Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 25

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 25 ଅପ୍ରେଲ 2027

ରବିବାର · ପାସ୍କା କାଳର ପଞ୍ଚମ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ପଞ୍ଚମ ରବିବାର

ରବିବାର · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 9:26–31

26ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ। 27କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। 28ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି, 29ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ। 30ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ। 31ଏହି ପ୍ରକାରେ ସମୁଦାୟ ଯିହୂଦିୟା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।

ପ୍ରତିଉତ୍ତର ଗୀତ

ଗୀତ 22:25–27, 29–31

25ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସାଭୂମି; ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି। 26ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ। 27ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ। 29ପୃଥିବୀସ୍ଥ ହୃଷ୍ଟପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ; ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍, ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ। 30ଏକ ବଂଶ ତାହାଙ୍କର ସେବା କରିବେ; ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ। 31ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନ କରିଅଛନ୍ତି।

ଦ୍ୱିତୀୟ ପାଠ

ପ୍ର. ଯୋହ 3:18–24

18ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ। 19ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା, 20ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି। 21ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି, 22ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ। 23ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା। 24ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।

ସୁସମାଚାର

ଯୋହ 15:1–8

1“ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ। 2ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। 3ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ। 4ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। 5ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ। 6କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ। 7ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। 8ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର