Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶାଉଲ ଓ ଦାଉଦ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶାଉଲ ଓ ଦାଉଦ

ଦାଉଦଙ୍କ ପ୍ରାର୍ଥନା

ଦ୍ଵି.ଶା 7:18–29 · ପ୍ର.ବଂ 17:16–27

ଦ୍ୱିତୀୟ ଶାମୁୟେଲ

ଦ୍ଵି.ଶା 7:18–29

18ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ପ୍ରଭୋ ସଦାପ୍ରଭୋ, ମୁଁ କିଏ ଓ ମୋର ବଂଶ ବା କଅଣ ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?

19ତଥାପି, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୋ ସଦାପ୍ରଭୋ, ଏହା କʼଣ ମନୁଷ୍ୟର ବ୍ୟବସ୍ଥା?

20ଏଣୁ ଦାଉଦ ତୁମ୍ଭକୁ ଆଉ କଅଣ କହିପାରେ? କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସକୁ ଜାଣୁଅଛ।

21ତୁମ୍ଭେ ନିଜ ବାକ୍ୟ ସକାଶୁ ଓ ନିଜ ଇଚ୍ଛାନୁସାରେ ଏହିସବୁ ମହାନ କାର୍ଯ୍ୟ କରି ଆପଣା ଦାସକୁ ଜଣାଇଅଛ।

22ଏହେତୁ ହେ ସଦାପ୍ରଭୋ ପରମେଶ୍ୱର, ତୁମ୍ଭେ ମହାନ; କାରଣ ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।

23ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।

24ପୁଣି ତୁମ୍ଭେ ଅନନ୍ତକାଳଯାଏ ଆପଣା ଉଦ୍ଦେଶ୍ୟରେ ଏକ ଲୋକ କରିବା ନିମନ୍ତେ ଆପଣା ଲୋକ ଇସ୍ରାଏଲକୁ ଆପଣା ପାଇଁ ସ୍ଥାୟୀ କରିଅଛ। ଆଉ ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ।

25ଏବେ ହେ ସଦାପ୍ରଭୋ, ପରମେଶ୍ୱର, ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ ବାକ୍ୟ କହିଅଛ, ତାହା ଅନନ୍ତକାଳ ପର୍ଯ୍ୟନ୍ତ ଦୃଢ଼ କର ଓ ଯେପରି କହିଅଛ, ସେପରି କର।

26ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ଏହି କଥା ଦ୍ୱାରା ତୁମ୍ଭ ନାମ ଅନନ୍ତକାଳ ମହତ୍ ହେଉ।

27କାରଣ ହେ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବି ବୋଲି ତୁମ୍ଭେ ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବା ପାଇଁ ତୁମ୍ଭର ଦାସ ସାହସ ପାଇଲା।

28ଆଉ ଏବେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ହିଁ ପରମେଶ୍ୱର ଓ ତୁମ୍ଭର ବାକ୍ୟ ସତ୍ୟ, ପୁଣି ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ;

29ଏହେତୁ ଯେପରି ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ବିଦ୍ୟମାନ ରହିବ, ଏଥିପାଇଁ ଅନୁଗ୍ରହ କରି ତାକୁ ଆଶୀର୍ବାଦ କର; କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପେ ଏହା କହିଅଛ; ଏଣୁ ତୁମ୍ଭ ଦାସର ବଂଶ ତୁମ୍ଭ ଆଶୀର୍ବାଦରେ ଅନନ୍ତକାଳ ଆଶୀର୍ବାଦଯୁକ୍ତ ହେଉ।”

ପ୍ରଥମ ବଂଶାବଳୀ

ପ୍ର.ବଂ 17:16–27

16ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ସଦାପ୍ରଭୁ ପରମେଶ୍ୱର! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?

17ତଥାପି ହେ ପରମେଶ୍ୱର! ଏହା ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା କହିଅଛ, ଆଉ ହେ ସଦାପ୍ରଭୁ ପରମେଶ୍ୱର! ତୁମ୍ଭେ ମୋତେ ଉଚ୍ଚପଦସ୍ଥ ମନୁଷ୍ୟର ଶ୍ରେଣୀଭୁକ୍ତ ବୋଲି ଜ୍ଞାନ କରିଅଛ।

18ଏଣୁ ତୁମ୍ଭ ଦାସ ପ୍ରତି କୃତ ସମ୍ମାନ ବିଷୟରେ ଦାଉଦ ତୁମ୍ଭଙ୍କୁ ଆଉ କଅଣ କହିପାରେ? ତୁମ୍ଭେ ଆପଣା ଦାସକୁ ଜାଣୁଅଛ।

19ହେ ସଦାପ୍ରଭୋ! ତୁମ୍ଭେ ଏହି ସକଳ ମହତ୍ ବିଷୟ ଜଣାଇବା ପାଇଁ ଆପଣା ଦାସ ସକାଶେ ଓ ଆପଣା ହୃଦୟାନୁସାରେ ଏହି ସକଳ ମହତ୍ କର୍ମ ସାଧନ କରିଅଛ।

20ହେ ସଦାପ୍ରଭୋ! ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।

21ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ ଓ ମିସରରୁ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରୁ ନାନା ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ମହତ୍ ଓ ଭୟାନକ କର୍ମ ଦ୍ୱାରା ତୁମ୍ଭର ନାମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।

22ତୁମ୍ଭେ ଆପଣା ଲୋକ ଇସ୍ରାଏଲକୁ ଅନନ୍ତକାଳ ଆପଣାର ଲୋକ କରିଅଛ, ଆଉ ହେ ସଦାପ୍ରଭୋ! ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ।

23ଏବେ ହେ ସଦାପ୍ରଭୋ! ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ କଥା କହିଅଛ; ତାହା ଅନନ୍ତକାଳ ସ୍ଥିରୀକୃତ ହେଉ ଓ ତୁମ୍ଭେ ଯେପରି କହିଅଛ, ସେପରି କର।

24ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସେ ଇସ୍ରାଏଲର ସପକ୍ଷ ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାପିତ ହୋଇଅଛି, ଏହି କଥା ଦ୍ୱାରା ତୁମ୍ଭର ନାମ ଅନନ୍ତକାଳ ସ୍ଥିରୀକୃତ ଓ ମହତ୍ ହେଉ।

25କାରଣ, ହେ ମୋହର ପରମେଶ୍ୱର! ତୁମ୍ଭେ ମୋʼ ପାଇଁ ଏକ ବଂଶ ସ୍ଥାପନ କରିବ ବୋଲି ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବାକୁ ତୁମ୍ଭ ଦାସ ସାହସ ପାଇଅଛି।

26ଏବେ ହେ ସଦାପ୍ରଭୋ! ତୁମ୍ଭେ ହିଁ ପରମେଶ୍ୱର, ପୁଣି, ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ।

27ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ, ହେ ସଦାପ୍ରଭୋ, ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦଯୁକ୍ତ ଅଟେ।”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର