ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 25
ଅର୍ଥୋଡକ୍ସ ପଞ୍ଜିକା · 12 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 25 ଅପ୍ରେଲ 2027
ରବିବାର
ପର୍ବ ଓ ସନ୍ଥ
ଖଜୁରୀ ରବିବାର. ଯିରୂଶାଲମରେ ଆମ୍ଭମାନଙ୍କ ପ୍ରଭୁଙ୍କ ପ୍ରବେଶ
ମହା ଉପବାସ
ମାଛ ଚଳିବ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି। 2ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ। 8ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବେ। 9ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ? 10ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ। 11ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ। 12ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦନ୍ତ ଶ୍ୱେତବର୍ଣ୍ଣ ହେବ।
ସନ୍ଧ୍ୟା ପ୍ରାର୍ଥନା: ପାଠ
14ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର; ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର। 15ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି; ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ। 16ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ। 17ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ। 18ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା; ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା। 19ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେହି ସମସ୍ତଙ୍କ ପ୍ରତି ସେହି ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା; ପୁଣି, ଆମ୍ଭେ ଆଘାତ ପ୍ରାପ୍ତ ଲୋକଙ୍କୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା; ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା।
ସନ୍ଧ୍ୟା ପ୍ରାର୍ଥନା: ପାଠ
9ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। 10ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ୱ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ। 11ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ। 12ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ। 13କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା। 14ପୁଣି, ସଦାପ୍ରଭୁ ସେମାନଙ୍କୁ ଊର୍ଦ୍ଧ୍ୱରୁ ଦେଖାଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ। 15ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
1ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ବୈଥ୍ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ। 2“ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ରେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋ ନିକଟକୁ ନେଇଆସ। 3ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ।” 4ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା, 5ସିୟୋନର କନ୍ୟାକୁ କୁହ, ଦେଖ୍, ତୋର ରାଜା ତୋʼ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ। 6ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କାମ କଲେ, 7ପୁଣି, ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ। 8ପୁଣି, ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ। 9ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା। 10ଆଉ ସେ ଯିରୂଶାଲମ ସହରରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା। 11ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ। 15କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦଙ୍କ ସନ୍ତାନ ବୋଲି ଉଚ୍ଚସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ, 16ପୁଣି, ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, “ହଁ, ‘ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ,’ ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?” 17ଆଉ, ସେ ସେମାନଙ୍କୁ ଛାଡ଼ିଦେଇ ଯିରୂଶାଲମ ସହରରୁ ବାହାରି ବେଥନୀୟାକୁ ଯାଇ ସେଠାରେ ରାତି କଟାଇଲେ।
ପତ୍ର
4ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର। 5ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ। 6କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ। 7ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। 8ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। 9ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼ ଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ବର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
ସୁସମାଚାର
1ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ। 2ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ। 3ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା। 4କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, 5ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା? 6ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା। 7ସେଥିରେ ଯୀଶୁ କହିଲେ, “ଏହାକୁ ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ। 8ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।” 9ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାହାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ। 10କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, 11କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ। 12ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମ ସହରକୁ ଆସୁଅଛନ୍ତି ବୋଲି ଶୁଣି 13ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, “ହୋଶାନ୍ନା।” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା।” 14ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖାଅଛି, 15ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। 16ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା। 17ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ। 18ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 12 ନାଗରିକ ପଞ୍ଜିକାର ଅପ୍ରେଲ 25। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର