Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଗାଲିଲୀରେ

ପାଖାପାଖି ସୁସମାଚାର · ଗାଲିଲୀରେ

ଜଣେ ପକ୍ଷାଘାତ ରୋଗୀ ସୁସ୍ଥ ହୁଏ

ମାଥି 9:1–8 · ମାର୍କ 2:1–12 · ଲୂକ 5:17–26

ମାଥିଉ

ମାଥି 9:1–8

1ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ।

2ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।”

3ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ବର ନିନ୍ଦା କରୁଅଛି।

4ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ?

5କାରଣ କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା’ ବୋଲି କହିବା, ବା, ‘ଉଠ, ଚାଲ’ ବୋଲି କହିବା?

6କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ।”

7ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା।

8ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ବର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ।

ମାର୍କ

ମାର୍କ 2:1–12

1କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୂମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା।

2ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ।

3ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ,

4କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ।

5ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।”

6କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ,

7ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?

8ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ?

9କଅଣ ସହଜ? ପକ୍ଷାଘାତ ରୋଗୀକୁ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା?

10କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,

11“ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।”

12ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।

ଲୂକ

ଲୂକ 5:17–26

17ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦିୟା ପ୍ରଦେଶ ଓ ଯିରୂଶାଲମ ସହରରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ। ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା।

18ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ।

19କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ।

20ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, “ହେ ବନ୍ଧୁ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି।”

21ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କହିବାକୁ ଲାଗିଲେ, ଏ ଯେ ଈଶ୍ବର ନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?

22କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କଅଣ ତର୍କବିତର୍କ କରୁଅଛ?

23କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା,’ ବା, ‘ଉଠ, ଚାଲ ବୋଲି କହିବା?’

24କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ।”

25ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ।

26ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତିଶୟ ଭୟ କରି କହିଲେ, ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର