Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 19

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 19 ଅଗଷ୍ଟ 2027

ଗୁରୁବାର · ସାଧାରଣ କାଳର 20ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 20ତମ ସପ୍ତାହର ଗୁରୁବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ଜନ୍ ଇଉଡସ୍, ପୁରୋହିତ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ବିଚାର 11:29–39

29ତହିଁରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲୀୟଦ ଓ ମନଃଶି ପ୍ରଦେଶ ଦେଇ ଗିଲୀୟଦସ୍ଥିତ ମିସ୍ପେକୁ ଗଲେ ଓ ଗିଲୀୟଦସ୍ଥିତ ମିସ୍ପେରୁ ଅମ୍ମୋନ-ସନ୍ତାନଗଣ ନିକଟକୁ ଗଲେ। 30ସେସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, “ଯେବେ ତୁମ୍ଭେ ଅମ୍ମୋନ-ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ, 31ତେବେ ମୁଁ ଅମ୍ମୋନ-ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିବା ବେଳେ ଯେକେହି ମୋତେ ଭେଟିବା ପାଇଁ ମୋହର ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚେ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି।” 32ଏଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ। 33ତହିଁରେ ସେ ଅରୋୟରଠାରୁ ମିନ୍ନୀତ ନିକଟ ପର୍ଯ୍ୟନ୍ତ କୋଡ଼ିଏ ନଗର ଓ ଅବେଲ୍‍-କରାମୀମ୍‍ ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏରୂପେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ। 34ଏଥିଉତ୍ତାରେ ଯିପ୍ତହ ମିସ୍ପାରେ ଆପଣା ଗୃହକୁ ଆସିଲେ, ଆଉ ଦେଖ, ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା; ସେ ତାଙ୍କର ଏକମାତ୍ର ସନ୍ତତି ଥିଲା; ତାହା ଛଡ଼ା ତାଙ୍କର ପୁତ୍ର କି କନ୍ୟା ନ ଥିଲା। 35ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, “ହାୟ, ହାୟ, ଆମ୍ଭର କନ୍ୟେ! ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମ୍ଭେ ମୋହର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ; କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି, ଆଉ ପଛକୁ ହଟି ନ ପାରେ।” 36ତହିଁରେ ସେ ତାଙ୍କୁ କହିଲା, “ହେ ଆମ୍ଭର ପିତଃ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ; ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି, ତଦନୁସାରେ ମୋʼ ପ୍ରତି କର; କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମ୍ମୋନ-ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି।” 37ଆହୁରି ସେ ଆପଣା ପିତାକୁ କହିଲା, “ମୋʼ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।” 38ତହୁଁ ସେ କହିଲେ, “ଯାଅ।” ଆଉ ସେ ଦୁଇ ମାସ ପାଇଁ ତାହାକୁ ବିଦାୟ କଲେ; ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ। 39ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା।

ପ୍ରତିଉତ୍ତର ଗୀତ

ଗୀତ 40:4, 6–9

4ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, ପୁଣି, ଅହଙ୍କାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ। 6ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ। 7ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। 8ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।” 9ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ।

ସୁସମାଚାର

ମାଥି 22:1–14

1ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, 2“ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, 3ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। 4ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’ 5କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, 6ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ। 7କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍‍ କଲେ। 8ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। 9ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର। 10ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା। 11କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ-ବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, 12ହେ ବନ୍ଧୁ, ତୁମ୍ଭେ ବିବାହ-ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। 13ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। 14କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ।’”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର