ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 24
ଅର୍ଥୋଡକ୍ସ ପଞ୍ଜିକା · 11 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 24 ଅପ୍ରେଲ 2027
ଶନିବାର · ମହା ଉପବାସର ଷଷ୍ଠ ସପ୍ତାହ
ପର୍ବ ଓ ସନ୍ଥ
ଲାଜାରଙ୍କ ଶନିବାର
ମହା ଉପବାସ
ମାଛ ଅଣ୍ଡା ଚଳିବ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
28ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ବରଙ୍କ ସନ୍ତୋଷଜନକ ଉପାସନା କରୁ। 29କାରଣ ଆମ୍ଭମାନଙ୍କର ଈଶ୍ବର ଗ୍ରାସକାରୀ ଅଗ୍ନି ସ୍ୱରୂପ। 13:1ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରେମ ସ୍ଥିର ହୋଇ ରହିଥାଉ। 2ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି। 3ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର। 4ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ବର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ। 5ଆଚାର-ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ।” 6ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, “ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କଅଣ କରିବ?” 7ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ। 8ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି।
ସୁସମାଚାର
1ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରୀୟମ ଓ ତାହାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ। 2ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରୀୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ। 3ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି। 4କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।” 5ଯୀଶୁ, ମାର୍ଥା ଏବଂ ତାହାଙ୍କ ଭଉଣୀ ଏବଂ ଲାଜାରଙ୍କୁ ସ୍ନେହ କରୁଥିଲେ। 6ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ। 7ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦିୟା ପ୍ରଦେଶକୁ ଯିବା।” 8ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀ ଲୋକମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି? 9ଯୀଶୁ ଉତ୍ତର ଦେଲେ, “ଦିନରେ କଅଣ ବାର ଘଣ୍ଟା ନାହିଁ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ; 10କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ।” 11ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।” 12ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ। 13ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ। 14ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ, “ଲାଜାର ମରିଯାଇଅଛନ୍ତି; 15ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାହାଙ୍କ ନିକଟକୁ ଯିବା।” 16ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା। 17ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି। 18ବେଥନୀୟା ଯିରୂଶାଲମ ସହରରୁ ପ୍ରାୟ ଏକ କ୍ରୋଶ ଦୂରରେ ଥିଲା, 19ଆଉ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରୀୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ। 20ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରୀୟମ ଗୃହରେ ବସି ରହିଲେ। 21ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥାଆନ୍ତା। 22କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ। 23ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି, ଉଠିବ।” 24ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ। 25ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, 26ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” 27ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ବରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ। 28ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରୀୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି। 29ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ। 30ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ। 31ଅତଏବ, ଯେଉଁ ଯିହୁଦୀମାନେ ତାହାଙ୍କ ସହିତ ଗୃହରେ ଥାଇ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରୀୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାହାଙ୍କ ପଛେ ପଛେ ଗଲେ। 32ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରୀୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋʼ ଭାଇ ମରି ନ ଥାଆନ୍ତା। 33ଅତଏବ, ଯୀଶୁ ତାହାଙ୍କୁ ଓ ତାହାଙ୍କ ସହିତ ଆସିଥିବା ଯିହୁଦୀ ଲୋକମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଉତ୍ତେଜିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଙ୍କଳ୍ପରେ ପଚାରିଲେ, 34“ତାଙ୍କୁ କେଉଁଠାରେ ରଖିଅଛ?” ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ। 35ଯୀଶୁ କାନ୍ଦିଲେ। 36ସେଥିରେ ଯିହୁଦୀ ଲୋକମାନେ କହିଲେ, ଦେଖ, ସେ ତାହାଙ୍କୁ କିପରି ସ୍ନେହ କରୁଥିଲେ। 37କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧବ୍ୟକ୍ତିର ଆଖି ଫିଟାଇଥିଲେ, ସେ କଅଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନ ଥାଆନ୍ତେ? 38ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତାʼ ମୁହଁରେ ଗୋଟାଏ ପଥର ଥିଲା। 39ଯୀଶୁ କହିଲେ, “ଏହି ପଥର ଘୁଞ୍ଚାଇଦିଅ।” ମୃତ ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି। 40ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ବରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ?” ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ। 41ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି। 42ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି।” 43ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” 44ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।” 45ଅତଏବ, ଯିହୁଦୀ ଲୋକମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍ ଯେଉଁମାନେ ମରୀୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 11 ନାଗରିକ ପଞ୍ଜିକାର ଅପ୍ରେଲ 24। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର