1ଏଥିଉତ୍ତାରେ ରାଜା ଆପଣା ଗୃହରେ ବାସ କରିବା ବେଳେ ଓ ସଦାପ୍ରଭୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ
2ରାଜା ନାଥନ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ଦେଖ, ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି।”
3ତହିଁରେ ନାଥନ ରାଜାଙ୍କୁ କହିଲେ, “ଯାଅ, ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ସଦାପ୍ରଭୁ ତୁମ୍ଭ ସଙ୍ଗରେ ଅଛନ୍ତି।”
4ଏଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
5“ଯାଅ, ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ?
6ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ, ମାତ୍ର ତମ୍ବୁ ଓ ଆବାସ ମଧ୍ୟରେ ଗତାୟାତ କରିଅଛୁ।
7ଆମ୍ଭେ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ?’
8ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍ଗମନରୁ ଗ୍ରହଣ କଲୁ;
9ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।
10ପୁଣି ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଶାସିତ ହେବେ ନାହିଁ;
11କିଅବା ଯେପରି ପୂର୍ବକାଳରେ ଓ ଯେଉଁ ସମୟାବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ କ୍ଳେଶ ଦେବେ ନାହିଁ; ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ।
12ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।
13ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା।
14ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା।
15ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।
16ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରୀକୃତ ହେବ; ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”
17ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ସମ୍ବନ୍ଧରେ କଥା କହିଲେ।