ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 28
ଅର୍ଥୋଡକ୍ସ ପଞ୍ଜିକା · 15 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 28 ଅପ୍ରେଲ 2027
ବୁଧବାର · ପବିତ୍ର ସପ୍ତାହ
ପର୍ବ ଓ ସନ୍ଥ
ମହାନ ଓ ପବିତ୍ର ବୁଧବାର
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସୁସମାଚାର (ବରଙ୍କ ପ୍ରଭାତୀ ପ୍ରାର୍ଥନା)
17ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ। 18ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ। 19ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଅଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି। 20ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍ ଲୋକ ଥିଲେ। 21ସେମାନେ ଗାଲିଲୀସ୍ଥ ବେଥ୍ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା। 22ଫିଲିପ୍ପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି, ଆନ୍ଦ୍ରିୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ। 23ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। 24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ। 25ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। 26କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।” 27“ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହୋଇଅଛି, ଆଉ ମୁଁ କଅଣ କହିବି? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି। 28ପିତଃ, ଆପଣା ନାମ ମହିମାନ୍ୱିତ କର।” ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ। 29ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି। 30ଯୀଶୁ ଉତ୍ତର ଦେଲେ, “ମୋʼ ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି। 31ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ। 32ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। 33ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।” 34ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? 35ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ। 36ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ। 37କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, 38ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?” 39ଏହି କାରଣରୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, 40“ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।” 41ଯିଶାଇୟ ଏହିସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ। 42ତଥାପି ଯିହୁଦୀ ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, 43କାରଣ ସେମାନେ ଈଶ୍ବରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ। 44ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋʼ ଠାରେ ବିଶ୍ୱାସ କରେ, ସେ କେବଳ ମୋʼ ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ; 45ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ। 46ଯେ କେହି ମୋʼ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି। 47କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି। 48ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ। 49କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; 50ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।”
ଷଷ୍ଠ ଘଣ୍ଟା
3ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି। 4ସେହି ସନ୍ତାନମାନେ ନିର୍ଲଜ ମୁଖ ଓ କଠିନ ଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’ 5ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ। 6ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି, ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ। 7ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ। 8ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର।” 9ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋʼ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା; 10ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ଓ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା। 3:1ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର; ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ।” 2ତହିଁରେ ମୁଁ ଆପଣା ମୁଖ ଫିଟାନ୍ତେ, ସେ ମୋତେ ସେହି ନଳାକାର ପୁସ୍ତକ ଭୋଜନ କରାଇଲେ। 3ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉ, ତାହା ତୁମ୍ଭେ ଜଠରରେ ଗ୍ରହଣ କରି ଆପଣା ଉଦର ପୂର୍ଣ୍ଣ କର!” ତହିଁରେ ମୁଁ ତାହା ଭୋଜନ କଲି; ଆଉ, ମିଷ୍ଟତା ସକାଶୁ ତାହା ମୋʼ ମୁଖକୁ ମଧୁପରି ଲାଗିଲା।
ସନ୍ଧ୍ୟା ପ୍ରାର୍ଥନା: ପାଠ
11କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି, ଜଣେ ମିସରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀଙ୍କୁ ପ୍ରହାର କରୁଥିବାର ଦେଖିଲେ। 12ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସରୀୟକୁ ବଧ କରି ବାଲିରେ ପୋତି ଦେଲେ। 13ଆଉ ଦ୍ୱିତୀୟ ଦିନ ସେ ବାହାରକୁ ଯାଇ ଦୁଇ ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇଙ୍କୁ କାହିଁକି ପ୍ରହାର କରୁଅଛ?” 14ତହିଁରେ ସେ କହିଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ଚାହୁଁଅଛ?” ତହିଁରେ ମୋଶା ଭୟଭୀତ ହୋଇ କହିଲେ, “ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି।” 15ଏଥିଉତ୍ତାରେ ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ। 16ମିଦୀୟନୀୟ ଯାଜକଙ୍କର ସାତୋଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳ ପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ। 17ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ, ମାତ୍ର ମୋଶା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ମେଷପଲକୁ ଜଳ ପାନ କରାଇଲେ। 18ଏଥିଉତ୍ତାରେ ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, “ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ?” 19ତହିଁରେ ସେମାନେ କହିଲେ, “ଜଣେ ମିସରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି, ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳ ପାନ କରାଇଲା।” 20ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, “ସେ କେଉଁଠାରେ? ତୁମ୍ଭେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ; ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ।” 21ଏଥିଉତ୍ତାରେ ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି, ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା। 22ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ, ମୋଶା ତାହାର ନାମ ଗେର୍ଶୋମ ଦେଲେ; କାରଣ ସେ କହିଲେ, “ମୁଁ ବିଦେଶରେ ପ୍ରବାସୀ ହୋଇଅଛି।”
ସନ୍ଧ୍ୟା ପ୍ରାର୍ଥନା: ପାଠ
1ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା। 2ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।” 3ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।” 4ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ। 5ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସକୁ ଆଘାତ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ।” 6ତହିଁରେ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର।” 7ଏଉତ୍ତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରିଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ଘାଆରେ ତାହାକୁ ଆଘାତ କଲା। 8ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା। 9ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।” 10ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କʼଣ ଗ୍ରହଣ କରିବା ନାହିଁ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।
ସୁସମାଚାର (ପୂର୍ବ-ପବିତ୍ରୀକୃତ ଦାନର ଉପାସନା)
6ଯୀଶୁ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଥିବା ସମୟରେ, 7ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। 8କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି? 9ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। 10ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି। 11ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି। 12ଆଉ, ସେ ମୋହର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି। 13ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।” 14ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା, 15ମୋତେ କଅଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି। ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟ-ମୁଦ୍ରା ତୌଲି କରିଦେଲେ। 16ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 15 ନାଗରିକ ପଞ୍ଜିକାର ଅପ୍ରେଲ 28। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର