Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 26

ଅର୍ଥୋଡକ୍ସ ପଞ୍ଜିକା · 13 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 26 ସେପ୍ଟେମ୍ବର 2027

ରବିବାର · ସ୍ୱର 5

ପର୍ବ ଓ ସନ୍ଥ

ପେଣ୍ଟିକଷ୍ଟ ପରେ 14ତମ ରବିବାର

ଉତ୍ତୋଳନ ପର୍ବ ପୂର୍ବର ରବିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ପ୍ର.ରା 8:22–23, 27–30

22ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ; 23“ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ; 27ମାତ୍ର, ପରମେଶ୍ୱର କʼଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋʼ ନିର୍ମିତ ଏହି ଗୃହ କʼଣ ପାରିବ? 28ତଥାପି, ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର; 29ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍‍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ। 30ପୁଣି, ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 3:19–34

19ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ। 20ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଚ୍ଛୁଳି ଉଠେ, ପୁଣି, ମେଘରୁ କାକର ଟୋପା ଟୋପା ପଡ଼େ। 21ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର। 22ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ। 23ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି, ତୁମ୍ଭର ଚରଣ ଝୁଣ୍ଟିବ ନାହିଁ। 24ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ, ହଁ, ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ। 25ହଠାତ୍‍ ଉତ୍ପନ୍ନ ଆଶଙ୍କାକୁ କିଅବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ। 26ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ। 27ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ। 28ଆପଣା ନିକଟରେ ଦ୍ରବ୍ୟ ଥିଲେ, ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା ଏହା ତୁମ୍ଭ ପ୍ରତିବାସୀକୁ କୁହ ନାହିଁ। 29ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ। 30ମନୁଷ୍ୟ ତୁମ୍ଭର କ୍ଷତି ନ କଲେ, ଅକାରଣରେ ତାହା ସହିତ ବିରୋଧ କର ନାହିଁ। 31ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ, ପୁଣି, ତାହାର କୌଣସି ପଥ ମନୋନୀତ କର ନାହିଁ। 32କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ। 33ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି। 34ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 9:1–11

1ଜ୍ଞାନ ଆପଣା ଗୃହ ନିର୍ମାଣ କରିଅଛି, ସେ ତାହାର ସପ୍ତସ୍ତମ୍ଭ ଖୋଳିଅଛି; 2ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି। 3ସେ ଆପଣା ଦାସୀମାନଙ୍କୁ ପଠାଇଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4“ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ;” ପୁଣି, ଯେଉଁ ଜନ ନିର୍ବୋଧ, ତାହାକୁ ସେ କହେ, 5“ଆସ, ମୋହର ଭକ୍ଷ୍ୟ ଭୋଜନ କର ଓ ମୋହର ମିଶ୍ରିତ ଦ୍ରାକ୍ଷାରସ ପାନ କର। 6ହେ ଅବୋଧ ଲୋକମାନେ, ଅବୋଧମାନଙ୍କର ସଙ୍ଗ ପରିତ୍ୟାଗ କରି ଜୀବନ ରକ୍ଷା କର; ପୁଣି, ସୁବିବେଚନାର ପଥରେ ଚାଲ।” 7ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ। 8ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। 9ଜ୍ଞାନୀକୁ ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି, ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ଡିତ୍ୟ ବୃଦ୍ଧି ପାଇବ। 10ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ। 11ଯେହେତୁ ମୋʼ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ।

ପ୍ରଭାତୀ ପ୍ରାର୍ଥନାର ତୃତୀୟ ସୁସମାଚାର

ମାର୍କ 16:9–20

9[ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍‌ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ। 10ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ। 11ଯୀଶୁ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ। 12ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ, 13ପୁଣି, ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ। 14ଏଥିଉତ୍ତାରେ ଏଗାର ଜଣ ଶିଷ୍ୟମାନେ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ। 15ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। 17ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।” 19ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। 20କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।]

ପତ୍ର (କ୍ରୁଶର ଉତ୍ତୋଳନ ପୂର୍ବର ରବିବାର ପାଇଁ)

ଗାଲା 6:11–18

11ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି। 12ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି। 13କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି। 14କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। 15କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। 16ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। 17ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି। 18ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।

ପତ୍ର

ଦ୍ଵି.କରି 1:21–2:4

21ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ବର; 22ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି। 23କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ। 24ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ। 2:1ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି। 2ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ? 3ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥିନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ। 4କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ-ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ।

ପତ୍ର (ପବିତ୍ର ସମାଧି ଗିର୍ଜାର ଉତ୍ସର୍ଗ ପାଇଁ)

ଏବ୍ରୀ 3:1–4

1ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର; 2ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ। 3ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି। 4ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର।

ସୁସମାଚାର (କ୍ରୁଶର ଉତ୍ତୋଳନ ପୂର୍ବର ରବିବାର ପାଇଁ)

ଯୋହ 3:13–17

13ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ। 14ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, 15ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” 16କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 17ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।

ସୁସମାଚାର

ମାଥି 22:1–14

1ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, 2“ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, 3ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। 4ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’ 5କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, 6ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ। 7କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍‍ କଲେ। 8ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। 9ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର। 10ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା। 11କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ-ବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, 12ହେ ବନ୍ଧୁ, ତୁମ୍ଭେ ବିବାହ-ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। 13ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। 14କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ।’”

ସୁସମାଚାର (ପବିତ୍ର ସମାଧି ଗିର୍ଜାର ଉତ୍ସର୍ଗ ପାଇଁ)

ମାଥି 16:13–18

13ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?” 14ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। 15ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” 16ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର। 17ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି। 18ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 13 ନାଗରିକ ପଞ୍ଜିକାର ସେପ୍ଟେମ୍ବର 26। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର