ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 28
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 28 ଅପ୍ରେଲ 2027
ବୁଧବାର · ପାସ୍କା କାଳର ପଞ୍ଚମ ସପ୍ତାହ
ପର୍ବ ଓ ସନ୍ଥ
ପାସ୍କା କାଳର ପଞ୍ଚମ ସପ୍ତାହର ବୁଧବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ସନ୍ଥ ଲୁଇ ଗ୍ରିନିଅଁ ଡି ମଣ୍ଟଫୋର୍ଟ, ପୁରୋହିତ · ଇଚ୍ଛାଧୀନ ସ୍ମୃତି ଦିବସ
ସନ୍ଥ ପିଟର୍ ଶାନେଲ୍, ପୁରୋହିତ ଓ ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
1ଏଥିମଧ୍ୟରେ କେତେକ ଲୋକ ଯିହୂଦିୟା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ। 2ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ। 3ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୁଦୀମାନଙ୍କ ମନ-ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ। 4ପରେ ସେମାନେ ଯିରୂଶାଲମ ସହରରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି, ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ବର୍ଣ୍ଣନା କଲେ। 5କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ। 6ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ।
ପ୍ରତିଉତ୍ତର ଗୀତ
1ଆରୋହଣ ଗୀତ; ଦାଉଦଙ୍କ ରଚିତ। “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। 2ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି; 4ଗୋଷ୍ଠୀବର୍ଗ, ଅର୍ଥାତ୍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ ଇସ୍ରାଏଲ ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା ନିମନ୍ତେ ସେଠାରେ ଆରୋହଣ କରନ୍ତି। 5କାରଣ ସେଠାରେ ବିଚାରାର୍ଥକ ସିଂହାସନ, ଦାଉଦ-ବଂଶର ସିଂହାସନସବୁ ସ୍ଥାପିତ ଅଛି।
ସୁସମାଚାର
1“ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ। 2ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। 3ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ। 4ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। 5ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ। 6କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ। 7ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। 8ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ।
ଆଜିର ସନ୍ଥ
- ସନ୍ଥ ଲୁଇ ଗ୍ରିନିଅଁ ଡି ମଣ୍ଟଫୋର୍ଟ, ପୁରୋହିତ
- ସନ୍ଥ ପିଟର୍ ଶାନେଲ୍, ପୁରୋହିତ ଓ ଶହୀଦ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର