17ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ।
18ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟୀମ ତଳଭୂମିରେ ବିସ୍ତାର ହୋଇଥିଲେ
19ଏଥିରେ ଦାଉଦ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କି ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
20ତହୁଁ ଦାଉଦ ବାଲ୍-ପରାସୀମ୍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍-ପରାସୀମ୍ (ଭଗ୍ନ ସ୍ଥାନ) ରଖିଲେ।
21ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହି ସବୁ ଦଗ୍ଧ କଲେ।
22ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟୀମ ତଳଭୂମିରେ ବିସ୍ତାର (ବିଶ୍ରାମ ନେଲେ) ହେଲେ।
23ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠିଯାଅ ନାହିଁ; ସେମାନଙ୍କ ପଶ୍ଚାତ୍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
24ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”
25ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ।