Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 21

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 21 ମାର୍ଚ୍ଚ 2027

ରବିବାର · ପବିତ୍ର ସପ୍ତାହ

ପର୍ବ ଓ ସନ୍ଥ

ଖଜୁରୀ ରବିବାର — ପ୍ରଭୁଙ୍କ ଦୁଃଖଭୋଗ

ରବିବାର · ଉପାସନାର ରଙ୍ଗ: ନାଲି

ଦିନର ପାଠ

ଶୋଭାଯାତ୍ରାର ସୁସମାଚାର

ମାର୍କ 11:1–10

କିମ୍ବା: ଯୋହ 12:12–16

1ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍‌ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 2“ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ। 3ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।” 4ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ। 5ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ? 6ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ। 7ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ। 8ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ। 9ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! 10ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା!

ପ୍ରଥମ ପାଠ

ଯିଶା 50:4–7

4ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି। 5ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ। 6ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ। 7କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।

ପ୍ରତିଉତ୍ତର ଗୀତ

ଗୀତ 22:7–8, 16–19, 22–23

7ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି; ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି, 8“ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; ସେ ତାହାକୁ ଉଦ୍ଧାର କରନ୍ତୁ; ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ।” 16କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି; ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି। 17ମୁଁ ଆପଣା ଅସ୍ଥିସବୁ ଗଣିପାରେ; ସେମାନେ ମୋତେ ଅନାଇ ଚାହିଁ ରହିଥାʼନ୍ତି। 18ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋʼ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି। 19ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ। 22ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି। 23ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ।

ଦ୍ୱିତୀୟ ପାଠ

ଫିଲି 2:6–11

6ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, 7କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ; 8ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। 9ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, 10ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, 11ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

ସୁସମାଚାର

ମାର୍କ 14:1–15:47

1ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ। 2କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। 3ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। 4କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା? 5ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ। 6କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି। 7କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି। 8ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି। 9ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।” 10ସେଥିରେ ବାର ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା। 11ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲା। 12ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 13ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ; 14ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ? 15ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।” 16ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 17ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ। 18ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 19ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ? 20ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି। 21ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।” 22ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।” 23ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। 24ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ। 25ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।” 26ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ। 27ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖାଅଛି, ‘ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’ 28କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।” 29ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ। 30ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।” 31କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ। 32ପରେ ସେମାନେ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।” 33ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ। 34ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ।” 35ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ। 36ଆଉ ଯୀଶୁ କହିଲେ, “ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।” 37ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ? 38ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।” 39ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ। 40ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ। 41ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, “ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। 42ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।” 43ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ। 44ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ। 45ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା। 46ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। 47କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ। 48ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? 49ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।” 50ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। 51କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, 52ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା। 53ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ। 54ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ। 55ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; 56କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। 57ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, 58ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି। 59କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। 60ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ? 61କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି? 62ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।” 63ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? 64ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ। 65ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ। 66ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା, 67ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ। 68କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ; 69ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ। 70କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ। 71କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ। 72ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ। 15:1ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍‍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ। 2ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।” 3ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ। 4ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି। 5କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ। 6ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ। 7ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା। 8ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ। 9ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ଇଚ୍ଛା କରୁଅଛ? ଆମ୍ଭେ କଅଣ ତୁମ୍ଭମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା? 10କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ। 11ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଂ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ। 12କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୁଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କଅଣ କରିବା? 13ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ। 14ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ। 15ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। 16ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍‍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ। 17ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ; 18ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ। 19ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ। 20ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ। 21ସେତେବେଳେ ଆଲେକ୍‌ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ। 22ଆଉ ସେମାନେ ତାହାଙ୍କୁ ଗଲ୍‌ଗଥା, ଅର୍ଥାତ୍‍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ। 23ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ। 24ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ। 25ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। 26ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା। 27ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ। 28[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।] 29ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, 30କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର। 31ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। 32ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ। 33ଦିନ ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ଦିନ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା। 34ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍ “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ?” 35ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଅଛି। 36ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା। 37କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ। 38ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା। 39ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତ-ସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ବରଙ୍କ ପୁତ୍ର ଥିଲେ। 40କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରୀୟମ, ପୁଣି, ଶଲୋମୀ ଥିଲେ; 41ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍‌ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମ ସହରକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ। 42ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍‍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ, 43ହାରାମାଥୀୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। 44କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତ-ସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି? 45ଶତ-ସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ। 46ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ। 47ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍‌ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର