Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶାଉଲ ଓ ଦାଉଦ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶାଉଲ ଓ ଦାଉଦ

ଦାଉଦଙ୍କ ବିଜୟ

ଦ୍ଵି.ଶା 8:1–14 · ପ୍ର.ବଂ 18:1–13

ଦ୍ୱିତୀୟ ଶାମୁୟେଲ

ଦ୍ଵି.ଶା 8:1–14

1ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ।

2ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ।

3ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ପାଇବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ।

4ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ।

5ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।

6ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।

7ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।

8ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ।

9ଏଥିଉତ୍ତାରେ ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,

10ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମ୍‍କୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍‍ ଆପଣା ସଙ୍ଗେ ରୂପା, ସୁନା, ଓ ପିତ୍ତଳର ପାତ୍ର ନେଇ ଆସିଥିଲା।

11ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେଉଁ ସମସ୍ତ ଗୋଷ୍ଠୀକୁ ବଶୀଭୂତ କରିଥିଲେ, ସେମାନଙ୍କଠାରୁ,

12ଅର୍ଥାତ୍‍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟିତ ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।

13ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟମାନଙ୍କର ଅଠର ହଜାର ଲୋକ ବଧ କରି ଫେରିଆସି ବଡ଼ ନାମ ପାଇଲେ।

14ପୁଣି ସେ ଇଦୋମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀ-ଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ। ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।

ପ୍ରଥମ ବଂଶାବଳୀ

ପ୍ର.ବଂ 18:1–13

1ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଓ ତହିଁର ଉପନଗରସକଳ ହରଣ କଲେ।

2ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ।

3ଆହୁରି ସୋବାର ରାଜା ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍‍ ପର୍ଯ୍ୟନ୍ତ ପରାସ୍ତ କଲେ।

4ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ;

5ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦଦେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।

6ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି, ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

7ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।

8ପୁଣି, ଦାଉଦ ହଦଦେଷରର ଅଧିକାରସ୍ଥ ଟିଭତ୍‍ ଓ କୂନ୍‍ ନଗରରୁ ଅଧିକ ପରିମାଣର ପିତ୍ତଳ ଆଣିଲେ, ତଦ୍ଦ୍ୱାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ।

9ଏଥିଉତ୍ତାରେ ଦାଉଦ ସୋବାର ରାଜା ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍‍ର ରାଜା ତୟି ଶୁଣନ୍ତେ,

10ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ପାଇଁ ଓ ହଦଦେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା।

11ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ।

12ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା।

13ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର