15ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
16ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ;
17ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ;
18ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ।
19ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର,
20କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାର ଦିନରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
21କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
22ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ।
23ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ବା ‘ସେଠାରେ’, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
24କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ।
25ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି।
26ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ।
27କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ।
28ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।”