9ଆମ୍ଭର ଅଧିକାର ଆମ୍ଭ ପ୍ରତି କି ଚିତ୍ରିତ ଶିକାରୀ ପକ୍ଷୀ ତୁଲ୍ୟ ଅଟେ, ଶିକାରୀ ପକ୍ଷୀମାନେ ତାହାର ବିରୁଦ୍ଧରେ ଚାରିଆଡ଼େ ଘେରିଅଛନ୍ତି? ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ। 10ଅନେକ ପଲରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି, ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି, ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସିତ ପ୍ରାନ୍ତର କରିଅଛନ୍ତି। 11ସେମାନେ ତାହା ଧ୍ୱଂସସ୍ଥାନ କରିଅଛନ୍ତି; ତାହା ଧ୍ୱଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି; କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ୱଂସିତ ହେଉଅଛି। 14ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ଯେଉଁ ଅଧିକାର ଭୋଗ କରିବାକୁ ଦେଇଅଛୁ, ତାହା ସ୍ପର୍ଶକାରୀ ଆମ୍ଭର ଦୁଷ୍ଟ ପ୍ରତିବାସୀସକଳର ବିରୁଦ୍ଧରେ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କରିବା ଓ ସେମାନଙ୍କ ମଧ୍ୟରୁ ଯିହୁଦା-ବଂଶକୁ ଉତ୍ପାଟନ କରିବା। 15ପୁଣି, ସେମାନଙ୍କୁ ଉତ୍ପାଟନ କଲା ଉତ୍ତାରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା ଓ ଆମ୍ଭେ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଭୂମିକୁ ପୁନର୍ବାର ଆଣିବା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 19:10–19

10ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର, ପୁଣି, ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ 11ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ। 12ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ‘ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ।’ 13କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ବା ବାଣ ଦ୍ୱାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ୱନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ।” 14ଏଥିଉତ୍ତାରେ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି, ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ। 15ତହୁଁ ସେ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ପୁଣି ଆପଣା ଆପଣା ଭାର୍ଯ୍ୟା ସହ ଶୟନ କର ନାହିଁ।” 16ଏଥିଉତ୍ତାରେ ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚସ୍ୱରରେ ତୂରୀଧ୍ୱନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ୱିତ ହେଲେ। 17ତହୁଁ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଠିଆ ହେଲେ। 18ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟିର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି, ସମୁଦାୟ ପର୍ବତ ଅତିଶୟ କମ୍ପିଲା। 19ପୁଣି, ତୂରୀ ଶବ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ, ମୋଶା କଥା କହିଲେ, ତହିଁରେ ପରମେଶ୍ୱର ଏକ ରବ ଦ୍ୱାରା ତାଙ୍କୁ ଉତ୍ତର ଦେଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆୟୁବ 38:1–23; 42:1–5

1ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, 2“ଏ କିଏ ଯେ, ଜ୍ଞାନରହିତ କଥା ଦ୍ୱାରା ମନ୍ତ୍ରଣାକୁ ଅନ୍ଧକାରମୟ କରୁଅଛି? 3ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ। 4ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ, ବୁଝାଇ ଦିଅ। 5ତୁମ୍ଭେ କି ଜାଣ, କିଏ ତହିଁର ପରିମାଣ ନିରୂପଣ କଲା? ଅବା କିଏ ତହିଁ ଉପରେ ପରିମାପକ ରଜ୍ଜୁ ପ୍ରସାରିଲା? 6କାହା ଉପରେ ତହିଁର ଭିତ୍ତିମୂଳ ଦୃଢ଼ୀକୃତ ହେଲା? ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିବା ବେଳେ 7ଓ ପରମେଶ୍ୱରଙ୍କ ଦୂତଗଣ ଆନନ୍ଦରେ ଜୟଧ୍ୱନି କରିବା ବେଳେ କିଏ ତହିଁର କୋଣ-ପ୍ରସ୍ତର ବସାଇଲା? 8ଅବା ଯେତେବେଳେ ଗର୍ଭରୁ ନିର୍ଗତ ହେବା ତୁଲ୍ୟ ସମୁଦ୍ର ବାହାରିଲା, ଯେତେବେଳେ ଆମ୍ଭେ ମେଘକୁ ତହିଁର ବସ୍ତ୍ର ସ୍ୱରୂପ 9ଓ ନିବିଡ଼ ଅନ୍ଧକାରକୁ ତହିଁର ଗୁଡ଼ାଇବା ବସ୍ତ୍ର ସ୍ୱରୂପ କଲୁ, 10ପୁଣି ତହିଁ ନିମନ୍ତେ ଆମ୍ଭେ ଆପଣା ବିଧି ନିରୂପଣ କରି ଅର୍ଗଳ ଓ କବାଟ ସ୍ଥାପନ କଲୁ, 11‘ତୁମ୍ଭେ ଏପର୍ଯ୍ୟନ୍ତ ଆସିବ, ମାତ୍ର ଆଉ ବଢ଼ିବ ନାହିଁ ଓ ଏହିଠାରେ ତୁମ୍ଭର ଗର୍ବିତ ତରଙ୍ଗ ନିବାରିତ ହେବ ବୋଲି କହିଲୁ; ସେତେବେଳେ କିଏ କବାଟ ଦେଇ ସମୁଦ୍ରକୁ ରୁଦ୍ଧ କଲା?’ 12ଯେପରି ପ୍ରଭାତ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅବଲମ୍ବନ କରିବ ଓ ଦୁଷ୍ଟମାନେ ପୃଥିବୀରୁ ଝଡ଼ି ପଡ଼ିବେ; 13ଏଥିପାଇଁ ତୁମ୍ଭେ କି ଆପଣା ଦିନର ଆରମ୍ଭଠାରୁ ପ୍ରଭାତକୁ ଆଜ୍ଞା ଦେଉଅଛ ଓ ଅରୁଣକୁ ତହିଁର ଉଦୟ ସ୍ଥାନ ଜଣାଇଅଛ? 14ମୋହରାଙ୍କିତ ମୃତ୍ତିକା ତୁଲ୍ୟ ତାହା ରୂପାନ୍ତରିତ ହୁଏ; ଓ ସକଳ ପଦାର୍ଥ ବସ୍ତ୍ର ତୁଲ୍ୟ ଦେଖାଯାଏ; 15ଦୁଷ୍ଟମାନଙ୍କଠାରୁ ସେମାନଙ୍କ ଦୀପ୍ତି ନିବାରିତ ହୁଏ ଓ ଉଚ୍ଚ ବାହୁ ଭଗ୍ନ ହୁଏ। 16ତୁମ୍ଭେ କି ସମୁଦ୍ରର ଝର ପର୍ଯ୍ୟନ୍ତ ପ୍ରବେଶ କରିଅଛ? ଅବା ତୁମ୍ଭେ କି ବାରିଧିର ଗୁପ୍ତସ୍ଥଳୀମାନଙ୍କରେ ଗତାୟାତ କରିଅଛ? 17ତୁମ୍ଭ ନିକଟରେ କି ମୃତ୍ୟୁର ଦ୍ୱାରସବୁ ପ୍ରକାଶିତ ହୋଇଅଛି? ଅବା ତୁମ୍ଭେ କି ମୃତ୍ୟୁଚ୍ଛାୟାର ଦ୍ୱାରସବୁ ଦେଖିଅଛ? 18ତୁମ୍ଭେ କି ପୃଥିବୀର ବିସ୍ତୃତି ବୁଝିଅଛ? ଏସବୁ ଯଦି ଜାଣ, ପ୍ରକାଶ କର। 19ଦୀପ୍ତିର ବାସସ୍ଥାନକୁ ପଥ କାହିଁ? ଓ ଅନ୍ଧକାରର ସ୍ଥାନ କେଉଁଠାରେ? 20ତୁମ୍ଭେ କି ତହିଁର ସୀମାକୁ ତାହାକୁ ନେଇପାର? ଓ ତହିଁର ଗୃହ-ପଥ କି ଚିହ୍ନିପାର? 21ସନ୍ଦେହ ନାହିଁ, ତୁମ୍ଭେ ଜାଣ, କାରଣ ସେତେବେଳେ ତୁମ୍ଭେ ଜନ୍ମ ହୋଇଥିଲ ଓ ତୁମ୍ଭ ଦିନର ସଂଖ୍ୟା ବହୁତ! 22ତୁମ୍ଭେ ହିମ ଭଣ୍ଡାରରେ ପ୍ରବେଶ କରିଅଛ? ଅବା ଆମ୍ଭେ ସଙ୍କଟ କାଳ ଓ ସଂଗ୍ରାମ ଓ ଯୁଦ୍ଧ ଦିନ ନିମନ୍ତେ ଯେଉଁ ଶିଳାବୃଷ୍ଟି ସଞ୍ଚୟ କରିଅଛୁ, 23ତହିଁର ଭଣ୍ଡାର କି ତୁମ୍ଭେ ଦେଖିଅଛ? 42:1ଏଥିଉତ୍ତାରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, 2“ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ। 3‘ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ?’ ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି। 4ବିନୟ କରୁଅଛି, ‘ଶୁଣ, ମୁଁ କଥା କହିବି; ମୁଁ ତୁମ୍ଭଙ୍କୁ ପ୍ରଶ୍ନ କରିବି, ଆଉ ତୁମ୍ଭେ ମୋତେ ବୁଝାଇ ଦିଅ।’ 5ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି,

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 50:4–11

4ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି। 5ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ। 6ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ। 7କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ। 8ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀ; କିଏ ମୋʼ ସଙ୍ଗରେ ବିରୋଧ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ? ସେ ମୋହର ନିକଟକୁ ଆସୁ। 9ଦେଖ, ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ମୋତେ ଦୋଷୀ କରିବ କିଏ? ଦେଖ, ସେମାନେ ସମସ୍ତେ ବସ୍ତ୍ର ପରି ପୁରୁଣା ହେବେ; କୀଟ ସେମାନଙ୍କୁ ଗ୍ରାସ କରିବ। 10ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି? ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର କରୁ। 11ଅଗ୍ନି ଜ୍ୱଳାଉଅଛ, ଅଗ୍ନିଖୁଣ୍ଟାରେ ଆପଣାମାନଙ୍କୁ ବେଷ୍ଟନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ଦେଖ: ତୁମ୍ଭେମାନେ ଆପଣାମାନଙ୍କ ଅଗ୍ନିଶିଖା ଓ ଆପଣାମାନଙ୍କ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋʼ ହସ୍ତରୁ ଏହା ତୁମ୍ଭେମାନେ ପାଇବ; ତୁମ୍ଭେମାନେ ଶୋକରେ ଶୟନ କରିବ।

ପତ୍ର

ପ୍ର.କରି 11:23–32

23କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, 24“ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 25ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 26କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। 27ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। 28କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। 29କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। 30ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି। 31କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ। 32ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।

ସୁସମାଚାର (ମିଳିତ ପାଠ)

ମାଥି 26:1–20 · ଯୋହ 13:3–17 · ମାଥି 26:21–39 · ଲୂକ 22:43–45 · ମାଥି 26:40–27:2

1ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ, 2“ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ।” 3ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ, 4ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ; 5କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। 6ଯୀଶୁ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଥିବା ସମୟରେ, 7ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। 8କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି? 9ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। 10ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି। 11ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି। 12ଆଉ, ସେ ମୋହର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି। 13ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।” 14ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା, 15ମୋତେ କଅଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି। ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟ-ମୁଦ୍ରା ତୌଲି କରିଦେଲେ। 16ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା। 17ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 18ଯୀଶୁ କହିଲେ, “ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି।” 19ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 20ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ। 13:3ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି, 4ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। 5ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। 6କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି? 7ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।” 8ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।” 9ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ। 10ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।” 11କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ। 12ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ? 13ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି। 14ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। 15କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। 16ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ। 17ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ। 26:21ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 22ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କଅଣ ମୁଁ? 23ସେ ଉତ୍ତର ଦେଲେ, “ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। 24ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।” 25ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ସେ ତାହାକୁ କହିଲେ, “ତୁମ୍ଭେ କହିଅଛ।” 26ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର, ଏହା ମୋହର ଶରୀର।” 27ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, 28“ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। 29କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ।” 30ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ। 31ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖାଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ। 32ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି।” 33କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ। 34ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।” 35ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ। 36ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, “ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।” 37ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ। 38ସେତେବେଳେ ସେ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ।” 39ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, “ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ଦୁଃଖର ପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।” 22:43ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ। 44ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଲା। 45ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ; 26:40ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ? 41ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।” 42ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋʼଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।” 43ପୁଣି, ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା। 44ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ। 45ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। 46ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।” 47ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ୍ଗ ଓ ଯଷ୍ଟି ଧରି ଆସିଲେ। 48ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ। 49ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା। 50କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର।” ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। 51ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ। 52ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭର ଖଡ୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ୍ଗ ଦ୍ୱାରା ବିନଷ୍ଟ ହେବେ। 53ଅଥବା ତୁମ୍ଭେ କଅଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ? 54ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ?” 55ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; 56ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି।” ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। 57ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ। 58କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ। 59ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ, 60ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ, 61ଏହି ଲୋକଟା କହିଥିଲା, ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ। 62ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ? 63କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ? 64ଯୀଶୁ ତାହାଙ୍କୁ କହିଲେ, “ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।” 65ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ବର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ଆବଶ୍ୟକ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ବର ନିନ୍ଦା ଶୁଣିଲେ, 66ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ। 67ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, 68ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା? 69ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ। 70କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କଅଣ କହୁଅଛ, ମୁଁ ଜାଣେ ନାହିଁ। 71ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା। 72ପୁଣି, ସେ ଶପଥ ନେଇ ପୁନର୍ବାର ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। 73ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି। 74ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। 75ସେହିକ୍ଷଣି କୁକୁଡ଼ା ରାବିଲା। ଏଥିରେ “କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ। 27:1ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, 2ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ।

ସୁସମାଚାର (ପାଦ ଧୁଆ ସମୟରେ)

ଯୋହ 13:1–11

1ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। 2ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, 3ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି, 4ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। 5ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। 6କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି? 7ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।” 8ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।” 9ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ। 10ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।” 11କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ।

ସୁସମାଚାର (ପାଦ ଧୁଆ ପରେ)

ଯୋହ 13:12–17

12ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ? 13ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି। 14ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। 15କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। 16ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ। 17ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 16 ନାଗରିକ ପଞ୍ଜିକାର ଅପ୍ରେଲ 29। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର