Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଗାଲିଲୀରେ

ପାଖାପାଖି ସୁସମାଚାର · ଗାଲିଲୀରେ

ମନୁଷ୍ୟକୁ କଅଣ ଅଶୁଚି କରେ

ମାଥି 15:1–20 · ମାର୍କ 7:1–23

ମାଥିଉ

ମାଥି 15:1–20

1ସେହି ସମୟରେ ଯିରୂଶାଲମ ସହରରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ,

2ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ।

3ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର?

4ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’

5କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋʼଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାଆନ୍ତ, ସେ ସବୁ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,’

6‘ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ।’ ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରିଅଛ।

7ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,

8‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।

9ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’”

10ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, “ଶୁଣ ଓ ବୁଝ;

11ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ।”

12ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ଅପମାନିତ ହୋଇଛନ୍ତି, ଆପଣ କଅଣ ଏହା ଜାଣନ୍ତି?

13କିନ୍ତୁ ଯୀଶୁ ଉତ୍ତର ଦେଲେ, “ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାନ୍ତି, ସେ ସବୁ ଉତ୍ପାଟିତ ହେବ।

14ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ।”

15ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ।

16ଯୀଶୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଅବୋଧ?”

17“ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ଶୌଚ ଦ୍ୱାରା ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ?

18କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ।

19କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;

20ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୁଆ ହାତରେ ଖାଇବା ମନୁଷ୍ୟକୁ ଅଶୁଚି କରେ ନାହିଁ।”

ମାର୍କ

ମାର୍କ 7:1–23

1ପରେ ଫାରୂଶୀମାନେ ଓ ଯିରୂଶାଲମ ସହରରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ।

2ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି, ଅର୍ଥାତ୍‍ ଅଧୁଆ ହାତରେ ଖାଇବା ଦେଖିଲେ।

3ଫାରୂଶୀମାନେ ଓ ସମସ୍ତ ଯିହୁଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲ ରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ।

4ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶପ୍ରାପ୍ତ କରିଅଛନ୍ତି।

5ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?

6ସେ ସେମାନଙ୍କୁ କହିଲେ, “ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖାଅଛି, ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।

7ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’

8ତୁମ୍ଭେମାନେ ଈଶ୍ବରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।”

9ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ!

10କାରଣ ମୋଶା କହିଅଛନ୍ତି, ‘ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’

11କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋʼଠାରୁ, ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍’, ଅର୍ଥାତ୍‍ ଈଶ୍ବରଙ୍କୁ ସମର୍ପିତ ହୋଇଅଛି,

12ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ;

13ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ।”

14ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋʼ କଥା ଶୁଣ ଓ ବୁଝ।

15ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହିସବୁ ତାହାକୁ ଅଶୁଚି କରେ।

16[ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।]”

17ଆଉ ସେ ଲୋକସମୂହଠାରୁ ଗୃହ ମଧ୍ୟକୁ ଆସିଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତଟିର ଭାବ ପଚାରିବାକୁ ଲାଗିଲେ।

18ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ମଧ୍ୟ କଅଣ ସେହିପରି ଅବୋଧ? ଯାହା କିଛି ବାହାରୁ ମନୁଷ୍ୟ ଭିତରେ ପ୍ରବେଶ କରେ, ତାହା ତାହାକୁ ଅଶୁଚି କରିପାରେ ନାହିଁ,

19କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ଶୌଚ ଦ୍ୱାରା ବର୍ହିଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ, ଏହା କଅଣ ବୁଝୁ ନାହଁ?”

20ଆଉ ସେ କହିଲେ, “ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ।

21କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ,

22ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା;

23ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ।”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର