ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 26
ଅର୍ଥୋଡକ୍ସ ପଞ୍ଜିକା · 13 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 26 ଅପ୍ରେଲ 2027
ସୋମବାର · ପବିତ୍ର ସପ୍ତାହ
ପର୍ବ ଓ ସନ୍ଥ
ମହାନ ଓ ପବିତ୍ର ସୋମବାର
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସୁସମାଚାର (ବରଙ୍କ ପ୍ରଭାତୀ ପ୍ରାର୍ଥନା)
18ସକାଳେ ସେ ଯିରୂଶାଲମ ସହରକୁ ଫେରିବା ସମୟରେ କ୍ଷୁଧିତ ହେଲେ, 19ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, “ଆଉ କଦାପି ତୋʼଠାରେ ଫଳ ନ ହେଉ।” ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା। 20ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିବୃକ୍ଷଟି କିପରି ସେହିକ୍ଷଣି ଶୁଖିଗଲା? 21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରିବୃକ୍ଷ ପ୍ରତି ଯେପରି ହୋଇଅଛି, କେବଳ ଯେ ସେପରି ହେବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ତାହାହେଲେ ତାହା ହେବ। 22ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।” 23ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା? 24ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି। 25ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା? ସ୍ୱର୍ଗରୁ ବା ମନୁଷ୍ୟଠାରୁ?” ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ? 26କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି। 27ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ସେ ମଧ୍ୟ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।” 28“ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ‘ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର।’” 29ସେ ଉତ୍ତର ଦେଲା, “‘ମୋହର ଇଚ୍ଛା ନାହିଁ,’ କିନ୍ତୁ ପରେ ଅନୁତାପ କରି ଗଲା। 30ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ‘ମହାଶୟ, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ।’ 31ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା?” ସେମାନେ କହିଲେ, “ପ୍ରଥମ ଜଣକ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି। 32କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରିପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ।” 33“ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ। 34ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ। 35କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫୋପାଡ଼ି ମାରିପକାଇଲେ। 36ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ। 37‘କିନ୍ତୁ ମୋହର ପୁଅକୁ ସେମାନେ ମାନ୍ୟ କରିବେ,’ ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ। 38ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ‘ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ।’ 39ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ। 40ଅତଏବ ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?” 41ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁର ଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ। 42ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’ 43ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ି ନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ।
ଷଷ୍ଠ ଘଣ୍ଟା
1ତିରିଶ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲର କବାର ନଦୀ କୂଳରେ ବନ୍ଦୀମାନଙ୍କ ମଧ୍ୟରେ ମୁଁ ଥିବା ସମୟରେ ସ୍ୱର୍ଗ ମୁକ୍ତ ହେଲା, ତହିଁରେ ମୁଁ ପରମେଶ୍ୱରଙ୍କଠାରୁ ଦର୍ଶନମାନ ଦେଖିଲି। 2ରାଜା ଯିହୋୟାଖୀନ୍ର ବନ୍ଦୀ ହେବାର ପଞ୍ଚମ ବର୍ଷର, ସେହି ମାସର ପଞ୍ଚମ ଦିନରେ, 3କଲ୍ଦୀୟମାନଙ୍କ ଦେଶରେ କବାର ନଦୀ କୂଳରେ ବୂଷିର ପୁତ୍ର ଯିହିଜିକଲ ଯାଜକଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା; ପୁଣି, ସେଠାରେ ସଦାପ୍ରଭୁଙ୍କର ହସ୍ତ ତାଙ୍କ ଉପରେ ଥିଲା। 4ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା। 5ପୁଣି, ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। 6ଆଉ, ପ୍ରତ୍ୟେକର ଚାରି ଚାରି ମୁଖ ଓ ପ୍ରତ୍ୟେକର ଚାରି ଚାରି ପକ୍ଷ ଥିଲା। 7ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କ ପାଦର ତଳିପା ଗୋବତ୍ସର ତଳିପାର ତୁଲ୍ୟ; ଆଉ, ସେମାନେ ପରିଷ୍କୃତ ପିତ୍ତଳ ପରି ଝଟକିଲେ। 8ଆଉ, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ପକ୍ଷ ତଳେ ମନୁଷ୍ୟର ହସ୍ତ ତୁଲ୍ୟ ହସ୍ତ ଥିଲା; ପୁଣି, ସେହି ଚାରି ପ୍ରାଣୀର ମୁଖ ଓ ସେମାନଙ୍କର ପକ୍ଷ ଏହି ପ୍ରକାର ଥିଲା, ଯଥା; 9ସେମାନଙ୍କର ପକ୍ଷ ପରସ୍ପର ସଂଯୁକ୍ତ; ସେମାନେ ଗମନ କରିବା ବେଳେ ପଛକୁ ଫେରିଲେ ନାହିଁ; ମାତ୍ର ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ। 10ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଡାହାଣ ପାର୍ଶ୍ୱରେ ଚାରି ପ୍ରାଣୀର ସିଂହ-ମୁଖ ଓ ବାମ ପାର୍ଶ୍ୱରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା। 11ପୁଣି, ଉପର ଭାଗରେ ସେମାନଙ୍କର ମୁଖ ଓ ପକ୍ଷ ବିଭିନ୍ନ ଥିଲା; ପ୍ରତ୍ୟେକର ଦୁଇ ଦୁଇ ପକ୍ଷ ପରସ୍ପର ସଂଯୁକ୍ତ ଥିଲା ଓ ଦୁଇ ଦୁଇ ପକ୍ଷ ସେମାନଙ୍କର ଶରୀର ଆଚ୍ଛାଦନ କଲା। 12ପୁଣି, ସେମାନେ ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ; ଯେଉଁଆଡ଼େ ଯିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲା, ସେହିଆଡ଼େ ସେମାନେ ଗମନ କଲେ; ଗମନ ସମୟରେ ସେମାନେ ଫେରିଲେ ନାହିଁ। 13ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା। 14ପୁଣି, ସେହି ଜୀବିତ ପ୍ରାଣୀଗଣ ବିଦ୍ୟୁତ୍ର ଆଭା ସଦୃଶ ଦୌଡ଼ିଲେ ଓ ଫେରିଲେ। 15ମୁଁ ସେହି ଜୀବିତ ପ୍ରାଣୀମାନଙ୍କୁ ଦର୍ଶନ କଲା ବେଳେ, ଦେଖ, ସେହି ଜୀବିତ ପ୍ରାଣୀମାନଙ୍କ ପାର୍ଶ୍ୱରେ ସେମାନଙ୍କ ଚାରି ମୁଖର ପ୍ରତ୍ୟେକର ପାଇଁ ଭୂମି ଉପରେ ଗୋଟିଏ ଗୋଟିଏ ଚକ୍ର ଥିଲା। 16ସେହି ଚାରି ଚକ୍ରର ଆକୃତି ଓ ରଚନା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଓ ଚାରିର ରୂପ ଏକ-ପ୍ରକାର; ପୁଣି, ସେମାନଙ୍କର ଆକୃତି ଓ ରଚନା ଚକ୍ର ମଧ୍ୟରେ ଚକ୍ର ପରି ଥିଲା। 17ଗମନ କଲା ବେଳେ ସେହି ଚାରି ଚକ୍ର ଆପଣା ଆପଣାର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ। 18ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର; ପୁଣି, ସେମାନଙ୍କର ସେହି ଚାରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। 19ଆଉ, ସେହି ଜୀବିତ ପ୍ରାଣୀମାନେ ଗମନ କରିବା ବେଳେ ସେହି ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଚଳିଲେ; ପୁଣି, ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ଚକ୍ରସବୁ ମଧ୍ୟ ଉତ୍ଥାପିତ ହେଲେ। 20ଯେକୌଣସି ସ୍ଥାନକୁ ଯିବାର ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା, ସେସ୍ଥାନକୁ ସେମାନେ ଗଲେ; ଗମନ କରିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉଠିଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା।
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଦେଶକୁ ଆସିଲେ, ସେମାନଙ୍କ ନାମ; 2ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା; 3ଇଷାଖର, ସବୂଲୂନ ଓ ବିନ୍ୟାମୀନ୍; 4ଦାନ୍ ଓ ନପ୍ତାଲି; ଗାଦ୍ ଓ ଆଶେର। 5ସର୍ବସୁଦ୍ଧା ଯାକୁବଙ୍କଠାରୁ ଉତ୍ପନ୍ନ ବଂଶ ସତୁରି ପ୍ରାଣୀ ଥିଲେ; ମାତ୍ର ଯୋଷେଫ ପୂର୍ବେ ମିସରରେ ଥିଲେ। 6ଏଥିଉତ୍ତାରେ ଯୋଷେଫ, ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ। 7ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା। 8ଏଥିଉତ୍ତାରେ ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ। 9ସେ ଆପଣା ଲୋକମାନଙ୍କୁ କହିଲେ, “ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି। 10ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି, ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ।” 11ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍, ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ। 12ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି, ସେତେ ଅଧିକ ବ୍ୟାପିଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ। 13ତହିଁରେ ମିସରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ। 14ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେଉଁ ସମସ୍ତ ଦାସ୍ୟକର୍ମ କରାଇଲେ; ସେହି ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ। 15ଏଥିଉତ୍ତାରେ ମିସରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ, 16“ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେସମୟରେ ଯଦି ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯଦି କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ।” 17ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିସରୀୟ ରାଜାଙ୍କର ଆଜ୍ଞା ଅନୁସାରେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ। 18ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଏପରି କାର୍ଯ୍ୟ କାହିଁକି କରୁଅଛ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ?” 19ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, “ଏବ୍ରୀୟା ସ୍ତ୍ରୀଗଣ ମିସରୀୟା ସ୍ତ୍ରୀଗଣ ପରି ନୁହନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି।” 20ପୁଣି, ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଊଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା; ଆଉ ସେ ସିଦ୍ଧ, ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଥିଲା। 2ପୁଣି, ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଥିଲେ। 3ମଧ୍ୟ ତାହାର ସମ୍ପତ୍ତି ସାତ ହଜାର ମେଷ, ତିନି ହଜାର ଉଷ୍ଟ୍ର, ପାଞ୍ଚ ଶହ ହଳ ବଳଦ, ପାଞ୍ଚ ଶହ ଗର୍ଦ୍ଦଭୀ ଓ ଅନେକ ଦାସଦାସୀ ଥିଲେ। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ହୋଇଥିଲା। 4ଆଉ, ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକେ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ; ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନ ଓ ପାନ କରିବା ପାଇଁ ଆପଣାମାନଙ୍କ ତିନି ଭଗିନୀଙ୍କୁ ନିମନ୍ତ୍ରଣ କଲେ। 5ପୁଣି, ପାଳିକ୍ରମେ ସେମାନଙ୍କ ଭୋଜର ଦିନ ଗତ ହୁଅନ୍ତେ, ଆୟୁବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ପାଇଁ ହୋମବଳି ଉତ୍ସର୍ଗ କଲା; କାରଣ ଆୟୁବ କହିଲା, “ହୋଇପାରେ, ଆମ୍ଭର ପିଲାମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ଅଭିଶାପ କରିଥିବେ।” ଏହିରୂପେ ଆୟୁବ ସର୍ବଦା କଲା। 6ଦିନକରେ ପରମେଶ୍ୱରଙ୍କ ଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା। 7ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।” 8ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ?” 9ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଆୟୁବ କʼଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି? 10ତୁମ୍ଭେ କʼଣ ତାହାର ଚତୁର୍ଦ୍ଦିଗରେ, ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇ ନାହଁ? ତୁମ୍ଭେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି। 11ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ।” 12ତହୁଁ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ତାହାର ସର୍ବସ୍ୱରେ ତୁମ୍ଭର କ୍ଷମତା ଅଛି; କେବଳ ତାହାରି ଉପରେ ତୁମ୍ଭେ ହସ୍ତ ନ ଦିଅ।” ତହିଁରେ ଶୟତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରିଗଲା।
ସୁସମାଚାର (ପୂର୍ବ-ପବିତ୍ରୀକୃତ ଦାନର ଉପାସନା)
3ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ। 4ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। 5କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। 6ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। 7କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। 8କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର। 9ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। 10ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, 11ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, 12ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। 13ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। 14ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ। 15ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), 16ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; 17ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; 18ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ। 19ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର, 20କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାର ଦିନରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। 21କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ। 22ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ। 23ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ବା ‘ସେଠାରେ’, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ। 24କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। 25ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି। 26ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ। 27କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ। 28ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।” 29“ମାତ୍ର ସେହି ସମୟର କଷ୍ଟ ପରେ ‘ହଠାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’ 30ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। 31ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।” 32“ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; 33ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ। 34ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ। 35ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 13 ନାଗରିକ ପଞ୍ଜିକାର ଅପ୍ରେଲ 26। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର