1ଏଥିଉତ୍ତାରେ ଦାଉଦ ପୁନର୍ବାର ଇସ୍ରାଏଲର ତିରିଶ ହଜାର ବଛା ଲୋକ ସମସ୍ତଙ୍କୁ ସଂଗ୍ରହ କଲେ।
2ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି, ସେହି ନାମରେ ଖ୍ୟାତ, ଅର୍ଥାତ୍, କିରୂବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ, ପରମେଶ୍ୱରଙ୍କ ସିନ୍ଦୁକ ବାଲି-ଯିହୁଦାଠାରୁ ଆଣିବାକୁ ଗଲେ।
3ପୁଣି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଏକ ନୂଆ ଶଗଡ଼ରେ ରଖି ପର୍ବତସ୍ଥ ଅବୀନାଦବର ଗୃହରୁ ଆଣିଲେ; ପୁଣି ଅବୀନାଦବର ପୁତ୍ର ଉଷ ଓ ଅହୀୟୋ ସେହି ନୂଆ ଶଗଡ଼ ଚଳାଇଲେ।
4ଆଉ ସେମାନେ ପର୍ବତସ୍ଥ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ସିନ୍ଦୁକ ସହିତ ତାହା ଆଣିଲେ; ଅହୀୟୋ ସିନ୍ଦୁକର ଆଗେ ଆଗେ ଚାଲିଲା।
5ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ।
6ଆଉ ସେମାନେ ନାଖୋନ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା।
7ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।
8ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ-ଉଷ (ଉଷ ପ୍ରତି ଆକ୍ରମଣ) ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।
9ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କିପ୍ରକାରେ ମୋʼ ନିକଟକୁ ଆସିବ?”
10ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍-ଇଦୋମର ଗୃହରେ ରଖିଲେ,
11ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥୀୟ ଓବେଦ୍-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।