ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 29
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 29 ଅପ୍ରେଲ 2027
ଗୁରୁବାର · ପାସ୍କା କାଳର ପଞ୍ଚମ ସପ୍ତାହ
ପର୍ବ ଓ ସନ୍ଥ
ପାସ୍କା କାଳର ପଞ୍ଚମ ସପ୍ତାହର ଗୁରୁବାର
ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ସିଏନାର ସନ୍ଥ କ୍ୟାଥେରିନ୍, କୁମାରୀ ଓ ମଣ୍ଡଳୀର ଆଚାର୍ଯ୍ୟା · ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
7ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୁଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ବର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ। 8ସର୍ବାନ୍ତର୍ଯ୍ୟାମୀ ଈଶ୍ବର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି। 9ଆଉ ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ଦଳଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି। 10ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି? 11କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ। 12ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ। 13ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ। 14ଈଶ୍ବର ଆପଣା ନାମ ନିମନ୍ତେ ଅଣଯିହୁଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି। 15ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖାଅଛି, 16“‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା, 17ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି। 18ପ୍ରାଚୀନକାଳରୁ ଈଶ୍ବର ଆପଣାର ସମସ୍ତ କର୍ମ ଜଣାଇଛନ୍ତି।’ 19ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; 20କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ଯୌନକ୍ରିୟା, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ। 21କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାର ଦିନରେ ସମାଜଗୃହ ସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି।”
ପ୍ରତିଉତ୍ତର ଗୀତ
1ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। 2ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର; ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର। 3ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ କର। 10“ସଦାପ୍ରଭୁ ରାଜ୍ୟ କରନ୍ତି, ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ; ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ।”
ସୁସମାଚାର
9ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ। 10ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ। 11ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି।
ଆଜିର ସନ୍ଥ
- ସିଏନାର ସନ୍ଥ କ୍ୟାଥେରିନ୍, କୁମାରୀ ଓ ମଣ୍ଡଳୀର ଆଚାର୍ଯ୍ୟା
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର