28ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ।
29ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ?
30ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ।
31ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ।
32ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ।
33ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା?
34ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?”
35ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ?
36ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ବନ୍ଧୀୟ ନୁହେଁ।”
37ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।”
38ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ।