ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 27
ଅର୍ଥୋଡକ୍ସ ପଞ୍ଜିକା · 14 ସେପ୍ଟେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 27 ସେପ୍ଟେମ୍ବର 2027
ସୋମବାର · ପେଣ୍ଟିକଷ୍ଟ ପରେ 15ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
The Universal Exaltation of the Precious and Life-Giving Cross
ଏକ ଦିନର ଉପବାସ · କଠୋର ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
22ଏଥିଉତ୍ତାରେ ମୋଶା ଇସ୍ରାଏଲଙ୍କୁ ସୂଫ ସାଗରଠାରୁ ଯାତ୍ରା କରାଇଲେ, ପୁଣି, ସେମାନେ ଶୂର-ପ୍ରାନ୍ତର ଆଡ଼କୁ ଯାତ୍ରା କଲେ, ସେମାନେ ପ୍ରାନ୍ତରରେ ତିନି ଦିନ ଯାତ୍ରା କରି ଜଳ ପାଇଲେ ନାହିଁ। 23ତହୁଁ ସେମାନେ ମାରାଠାରେ ଉପସ୍ଥିତ ହୁଅନ୍ତେ, ତିକ୍ତତା ହେତୁରୁ ମାରାର ଜଳ ପାନ କରି ପାରିଲେ ନାହିଁ; ଏଣୁ ତାହାର ନାମ ମାରା ହେଲା। 24ସେତେବେଳେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “ଆମ୍ଭେମାନେ କଅଣ ପିଇବା?” 25ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାଙ୍କୁ ଏକ-ପ୍ରକାର କାଷ୍ଠ ଦେଖାଇଲେ, ସେ ତାହା ନେଇ ଜଳରେ ପକାନ୍ତେ, ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ, ପୁଣି, ସେମାନଙ୍କର ପରୀକ୍ଷା ନେଇ କହିଲେ, 26“ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।” 27ଏଥିଉତ୍ତାରେ ସେମାନେ ଏଲୀମଠାରେ ଉପସ୍ଥିତ ହେଲେ; ସେଠାରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ତହିଁରେ ସେମାନେ ସେହି ଜଳ ନିକଟରେ ଛାଉଣି ସ୍ଥାପନ କଲେ। 16:1ଏଥିଉତ୍ତାରେ ସେମାନେ ଏଲୀମଠାରୁ ଯାତ୍ରା କଲେ, ଆଉ ମିସର ଦେଶରୁ ପ୍ରସ୍ଥାନ କଲା ଉତ୍ତାରେ ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲୀମ ଓ ସୀନୟର ମଧ୍ୟବର୍ତ୍ତୀ ସୀନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
11ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ। 12କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଅନୁଶାସନ କରନ୍ତି। 13ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ। 14ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ। 15ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ। 16ତାହାର ଡାହାଣ ହସ୍ତରେ ଦୀର୍ଘାୟୁ, ତାହାର ବାମ ହସ୍ତରେ ଧନ ଓ ସମ୍ମାନ ଥାଏ। 17ତାହାର ପଥସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ। 18ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ; ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ।
ସନ୍ଧ୍ୟା ପ୍ରାର୍ଥନା: ପାଠ
11ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ଓ ତହିଁ ସଙ୍ଗେ ସେମାନଙ୍କର ରାଜାଗଣ ବନ୍ଦୀ ହୋଇ ଯେପରି ତୁମ୍ଭ ନିକଟକୁ ଅଣାଯିବେ, ଏଥିପାଇଁ ତୁମ୍ଭ ନଗରର ଦ୍ୱାରସକଳ ନିରନ୍ତର ମୁକ୍ତ ଥିବ, ଦିବାରାତ୍ର ସେହି ସବୁ ବନ୍ଦ ହେବ ନାହିଁ। 12କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ। 13ଲିବାନୋନର ଗୌରବ ତୁମ୍ଭ ନିକଟକୁ ଆସିବ, ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନ ସୁଶୋଭିତ କରିବା ପାଇଁ ଆସିବେ, ପୁଣି ଆମ୍ଭେ ଆପଣା ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା। 14ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ; ଆଉ, ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ ବୋଲି ସମ୍ବୋଧନ କରିବେ। 15ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ ପରମ୍ପରାର ଆନନ୍ଦ ସ୍ୱରୂପ କରିବା। 16ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
28ପିତଃ, ଆପଣା ନାମ ମହିମାନ୍ୱିତ କର।” ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ। 29ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି। 30ଯୀଶୁ ଉତ୍ତର ଦେଲେ, “ମୋʼ ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି। 31ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ। 32ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। 33ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।” 34ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? 35ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ। 36ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ।
ପତ୍ର (କ୍ରୁଶର ଉତ୍ତୋଳନ ପାଇଁ)
18କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ। 19ଯେଣୁ ଏହା ଲେଖାଅଛି, “ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା।” 20ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ବର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି? 21କାରଣ ଈଶ୍ବରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ବରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ଵାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ବର ସନ୍ତୁଷ୍ଟ ହେଲେ। 22କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, 23କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୁଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ, 24କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି।
ସୁସମାଚାର (କ୍ରୁଶର ଉତ୍ତୋଳନ ପାଇଁ)
ଯୋହ 19:6–11, 13–20, 25–28, 30–35
6ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ। 7ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି 8ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; 9ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ। 10ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ? 11ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।” 13ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ। 14ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା! 15ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ। 16ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ। 17ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ। 18ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅନ୍ୟ ଦୁଇ କ୍ରୁଶରେ ଚଢ଼ାଇଲେ, ଦୁଇ ପାର୍ଶ୍ୱରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ। 19ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା। 20ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା। 25କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍ଦଲୀନୀ ମରୀୟମ ଠିଆ ହୋଇଥିଲେ। 26ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!” 27ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ। 28ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।” 30ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ। 31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍କ୍ଷଣାତ୍ ରକ୍ତ ଓ ଜଳ ବାହାର ହେଲା। 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 14 ନାଗରିକ ପଞ୍ଜିକାର ସେପ୍ଟେମ୍ବର 27। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର