ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 19
ଅର୍ଥୋଡକ୍ସ ପଞ୍ଜିକା · 6 ଅଗଷ୍ଟ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 19 ଅଗଷ୍ଟ 2027
ଗୁରୁବାର · ପେଣ୍ଟିକଷ୍ଟ ପରେ ନବମ ସପ୍ତାହ · ସ୍ୱର 7
ପର୍ବ ଓ ସନ୍ଥ
The Holy Transfiguration of Our Lord God and Saviour Jesus Christ
ଶୟନ ପର୍ବର ଉପବାସ
ମାଛ ଚଳିବ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
12ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର ଫଳକ ତୁମ୍ଭକୁ ଦେବା।” 13ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି, ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ। 14ଆଉ ସେ ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭ ନିକଟକୁ ବାହୁଡ଼ି ନ ଆସୁ, ସେପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭମାନଙ୍କ ଅପେକ୍ଷାରେ ଏହିଠାରେ ଥାଅ; ଦେଖ, ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି, କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ, ସେ ସେମାନଙ୍କ ନିକଟକୁ ଯାଉ।” 15ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା। 16ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। 17ତହିଁରେ ଇସ୍ରାଏଲ-ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା। 18ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
11ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକୁ ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ। 12ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋʼ ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ। ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ। 13ଉତ୍ତମ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ; ପୁଣି, ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।” 14ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।” 15ତହିଁରେ ସେ ତାହାଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ଗମନ ନ କରନ୍ତି, ତେବେ ଏହି ସ୍ଥାନରୁ ଆମ୍ଭମାନଙ୍କୁ ନେଇଯାଅ ନାହିଁ।” 16କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ଏହା ଏବେ କିପରି ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ୱାରା କି ଏହା ଜଣାଯାଏ ନାହିଁ? 17ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯେଉଁ କଥା ତୁମ୍ଭେ କହିଅଛ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛ, ପୁଣି, ଆମ୍ଭେ ତୁମ୍ଭକୁ ନାମ ଦ୍ୱାରା ଜାଣିଅଛୁ।” 18ପୁଣି, ସେ କହିଲେ, “ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ।” 19ସେ ଉତ୍ତର କଲେ, “ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।” 20ସେ ଆହୁରି କହିଲେ, “ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।” 21ସଦାପ୍ରଭୁ କହିଲେ, “ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଠିଆ ହେବ; 22ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା। 23ଏଥିଉତ୍ତାରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।” 34:4ତହୁଁ ମୋଶା ପ୍ରଥମ ପ୍ରସ୍ତର ପରି ଦୁଇ ପ୍ରସ୍ତର ପଟା ଖୋଳିଲେ; ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରଭାତରେ ଉଠି ସୀନୟ ପର୍ବତ ଉପରକୁ ଗଲେ ଓ ସେହି ଦୁଇ ପ୍ରସ୍ତର ପଟା ହସ୍ତରେ ନେଲେ। 5ତେବେ ସଦାପ୍ରଭୁ ମେଘରେ ଅବରୋହଣ କରି ସେ ସ୍ଥାନରେ ତାଙ୍କ ସହିତ ଠିଆ ହୋଇ “ସଦାପ୍ରଭୁଙ୍କ” ନାମ ଘୋଷଣା କଲେ। 6ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; 8ତହୁଁ ମୋଶା ଶୀଘ୍ର ଭୂମିରେ ନତ ମସ୍ତକ ହୋଇ ପ୍ରଣାମ କରି କହିଲେ,
ସନ୍ଧ୍ୟା ପ୍ରାର୍ଥନା: ପାଠ
3ତହୁଁ ଏଲୀୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠିଯାଇ ଯିହୁଦାର ବେର୍ଶେବା ନଗରରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ। 4ମାତ୍ର ସେ ଆପେ ପ୍ରାନ୍ତର ଭିତରକୁ ଦିନକର ପଥ ଯାଇ ଏକ ରେତମବୃକ୍ଷ ମୂଳରେ ଉପସ୍ଥିତ ହୋଇ ବସିଲେ ଓ ଆପଣା ମୃତ୍ୟୁ-ପ୍ରାର୍ଥନା କରି କହିଲେ, “ଯଥେଷ୍ଟ ହେଲାଣି; ଏବେ ହେ ସଦାପ୍ରଭୋ, ମୋର ପ୍ରାଣ ନିଅ; କାରଣ ମୁଁ ଆପଣା ପୂର୍ବପୁରୁଷମାନଙ୍କଠାରୁ ଭଲ ନୁହେଁ।” 5ତହୁଁ ସେ ରେତମବୃକ୍ଷ ମୂଳେ ଶୟନ କରି ନିଦ୍ରା ଗଲେ; ଏଥିରେ ଦେଖ, ଏକ ଦୂତ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର।” 6ତହିଁରେ ସେ ଅନାନ୍ତେ, ଦେଖ, ତାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନପାନ କରି ପୁନର୍ବାର ଶୟନ କଲେ। 7ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର; କାରଣ ତୁମ୍ଭ ଶକ୍ତିରୁ ପଥ ଅଧିକ।” 8ତହୁଁ ସେ ଉଠି ଭୋଜନପାନ କଲେ ଓ ସେହି ଖାଦ୍ୟର ବଳରେ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଚାଳିଶ ଦିନ ଓ ଚାଳିଶ ରାତ୍ରି ଗମନ କଲେ। 9ଆଉ ସେ ସେଠାସ୍ଥିତ ଏକ ଗହ୍ୱରରେ ଉପସ୍ଥିତ ହୋଇ ରାତ୍ରି କ୍ଷେପଣ କଲେ; ସେତେବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା ଓ ସେ ତାଙ୍କୁ କହିଲେ, “ଏଲୀୟ, ତୁମ୍ଭେ ଏଠାରେ କʼଣ କରୁଅଛ?” 11ଏଥିରେ ସେ କହିଲେ, “ତୁମ୍ଭେ ବାହାର ହୋଇ ଏହି ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୁଅ।” ଆଉ ଦେଖ, ସଦାପ୍ରଭୁ ନିକଟ ଦେଇ ଗମନ କଲେ, ତହିଁରେ ପ୍ରବଳ ଓ ପ୍ରଚଣ୍ଡ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣକୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ଡ ଖଣ୍ଡ କଲା; ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ; ପୁଣି, ବାୟୁ ଉତ୍ତାରେ ଭୂମିକମ୍ପ ହେଲା; ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12ଆଉ ଭୂମିକମ୍ପ ଉତ୍ତାରେ ଅଗ୍ନି ହେଲା; ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ; ପୁଣି, ଅଗ୍ନି ଉତ୍ତାରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା। 13ତହୁଁ ଏଲୀୟ ତାହା ଶୁଣନ୍ତେ, ଆପଣା ବସ୍ତ୍ରରେ ମୁଖ ଆଚ୍ଛାଦନ କରି ବାହାରେ ଯାଇ ଗହ୍ୱର-ମୁଖ ନିକଟରେ ଠିଆ ହେଲେ। ତହିଁରେ ଦେଖ, ଏକ ରବ ତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, “ଏଲୀୟ, ତୁମ୍ଭେ ଏଠାରେ କଅଣ କରୁଅଛ?” 15ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ଆପଣା ପଥରେ ଫେରି ଦମ୍ମେଶକ ପ୍ରାନ୍ତରକୁ ଯାଅ; ଆଉ ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ହସାୟେଲକୁ ଅରାମ ଉପରେ ରାଜାଭିଷିକ୍ତ କର; 16ଆଉ ନିମ୍ଶିର ପୁତ୍ର ଯେହୂଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର; ଆଉ ଆବେଲ୍-ମହୋଲା ନିବାସୀ ଶାଫଟ୍ର ପୁତ୍ର ଇଲୀଶାୟଙ୍କୁ ତୁମ୍ଭ ପଦରେ ଭବିଷ୍ୟଦ୍ବକ୍ତା କରି ଅଭିଷେକ କର।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
28ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ। 29ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା। 30ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ; 31ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ। 32ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ। 33ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ। 34ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ। 35ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ। 36ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
ପତ୍ର (ପ୍ରଭୁଙ୍କ ରୂପାନ୍ତର ପାଇଁ)
10ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ। 11ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। 12ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି। 13ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ, 14ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି। 15ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି। 16କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ। 17ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ; 18ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ। 19ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
ସୁସମାଚାର (ପ୍ରଭୁଙ୍କ ରୂପାନ୍ତର ପାଇଁ)
1ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ପୃଥକ୍ କରି ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ। 2ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା। 3ପୁଣି, ଦେଖ, ମୋଶା ଓ ଏଲୀୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା। 4ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। 5ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ଏହାଙ୍କ ବାକ୍ୟ ଶୁଣ।” 6ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ। 7ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କର ନାହିଁ।” 8ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ। 9ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ନ ଉଠିବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ କୁହ ନାହିଁ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅଗଷ୍ଟ 6 ନାଗରିକ ପଞ୍ଜିକାର ଅଗଷ୍ଟ 19। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର