Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 30

ଅର୍ଥୋଡକ୍ସ ପଞ୍ଜିକା · 17 ଅପ୍ରେଲ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 30 ଅପ୍ରେଲ 2027

ଶୁକ୍ରବାର · ପବିତ୍ର ସପ୍ତାହ

ପର୍ବ ଓ ସନ୍ଥ

ମହାନ ଓ ପବିତ୍ର ଶୁକ୍ରବାର

ମହା ଉପବାସ · କଠୋର ଉପବାସ

ଖାଦ୍ୟରୁ ସମ୍ପୂର୍ଣ୍ଣ ବିରତି

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ଦୁଃଖଭୋଗର ପ୍ରଥମ ସୁସମାଚାର

ଯୋହ 13:31–18:1

31ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ବର ମହିମାନ୍ୱିତ ହେଲେ। 32ଯଦି ଈଶ୍ବର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ବର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ। 33ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି। 34ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। 35ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ।” 36ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି? ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।” 37ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି। 38ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।” 14:1“ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ବରଙ୍କଠାରେ ବିଶ୍ୱାସ କର, ମୋʼ ଠାରେ ମଧ୍ୟ ବିଶ୍ୱାସ କର। 2ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; 3ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି। 4ପୁଣି, ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତାହାର ପଥ ତୁମ୍ଭେମାନେ ଜାଣ।” 5ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହିଁ; ପଥ ବା କିପରି ଜାଣି ପାରୁ? 6ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। 7ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ।” 8ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। 9ଯୀଶୁ ତାହାଙ୍କୁ କହିଲେ, “ଫିଲିପ୍ପ, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ? 10ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ଏ କଥା କଅଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। 11ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। 12ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋʼ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। 13ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋʼ ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି। 14ଯଦି ତୁମ୍ଭେମାନେ ମୋʼ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି।” 15“ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ। 16ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ, 17ଅର୍ଥାତ୍‍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ। 18ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି। 19ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ; ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ। 20ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋʼ ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ। 21ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି।” 22ଯିହୂଦା (ଇଷ୍କାରିୟୋତୀୟ ନୁହେଁ) ତାହାଙ୍କୁ କହିଲେ, ହେ ପ୍ରଭୁ, କଅଣ ହେଲା ଯେ, ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି? 23ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। 24ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର। 25ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି। 26କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍‍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋʼ ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହିସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ। 27ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ କି ଭୟଗ୍ରସ୍ତ ନ ହେଉ। 28ମୁଁ ଯେ ଯାଉଅଛି ଓ ତୁମ୍ଭମାନଙ୍କ ନିକଟକୁ ପୁଣି ଆସୁଅଛି, ମୋହର ଏହି କଥା ତ ଶୁଣିଅଛ। ଯଦି ତୁମ୍ଭେମାନେ ମୋତେ ପ୍ରେମ କରୁଥାଆନ୍ତ, ତାହାହେଲେ ମୁଁ ମୋହର ପିତାଙ୍କ ନିକଟକୁ ଯାଉଅଛି ବୋଲି ଆନନ୍ଦ କରିଥାଆନ୍ତ, କାରଣ ପିତା ମୋʼଠାରୁ ମହାନ। 29ଆଉ, ତାହା ଘଟିବା ସମୟରେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏବେ ତୁମ୍ଭମାନଙ୍କୁ କହିଅଛି। 30ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି; ଆଉ, ମୋʼ ଠାରେ ତାହାର କିଛି ହିଁ ନାହିଁ; 31କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣି ପାରେ, ଏଥିନିମନ୍ତେ ଏପରି ଘଟୁଅଛି। ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ।” 15:1“ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ। 2ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। 3ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ। 4ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। 5ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ। 6କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ। 7ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। 8ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ। 9ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ। 10ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ। 11ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି। 12ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା। 13ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ। 14ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ। 15ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କଅଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି। 16ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋʼ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ; 17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।” 18“ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। 19ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ। 21କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ। 22ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। 23ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। 25‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି। 26ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ; 27ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।” 16:1“ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି। 2ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ। 3ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାନ୍ତି। 4ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥିନିମନ୍ତେ ମୁଁ ଏହିସବୁ କଥା ତୁମ୍ଭମାନଙ୍କୁ କହିଅଛି। ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହିସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ।” 5“କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ। 6ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି। 7କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି। 8ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ; 9ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ; 10ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; 11ନ୍ୟାୟବିଚାର ବିଷୟରେ କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି। 12ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାର ନାହିଁ। 13କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ। 14ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋʼ ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ। 15ଯାହା ଯାହା ପିତାଙ୍କର, ସେହିସବୁ ମୋହର; ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।” 16“ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ।” 17ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଅଛି,” ଏହି ଯେଉଁ କଥା ସେ ଆମ୍ଭମାନଙ୍କୁ କହୁଅଛନ୍ତି, ଏହା କଅଣ? 18ଏଣୁ ସେମାନେ କହିଲେ, “ଅଳ୍ପ ସମୟ” ବୋଲି ଏ କଅଣ କହୁଅଛନ୍ତି? ସେ କଅଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ। 19ସେମାନେ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଅଛନ୍ତି ବୋଲି ବୁଝି ଯୀଶୁ ସେମାନଙ୍କୁ କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ‘ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ, ମୁଁ ଏହି ଯେଉଁ କଥା କହିଲି, ସେ ବିଷୟ ଘେନି ତୁମ୍ଭେମାନେ କଅଣ ପରସ୍ପର ବାଦାନୁବାଦ କରୁଅଛ?’ 20ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ରୋଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦ କରିବ; ତୁମ୍ଭେମାନେ ଦୁଃଖିତ ହେବ, କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ। 21ପ୍ରସବ ସମୟ ଉପସ୍ଥିତ ହେଲେ ସ୍ତ୍ରୀଲୋକ ଦୁଃଖ ପାଏ; କିନ୍ତୁ ସେ ସନ୍ତାନ ପ୍ରସବ କଲା ଉତ୍ତାରେ ଜଗତରେ ଜଣେ ମାନବ ଜନ୍ମଗ୍ରହଣ କଲା, ଏହି ଆନନ୍ଦ ଯୋଗୁଁ ଆଉ କଷ୍ଟ ସ୍ମରଣ କରେ ନାହିଁ। 22ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ। 23ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋʼ ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ। 24ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ।” 25“ମୁଁ ତୁମ୍ଭମାନଙ୍କୁ ଉପମା ଦ୍ୱାରା ଏହି ସମସ୍ତ କଥା କହିଅଛି; ସମୟ ଆସୁଅଛି, ଯେତେବେଳେ ମୁଁ ଆଉ ଉପମା ଦ୍ୱାରା ତୁମ୍ଭମାନଙ୍କୁ କହିବି ନାହିଁ, କିନ୍ତୁ ପିତାଙ୍କ ବିଷୟ ସ୍ପଷ୍ଟ ରୂପେ ତୁମ୍ଭମାନଙ୍କୁ ଜଣାଇବି। 26ସେ ଦିନ ତୁମ୍ଭେମାନେ ମୋʼ ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ; 27କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ବରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ୱାସ କରିଅଛ। 28ମୁଁ ପିତାଙ୍କ ନିକଟରୁ ଜଗତକୁ ଆସିଅଛି; ପୁନର୍ବାର ମୁଁ ଜଗତ ପରିତ୍ୟାଗ କରି ପିତାଙ୍କ ନିକଟକୁ ଯାଉଅଛି।” 29ତାହାଙ୍କ ଶିଷ୍ୟମାନେ କହିଲେ, ଦେଖନ୍ତୁ, ବର୍ତ୍ତମାନ ଆପଣ ସ୍ପଷ୍ଟ ରୂପେ କହୁଅଛନ୍ତି ଓ ଉପମା-କଥା ଆଉ କହୁ ନାହାନ୍ତି। 30ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ବରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ। 31ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ଏବେ ବିଶ୍ୱାସ କରୁଅଛ? 32ଦେଖ, ସମୟ ଆସୁଅଛି, ହଁ, ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋʼ ସାଙ୍ଗରେ ଅଛନ୍ତି। 33ତୁମ୍ଭେମାନେ ଯେପରି ମୋʼ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି।” 17:1ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, 2ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ। 3ଆଉ, ଏକମାତ୍ର ସତ୍ୟ ଈଶ୍ବର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। 4ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି। 5ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର।” 6“ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। 7ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; 8କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି। 9ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10ଯାହା ଯାହା ମୋହର, ସେହିସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହିସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି। 11ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ସେହି ନାମରେ ସେମାନଙ୍କୁ ରକ୍ଷା କର ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି। 12ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ସେହି ନାମରେ ରକ୍ଷା କରି ଅାସିଅଛି ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ।” 13“କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି। 14ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି। 15ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି। 16ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି। 17ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ। 18ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି। 19ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି।” 20“ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋʼ ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, 21ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋʼ ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ। 22ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି; 23ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋʼ ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ। 24ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା। 25ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି; 26ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି।” 18:1ଯୀଶୁ ଏହିସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ।

ଦୁଃଖଭୋଗର ଦ୍ୱିତୀୟ ସୁସମାଚାର

ଯୋହ 18:1–28

1ଯୀଶୁ ଏହିସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ। 2ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ। 3ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା। 4ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” 5ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, “ମୁଁ ସେହି।” ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା। 6ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ। 7ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ। 8ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।” 9ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।” 10ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍‍ଖ। 11ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?” 12ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ 13ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ। 14ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା। 15ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ; 16କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ। ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ। 17ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କଅଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ କହିଲେ, ମୁଁ ନୁହେଁ। 18ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ। 19ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ। 20ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ। 21ମୋତେ କାହିଁକି ପଚାରୁଅଛନ୍ତି? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି।” 22ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ? 23ଯୀଶୁ ତାହାକୁ ଉତ୍ତର ଦେଲେ, “ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ?” 24ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ। 25ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କଅଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ। 26ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି? 27ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା। 28ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ।

ଦୁଃଖଭୋଗର ତୃତୀୟ ସୁସମାଚାର

ମାଥି 26:57–75

57ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ। 58କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ। 59ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ, 60ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ, 61ଏହି ଲୋକଟା କହିଥିଲା, ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ। 62ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ? 63କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ? 64ଯୀଶୁ ତାହାଙ୍କୁ କହିଲେ, “ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।” 65ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ବର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ଆବଶ୍ୟକ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ବର ନିନ୍ଦା ଶୁଣିଲେ, 66ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ। 67ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, 68ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା? 69ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ। 70କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କଅଣ କହୁଅଛ, ମୁଁ ଜାଣେ ନାହିଁ। 71ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା। 72ପୁଣି, ସେ ଶପଥ ନେଇ ପୁନର୍ବାର ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। 73ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି। 74ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। 75ସେହିକ୍ଷଣି କୁକୁଡ଼ା ରାବିଲା। ଏଥିରେ “କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।

ଦୁଃଖଭୋଗର ଚତୁର୍ଥ ସୁସମାଚାର

ଯୋହ 18:28–19:16

28ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। 29ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ? 30ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ। 31ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ। 32ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ। 33ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା? 34ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?” 35ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ? 36ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ।” 37ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।” 38ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ। 39କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା? 40ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା। 19:1ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ। 2ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବାହ୍ୟ ବସ୍ତ୍ର ପିନ୍ଧାଇଲେ; 3ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ। 4ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ। 5ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ। ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ! 6ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ। 7ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି 8ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; 9ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ। 10ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ? 11ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।” 12ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ। 13ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍‍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ। 14ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା! 15ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ। 16ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ।

ଦୁଃଖଭୋଗର ପଞ୍ଚମ ସୁସମାଚାର

ମାଥି 27:3–32

3ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ଫେରାଇ ଆଣି କହିଲା, 4ମୁଁ ନିର୍ଦ୍ଦୋଷକୁ ମୃତ୍ୟୁ ହସ୍ତରେ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? 5ତୁ ତାହା ବୁଝ୍। ତହିଁରେ ସେ ରୌପ୍ୟ-ମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା। 6କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟ-ମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ମନ୍ଦିରର ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ। 7ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ। 8ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି। 9ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ସେମାନେ ନେଇ 10ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ। 11ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜା? ଯୀଶୁ କହିଲେ, “ଆପଣ କହୁଅଛନ୍ତି।” 12ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ। 13ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ? 14ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ। 15କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା। 16ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା। 17ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ? 18କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ। 19ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି। 20ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ। 21ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ। 22ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ। 23ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ। 24ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରିପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ। 25ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। 26ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। 27ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ। 28ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ ଲୋହିତବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାନୁ ପାତି ଏହା କହି ତାହାଙ୍କୁ ପରିହାସ କଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର। 30ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। 31ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ। 32ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାଙ୍କୁ ବାଧ୍ୟ କଲେ।

ଦୁଃଖଭୋଗର ଷଷ୍ଠ ସୁସମାଚାର

ମାର୍କ 15:16–32

16ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍‍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ। 17ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ; 18ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ। 19ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ। 20ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ। 21ସେତେବେଳେ ଆଲେକ୍‌ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ। 22ଆଉ ସେମାନେ ତାହାଙ୍କୁ ଗଲ୍‌ଗଥା, ଅର୍ଥାତ୍‍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ। 23ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ। 24ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ। 25ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। 26ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା। 27ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ। 28[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।] 29ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, 30କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର। 31ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। 32ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ।

ଦୁଃଖଭୋଗର ସପ୍ତମ ସୁସମାଚାର

ମାଥି 27:33–54

33ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍‍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ 34ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। 35ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ। 37ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। 38ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। 39ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ। 41ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା। 43ସେ ଈଶ୍ବରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ବରଙ୍କ ପୁତ୍ର। 44ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। 45ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା। 46ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍, “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” 47ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି। 48ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା। 49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। 50କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। 51ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ପବିତ୍ର ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। 54ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ।

ଦୁଃଖଭୋଗର ଅଷ୍ଟମ ସୁସମାଚାର

ଲୂକ 23:32–49

32ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ। 33ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। 34ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ। 35ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ। ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ବରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ। 36ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କରି କହିଲେ, 37ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର। 38ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, “ଏ ଯିହୁଦୀମାନଙ୍କର ରାଜା।” 39ଆଉ କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଅଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। 40କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ବରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ? 41ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି। 42ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। 43ସେଥିରେ ସେ ତାହାକୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।” 44ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା, 45ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା। 46ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି।” ଏହା କହି ସେ ପ୍ରାଣତ୍ୟାଗ କଲେ। 47ଶତ-ସେନାପତି ଏହି ଘଟଣା ଦେଖି ଈଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ। 48ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ। 49କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହିସବୁ ଦେଖୁଥିଲେ।

ଦୁଃଖଭୋଗର ନବମ ସୁସମାଚାର

ଯୋହ 19:25–37

25କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍‌ଦଲୀନୀ ମରୀୟମ ଠିଆ ହୋଇଥିଲେ। 26ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!” 27ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ। 28ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।” 29ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ। 30ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ। 31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା। 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି। 36କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। 37ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ।

ଦୁଃଖଭୋଗର ଦଶମ ସୁସମାଚାର

ମାର୍କ 15:43–47

43ହାରାମାଥୀୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। 44କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତ-ସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି? 45ଶତ-ସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ। 46ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ। 47ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍‌ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।

ଦୁଃଖଭୋଗର 11ତମ ସୁସମାଚାର

ଯୋହ 19:38–42

38ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ। 39ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ। 41ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା। 42ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।

ଦୁଃଖଭୋଗର 12ତମ ସୁସମାଚାର

ମାଥି 27:62–66

62ତହିଁ ଆରଦିନ, ଅର୍ଥାତ୍‍ ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ପାଖରେ ଏକତ୍ର ହୋଇ କହିଲେ, 63ମହାଶୟ, ଆମ୍ଭମାନଙ୍କର ମନେ ପଡ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ପରେ ମୁଁ ଉଠିବି। 64ଅତଏବ, ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। 65ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀ-ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର। 66ତେଣୁ ସେମାନେ ଯାଇ ପ୍ରହରୀ-ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।

ପ୍ରଥମ ଘଣ୍ଟା

ଯିଖ 11:10–13

10ପୁଣି, ମୁଁ ଆପଣା ଶୋଭା ନାମକ ଯଷ୍ଟି ନେଲି ଓ ସବୁ ଗୋଷ୍ଠୀ ସଙ୍ଗରେ ମୁଁ ଯେଉଁ ନିୟମ କରିଥିଲି, ତାହା ଭାଙ୍ଗିବା ନିମନ୍ତେ ସେହି ଯଷ୍ଟିକୁ ଖଣ୍ଡ ଖଣ୍ଡ କରି କାଟିଲି। 11ଆଉ, ତାହା ସେହି ଦିନ ଭଗ୍ନ ହେଲା; ତହିଁରେ ପଲର ଯତ୍ନ ଯେଉଁମାନେ ନିଅନ୍ତି ମୋʼ କଥାରେ ମନୋଯୋଗ କଲେ; ସେମାନେ ତାହା ଯେ ସଦାପ୍ରଭୁଙ୍କର ବାକ୍ୟ, ଏହା ଜାଣିଲେ। 12ପୁଣି, ମୁଁ ସେମାନଙ୍କୁ କହିଲି, “ଯଦି ତୁମ୍ଭେମାନେ ଭଲ ବୋଧ କର, ତେବେ ମୋର ବେତନ ମୋତେ ଦିଅ; ନୋହିଲେ କ୍ଷାନ୍ତ ହୁଅ।” ତହିଁରେ ସେମାନେ ମୋର ବେତନ ନିମନ୍ତେ ତିରିଶ ରୌପ୍ୟ ମୁଦ୍ରା ତୌଲି କରିଦେଲେ। 13ଆଉ, ସଦାପ୍ରଭୁ ମୋତେ କହିଲେ, “ଏହା କୁମ୍ଭକାର ନିକଟରେ ପକାଇଦିଅ, ଏହି ବିଲକ୍ଷଣ ମୂଲ୍ୟରେ ସେମାନେ ଆମ୍ଭର ମୂଲ୍ୟ ନିର୍ଣ୍ଣୟ କରିଅଛନ୍ତି।” ତହିଁରେ ମୁଁ ସେହି ତିରିଶ ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ଗୃହରେ କୁମ୍ଭକାର ନିକଟରେ ପକାଇଦେଲି

ପ୍ରଥମ ଘଣ୍ଟା (ପତ୍ର)

ଗାଲା 6:14–18

14କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। 15କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। 16ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। 17ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି। 18ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।

ପ୍ରଥମ ଘଣ୍ଟା (ସୁସମାଚାର)

ମାଥି 27:1–56

1ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, 2ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ। 3ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ଫେରାଇ ଆଣି କହିଲା, 4ମୁଁ ନିର୍ଦ୍ଦୋଷକୁ ମୃତ୍ୟୁ ହସ୍ତରେ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? 5ତୁ ତାହା ବୁଝ୍। ତହିଁରେ ସେ ରୌପ୍ୟ-ମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା। 6କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟ-ମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ମନ୍ଦିରର ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ। 7ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ। 8ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି। 9ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ସେମାନେ ନେଇ 10ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ। 11ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜା? ଯୀଶୁ କହିଲେ, “ଆପଣ କହୁଅଛନ୍ତି।” 12ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ। 13ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ? 14ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ। 15କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା। 16ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା। 17ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ? 18କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ। 19ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି। 20ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ। 21ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ। 22ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ। 23ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ। 24ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରିପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ। 25ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। 26ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। 27ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ। 28ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ ଲୋହିତବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାନୁ ପାତି ଏହା କହି ତାହାଙ୍କୁ ପରିହାସ କଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର। 30ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। 31ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ। 32ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାଙ୍କୁ ବାଧ୍ୟ କଲେ। 33ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍‍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ 34ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। 35ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ। 37ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। 38ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। 39ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ। 41ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା। 43ସେ ଈଶ୍ବରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ବରଙ୍କ ପୁତ୍ର। 44ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। 45ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା। 46ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍, “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” 47ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି। 48ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା। 49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। 50କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। 51ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ପବିତ୍ର ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। 54ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ। 55ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ; 56ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ଯାକୁବ ଓ ଯୋଷେଫଙ୍କ ମାତା ମରୀୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ।

ତୃତୀୟ ଘଣ୍ଟା

ଯିଶା 50:4–11

4ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି। 5ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ। 6ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ। 7କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ। 8ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀ; କିଏ ମୋʼ ସଙ୍ଗରେ ବିରୋଧ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ? ସେ ମୋହର ନିକଟକୁ ଆସୁ। 9ଦେଖ, ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ମୋତେ ଦୋଷୀ କରିବ କିଏ? ଦେଖ, ସେମାନେ ସମସ୍ତେ ବସ୍ତ୍ର ପରି ପୁରୁଣା ହେବେ; କୀଟ ସେମାନଙ୍କୁ ଗ୍ରାସ କରିବ। 10ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି? ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର କରୁ। 11ଅଗ୍ନି ଜ୍ୱଳାଉଅଛ, ଅଗ୍ନିଖୁଣ୍ଟାରେ ଆପଣାମାନଙ୍କୁ ବେଷ୍ଟନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ଦେଖ: ତୁମ୍ଭେମାନେ ଆପଣାମାନଙ୍କ ଅଗ୍ନିଶିଖା ଓ ଆପଣାମାନଙ୍କ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋʼ ହସ୍ତରୁ ଏହା ତୁମ୍ଭେମାନେ ପାଇବ; ତୁମ୍ଭେମାନେ ଶୋକରେ ଶୟନ କରିବ।

ତୃତୀୟ ଘଣ୍ଟା (ପତ୍ର)

ରୋମୀ 5:6–11

6କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ। 7ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରିପାରେ। 8କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। 9ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ବରଙ୍କ କ୍ରୋଧରୁ ରକ୍ଷା ପାଇବା। 10କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା। 11ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।

ତୃତୀୟ ଘଣ୍ଟା (ସୁସମାଚାର)

ମାର୍କ 15:16–41

16ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍‍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ। 17ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ; 18ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ। 19ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ। 20ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ। 21ସେତେବେଳେ ଆଲେକ୍‌ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ। 22ଆଉ ସେମାନେ ତାହାଙ୍କୁ ଗଲ୍‌ଗଥା, ଅର୍ଥାତ୍‍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ। 23ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ। 24ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ। 25ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। 26ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା। 27ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ। 28[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।] 29ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, 30କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର। 31ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। 32ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ। 33ଦିନ ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ଦିନ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା। 34ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍ “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ?” 35ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଅଛି। 36ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା। 37କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ। 38ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା। 39ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତ-ସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ବରଙ୍କ ପୁତ୍ର ଥିଲେ। 40କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରୀୟମ, ପୁଣି, ଶଲୋମୀ ଥିଲେ; 41ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍‌ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମ ସହରକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ।

ଷଷ୍ଠ ଘଣ୍ଟା

ଯିଶା 52:13–54:1

13ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହାମହିମ ହେବେ। 14ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ, 15ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ। 53:1ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? 2କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। 3ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। 4ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। 5ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। 6ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। 7ସେ ଉପଦ୍ରବପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧ ସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। 8ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। 9ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। 10ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। 11ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। 12ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁମୁଖରେ ଆପଣା ପ୍ରାଣ ଢାଳିଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। 54:1“ଆଗୋ ବନ୍ଧ୍ୟେ, ଅପ୍ରସୂତେ, ତୁମ୍ଭେ ଗାନ କର, ଆଗୋ ଗର୍ଭବ୍ୟଥାରହିତେ, ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର, କାରଣ ସଦାପ୍ରଭୁ କହନ୍ତି, ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥାର ସନ୍ତାନ ଅଧିକ।

ଷଷ୍ଠ ଘଣ୍ଟା (ଅନ୍ୟ ପାଠ)

ଆମୋ 8:9–12

9ପ୍ରଭୁ ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ମଧ୍ୟାହ୍ନ କାଳରେ ସୂର୍ଯ୍ୟକୁ ଅସ୍ତଗତ କରାଇବା ଓ ନିର୍ମଳ ଦିନରେ ଆମ୍ଭେ ଦେଶକୁ ଅନ୍ଧକାରମୟ କରିବା। 10ପୁଣି, ଆମ୍ଭେ ତୁମ୍ଭମାନଙ୍କର ସକଳ ଉତ୍ସବକୁ ଶୋକରେ ଓ ତୁମ୍ଭମାନଙ୍କର ଗାୟନ ସବୁକୁ ବିଳାପରେ ପରିଣତ କରିବା; ଆଉ, ଆମ୍ଭେ ସମସ୍ତଙ୍କର କଟିଦେଶ ଚଟବସ୍ତ୍ରରେ ପରିହିତ କରାଇବା ଓ ପ୍ରତ୍ୟେକ ମସ୍ତକ ଟାଙ୍ଗରା କରାଇବା; ପୁଣି, ଆମ୍ଭେ ସେହି ଶୋକକୁ ଅଦ୍ୱିତୀୟ ପୁତ୍ରର ଶୋକ ତୁଲ୍ୟ ଓ ତହିଁର ଶେଷକୁ ଦାରୁଣ ଦୁଃଖ ଦିନର ତୁଲ୍ୟ କରାଇବା।” 11ପ୍ରଭୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। 12ଲୋକମାନେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ; ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ଵେଷଣ କରିବା ପାଇଁ ଏଣେତେଣେ ଦୌଡ଼ିବେ, ଆଉ ତାହା ପାଇବେ ନାହିଁ।

ଷଷ୍ଠ ଘଣ୍ଟା (ପତ୍ର)

ଏବ୍ରୀ 2:11–18

11ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି, 12ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,” 13ପୁନଶ୍ଚ କହନ୍ତି, “ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି।” ପୁନର୍ବାର, “ଏହି ଦେଖ, ମୁଁ ଓ ଈଶ୍ବରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ।” 14ଅତଏବ, ସନ୍ତାନମାନେ ରକ୍ତ-ମାଂସର ସହଭାଗୀ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍‍, ଶୟତାନକୁ ବିନାଶ କରିପାରନ୍ତି; 15ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି। 16କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି। 17ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ବରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି।

ଷଷ୍ଠ ଘଣ୍ଟା (ସୁସମାଚାର)

ଲୂକ 23:32–49

32ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ। 33ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ। 34ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ। 35ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ। ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ବରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ। 36ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କରି କହିଲେ, 37ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର। 38ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, “ଏ ଯିହୁଦୀମାନଙ୍କର ରାଜା।” 39ଆଉ କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଅଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। 40କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ବରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ? 41ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି। 42ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। 43ସେଥିରେ ସେ ତାହାକୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।” 44ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା, 45ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା। 46ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି।” ଏହା କହି ସେ ପ୍ରାଣତ୍ୟାଗ କଲେ। 47ଶତ-ସେନାପତି ଏହି ଘଟଣା ଦେଖି ଈଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ। 48ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ। 49କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହିସବୁ ଦେଖୁଥିଲେ।

ନବମ ଘଣ୍ଟା

ଯିରି 11:18–12:5, 9–11, 14–15

18ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ ଜ୍ଞାନ ଦିଅନ୍ତେ, ମୁଁ ତାହା ଜାଣିଲି; ସେସମୟରେ ତୁମ୍ଭେ ମୋତେ ସେମାନଙ୍କର କ୍ରିୟା ଦେଖାଇଲ। 19ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; “ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ,” ଏହି କଥା କହି ସେମାନେ ଯେ ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି। 20ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ନ୍ୟାୟରେ ବିଚାର କରୁଥାଅ, ତୁମ୍ଭେ ମର୍ମ ଓ ଚିତ୍ତର ପରୀକ୍ଷା କରୁଥାଅ, ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ଦାନ ମୋତେ ଦେଖିବାକୁ ଦିଅ; କାରଣ ମୁଁ ତୁମ୍ଭ ନିକଟରେ ଆପଣା ଗୁହାରି ପ୍ରକାଶ କରିଅଛି। 21ଏହେତୁ “ଅନାଥୋତ୍‍ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ତୁମ୍ଭର ପ୍ରାଣ ଅନ୍ୱେଷଣ କରି କହନ୍ତି, ତୁମ୍ଭେ ଯେପରି ଆମ୍ଭମାନଙ୍କ ହସ୍ତରେ ହତ ନ ହୁଅ, ଏଥିପାଇଁ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ; 22ଏନିମନ୍ତେ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା; ଯୁବାଗଣ ଖଡ୍ଗରେ ମରିବେ; ସେମାନଙ୍କର ପୁତ୍ର ଓ କନ୍ୟାଗଣ ଦୁର୍ଭିକ୍ଷରେ ମରିବେ; 23ସେମାନଙ୍କର ଅବଶିଷ୍ଟ କେହି ରହିବେ ନାହିଁ; କାରଣ ଆମ୍ଭେ ଅନାଥୋତ୍‍ ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କର ପ୍ରତିଫଳ ପ୍ରାପ୍ତିର ବର୍ଷ ଆଣିବା।” 12:1ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ; ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି; ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥାʼନ୍ତି? 2ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନେ ବଦ୍ଧମୂଳ ହୋଇଅଛନ୍ତି; ସେମାନେ ବଢ଼ନ୍ତି, ହଁ, ସେମାନେ ଫଳ ଫଳନ୍ତି; ତୁମ୍ଭେ ସେମାନଙ୍କ ମୁଖର ନିକଟରେ ଓ ସେମାନଙ୍କ ଅନ୍ତଃକରଣରୁ ଦୂରରେ ଅଛ। 3ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ; ତୁମ୍ଭେ ମୋତେ ଦେଖୁଅଛ ଓ ତୁମ୍ଭ ପ୍ରତି ମୋର ମନ କିପରି, ତାହା ପରୀକ୍ଷା କରୁଅଛ; ତୁମ୍ଭେ ସେମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ଆଣ ଓ ହତ୍ୟା ଦିନର ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖ। 4କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ? ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି; କାରଣ ଲୋକମାନେ କହିଲେ, “ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।” 5“ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି, ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ? ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ, ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ? 9ଆମ୍ଭର ଅଧିକାର ଆମ୍ଭ ପ୍ରତି କି ଚିତ୍ରିତ ଶିକାରୀ ପକ୍ଷୀ ତୁଲ୍ୟ ଅଟେ, ଶିକାରୀ ପକ୍ଷୀମାନେ ତାହାର ବିରୁଦ୍ଧରେ ଚାରିଆଡ଼େ ଘେରିଅଛନ୍ତି? ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ। 10ଅନେକ ପଲରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି, ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି, ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସିତ ପ୍ରାନ୍ତର କରିଅଛନ୍ତି। 11ସେମାନେ ତାହା ଧ୍ୱଂସସ୍ଥାନ କରିଅଛନ୍ତି; ତାହା ଧ୍ୱଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି; କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ୱଂସିତ ହେଉଅଛି। 14ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ଯେଉଁ ଅଧିକାର ଭୋଗ କରିବାକୁ ଦେଇଅଛୁ, ତାହା ସ୍ପର୍ଶକାରୀ ଆମ୍ଭର ଦୁଷ୍ଟ ପ୍ରତିବାସୀସକଳର ବିରୁଦ୍ଧରେ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କରିବା ଓ ସେମାନଙ୍କ ମଧ୍ୟରୁ ଯିହୁଦା-ବଂଶକୁ ଉତ୍ପାଟନ କରିବା। 15ପୁଣି, ସେମାନଙ୍କୁ ଉତ୍ପାଟନ କଲା ଉତ୍ତାରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା ଓ ଆମ୍ଭେ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଭୂମିକୁ ପୁନର୍ବାର ଆଣିବା।

ନବମ ଘଣ୍ଟା (ପତ୍ର)

ଏବ୍ରୀ 10:19–31

19ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍‍, ଆପଣା ରକ୍ତ ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, 20ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ 21ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ 22ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ-ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ; 23ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ; 24ପୁଣି, ପ୍ରେମ ଓ ସତ୍‍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ, 25ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ। 26କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, 27ବରଂ ବିଚାରର ଏକ-ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। 28କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; 29ତେବେ ଭାବି ଦେଖ, ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ଅପବିତ୍ର ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ! 30କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।” 31ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ।

ନବମ ଘଣ୍ଟା (ସୁସମାଚାର)

ଯୋହ 18:28–19:37

28ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। 29ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ? 30ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ। 31ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ। 32ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ। 33ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା? 34ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?” 35ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ? 36ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ।” 37ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।” 38ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ। 39କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା? 40ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା। 19:1ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ। 2ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବାହ୍ୟ ବସ୍ତ୍ର ପିନ୍ଧାଇଲେ; 3ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ। 4ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ। 5ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ। ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ! 6ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ। 7ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି 8ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; 9ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ। 10ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ? 11ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।” 12ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ। 13ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍‍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ। 14ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା! 15ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ। 16ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ। 17ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‌ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ। 18ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅନ୍ୟ ଦୁଇ କ୍ରୁଶରେ ଚଢ଼ାଇଲେ, ଦୁଇ ପାର୍ଶ୍ୱରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ। 19ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା। 20ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା। 21ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ। 22ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ। 23ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା। 24ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, “ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ।” ତେଣୁ ସୈନ୍ୟମାନେ ଏହାସବୁ କଲେ। 25କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍‌ଦଲୀନୀ ମରୀୟମ ଠିଆ ହୋଇଥିଲେ। 26ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!” 27ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ। 28ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।” 29ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ। 30ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ। 31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା। 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି। 36କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। 37ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 33:11–23

11ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକୁ ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ। 12ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋʼ ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ। ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ। 13ଉତ୍ତମ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ; ପୁଣି, ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।” 14ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।” 15ତହିଁରେ ସେ ତାହାଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ଗମନ ନ କରନ୍ତି, ତେବେ ଏହି ସ୍ଥାନରୁ ଆମ୍ଭମାନଙ୍କୁ ନେଇଯାଅ ନାହିଁ।” 16କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ଏହା ଏବେ କିପରି ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ୱାରା କି ଏହା ଜଣାଯାଏ ନାହିଁ? 17ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯେଉଁ କଥା ତୁମ୍ଭେ କହିଅଛ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛ, ପୁଣି, ଆମ୍ଭେ ତୁମ୍ଭକୁ ନାମ ଦ୍ୱାରା ଜାଣିଅଛୁ।” 18ପୁଣି, ସେ କହିଲେ, “ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ।” 19ସେ ଉତ୍ତର କଲେ, “ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।” 20ସେ ଆହୁରି କହିଲେ, “ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।” 21ସଦାପ୍ରଭୁ କହିଲେ, “ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଠିଆ ହେବ; 22ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା। 23ଏଥିଉତ୍ତାରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆୟୁବ 42:12–17

12ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ। 13ମଧ୍ୟ ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଲେ। 14ପୁଣି, ସେ ପ୍ରଥମ କନ୍ୟାର ନାମ ଯିମୀମା ଓ ଦ୍ୱିତୀୟାର ନାମ କତ୍ସୀୟା ଓ ତୃତୀୟାର ନାମ କେରଣ-ହପ୍‍ପୁକ୍‍ ଦେଲା। 15ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା। 16ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା। 17ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 52:13–54:1

13ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହାମହିମ ହେବେ। 14ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ, 15ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ। 53:1ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? 2କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। 3ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। 4ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। 5ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। 6ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। 7ସେ ଉପଦ୍ରବପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧ ସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। 8ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। 9ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। 10ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। 11ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। 12ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁମୁଖରେ ଆପଣା ପ୍ରାଣ ଢାଳିଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। 54:1“ଆଗୋ ବନ୍ଧ୍ୟେ, ଅପ୍ରସୂତେ, ତୁମ୍ଭେ ଗାନ କର, ଆଗୋ ଗର୍ଭବ୍ୟଥାରହିତେ, ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର, କାରଣ ସଦାପ୍ରଭୁ କହନ୍ତି, ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥାର ସନ୍ତାନ ଅଧିକ।

ପତ୍ର (ସନ୍ଧ୍ୟା ପ୍ରାର୍ଥନାରେ)

ପ୍ର.କରି 1:18–2:2

18କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ। 19ଯେଣୁ ଏହା ଲେଖାଅଛି, “ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା।” 20ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ବର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି? 21କାରଣ ଈଶ୍ବରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ବରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ଵାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ବର ସନ୍ତୁଷ୍ଟ ହେଲେ। 22କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, 23କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୁଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ, 24କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି। 25ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ। 26କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାନ୍ତି; 27କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ବରଙ୍କ ଛାମୁରେ ଗର୍ବ ନ କରେ, 28ଏଥିପାଇଁ ଈଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖମାନଙ୍କୁ ମନୋନୀତ କଲେ, ପୁଣି, ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଈଶ୍ବର ଜଗତର ଦୁର୍ବଳମାନଙ୍କୁ ମନୋନୀତ କଲେ, 29ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ବର ଜଗତର ନୀଚ ଓ ତୁଚ୍ଛ ଲୋକମାନଙ୍କୁ, ହଁ, ନଗଣ୍ୟ ଲୋକମାନଙ୍କୁ ମନୋନୀତ କଲେ। 30କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ବରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍‍, ଧାର୍ମିକତା, ପବିତ୍ରତା ଓ ମୁକ୍ତି-ସ୍ୱରୂପ ହୋଇଅଛନ୍ତି। 31ଅତଏବ, ଯେପରି ଲେଖାଅଛି, “ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।” 2:1ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିଥିଲି, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ। 2କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି।

ସୁସମାଚାର (ମିଳିତ ପାଠ)

ମାଥି 27:1–38 · ଲୂକ 23:39–43 · ମାଥି 27:39–54 · ଯୋହ 19:31–37 · ମାଥି 27:55–61

1ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, 2ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ। 3ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ଫେରାଇ ଆଣି କହିଲା, 4ମୁଁ ନିର୍ଦ୍ଦୋଷକୁ ମୃତ୍ୟୁ ହସ୍ତରେ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? 5ତୁ ତାହା ବୁଝ୍। ତହିଁରେ ସେ ରୌପ୍ୟ-ମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା। 6କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟ-ମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ମନ୍ଦିରର ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ। 7ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ। 8ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି। 9ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ସେମାନେ ନେଇ 10ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ। 11ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜା? ଯୀଶୁ କହିଲେ, “ଆପଣ କହୁଅଛନ୍ତି।” 12ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ। 13ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ? 14ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ। 15କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା। 16ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା। 17ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ? 18କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ। 19ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି। 20ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ। 21ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ। 22ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ। 23ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ। 24ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରିପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ। 25ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ। 26ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। 27ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ। 28ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ ଲୋହିତବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାନୁ ପାତି ଏହା କହି ତାହାଙ୍କୁ ପରିହାସ କଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର। 30ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। 31ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ। 32ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାଙ୍କୁ ବାଧ୍ୟ କଲେ। 33ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍‍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ 34ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। 35ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ। 37ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ। 38ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ। 23:39ଆଉ କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଅଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। 40କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ବରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ? 41ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି। 42ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। 43ସେଥିରେ ସେ ତାହାକୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।” 27:39ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ। 41ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା। 43ସେ ଈଶ୍ବରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ବରଙ୍କ ପୁତ୍ର। 44ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ। 45ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା। 46ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍, “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” 47ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି। 48ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା। 49କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା। 50କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ। 51ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ପବିତ୍ର ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। 54ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ। 19:31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା। 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି। 36କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। 37ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। 27:55ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ; 56ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ଯାକୁବ ଓ ଯୋଷେଫଙ୍କ ମାତା ମରୀୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ। 57ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ। 58ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ। 59ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, 60ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ। 61ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 17 ନାଗରିକ ପଞ୍ଜିକାର ଅପ୍ରେଲ 30। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର