Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ଶାଉଲ ଓ ଦାଉଦ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ଶାଉଲ ଓ ଦାଉଦ

ସିନ୍ଦୁକ ଯିରୂଶାଲମକୁ ଅଣାଯାଏ

ଦ୍ଵି.ଶା 6:12–19 · ପ୍ର.ବଂ 15:25–29; 16:1–3

ଦ୍ୱିତୀୟ ଶାମୁୟେଲ

ଦ୍ଵି.ଶା 6:12–19

12ଏଉତ୍ତାରେ ପରମେଶ୍ୱରଙ୍କ ସିନ୍ଦୁକ ସକାଶୁ ସଦାପ୍ରଭୁ ଓବେଦ୍‍-ଇଦୋମର ପରିବାରକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କରିଅଛନ୍ତି ବୋଲି ଦାଉଦ ରାଜାଙ୍କୁ ଜ୍ଞାତ କରାଗଲା। ତହୁଁ ଦାଉଦ ଯାଇ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ପରମେଶ୍ୱରଙ୍କ ସିନ୍ଦୁକକୁ ଦାଉଦ-ନଗରକୁ ଆଣିଲେ।

13ଆଉ, ସଦାପ୍ରଭୁଙ୍କ ସିନ୍ଦୁକ-ବାହକମାନେ ଛଅ ପାଦ ଗଲା ଉତ୍ତାରେ ସେ ଏକ ଗୋରୁ ଓ ଏକ ପୁଷ୍ଟ ପଶୁ ବଳିଦାନ କଲେ।

14ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ; ସେହି ସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ।

15ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।

16ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।

17ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍‍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

18ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।

19ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।

ପ୍ରଥମ ବଂଶାବଳୀ

ପ୍ର.ବଂ 15:25–29; 16:1–3

15:25ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ;

15:26ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ।

15:27ଆଉ ଦାଉଦ, ସିନ୍ଦୁକ-ବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା।

15:28ଏହିରୂପେ ଉଚ୍ଚସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ।

15:29ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।

16:1ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

16:2ପୁଣି, ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।

16:3ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣଙ୍କୁ ଏକ ଏକ ରୁଟି, ମାଂସର ଏକ ଏକ ଅଂଶ, ଏକ ଏକ ଖଣ୍ଡ ଦ୍ରାକ୍ଷାଚକ୍ତି ପରିବେଷଣ କଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର