Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 18

ଅର୍ଥୋଡକ୍ସ ପଞ୍ଜିକା · 5 ଅଗଷ୍ଟ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 18 ଅଗଷ୍ଟ 2027

ବୁଧବାର · ପେଣ୍ଟିକଷ୍ଟ ପରେ ନବମ ସପ୍ତାହ · ସ୍ୱର 7

ପର୍ବ ଓ ସନ୍ଥ

Forefeast of the Transfiguration of the Lord

ଶୟନ ପର୍ବର ଉପବାସ

କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ପ୍ର.କରି 13:4–14:5

4ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, 5ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, 6ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; 7ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ। 8ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହିସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ। 9କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ। 10କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ। 11ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି। 12କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା ଯେତେବେଳେ ଯୀଶୁ ପୁନର୍ବାର ଆସିବେ; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି। 13ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ। 14:1ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର। 2କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ। 3କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ। 4ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ। 5ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।

ପତ୍ର (ଗୁରୁବାର ପାଇଁ)

ପ୍ର.କରି 14:6–19

6ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି? 7ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ? 8ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ? 9ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ। 10ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ। 11ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ। 12ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର। 13ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ। 14କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ। 15ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି। 16ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ? 17ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ। 18ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି; 19ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।

ସୁସମାଚାର

ମାଥି 20:1–16

1“କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ। 2ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ। 3ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, 4‘ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଉଚିତ୍, ତାହା ତୁମ୍ଭମାନଙ୍କୁ ଦେବି;’ ଆଉ ସେମାନେ ଗଲେ। 5ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ। 6ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ‘ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ?’ 7ସେମାନେ ତାହାଙ୍କୁ କହିଲେ, ‘କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ।’ 8ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ‘ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ।’ 9ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ। 10ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ। 11କିନ୍ତୁ ତାହା ପାଇ ସେମାନେ ଘରର କର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 12‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’ 13କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ‘ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ? 14ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା। 15ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋହର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ?’ 16ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ।”

ସୁସମାଚାର (ଗୁରୁବାର ପାଇଁ)

ମାଥି 20:17–28

17ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, 18“ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, 19ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ।” 20ସେତେବେଳେ ଜେବଦୀଙ୍କ ସ୍ତ୍ରୀ ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ। 21ସେଥିରେ ସେ ତାହାଙ୍କୁ ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?” ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ। 22କିନ୍ତୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର?” 23ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।” 24ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ। 25କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଅଣଯିହୁଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ। 26ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 27ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, 28ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅଗଷ୍ଟ 5 ନାଗରିକ ପଞ୍ଜିକାର ଅଗଷ୍ଟ 18। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର