ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 26
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 26 ମାର୍ଚ୍ଚ 2027
ଶୁକ୍ରବାର · ନିସ୍ତାର ତ୍ରିଦିବସ
ପର୍ବ ଓ ସନ୍ଥ
ପୁଣ୍ୟ ଶୁକ୍ରବାର
ନିସ୍ତାର ତ୍ରିଦିବସ · ଉପାସନାର ରଙ୍ଗ: ନାଲି
ଉପବାସ ଓ ପ୍ରାୟଶ୍ଚିତ୍ତ
ଉପବାସ ଓ ମାଂସରୁ ବିରତି
ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।
ଦିନର ପାଠ
ପ୍ରଥମ ପାଠ
13ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହାମହିମ ହେବେ। 14ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ, 15ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ। 53:1ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? 2କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। 3ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। 4ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। 5ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। 6ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। 7ସେ ଉପଦ୍ରବପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧ ସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। 8ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। 9ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। 10ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। 11ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ। 12ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁମୁଖରେ ଆପଣା ପ୍ରାଣ ଢାଳିଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
ପ୍ରତିଉତ୍ତର ଗୀତ
1ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ; ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର। 5ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; ହେ ସଦାପ୍ରଭୋ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ। 11ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି, ମୋତେ ବାହାରେ ଦେଖିଲା ଲୋକମାନେ ମୋʼ ନିକଟରୁ ପଳାଇଲେ। 12ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି; ମୁଁ ଭଗ୍ନ ପାତ୍ର ସଦୃଶ। 14ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନିଏ; ମୁଁ କହେ, “ତୁମ୍ଭେ ମୋହର ପରମେଶ୍ୱର।” 15ମୋହର ସମୟ ସବୁ ତୁମ୍ଭର ହସ୍ତଗତ; ମୋʼ ଶତ୍ରୁଗଣ ହସ୍ତରୁ ଓ ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର। 16ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର; ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର। 24ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।
ଦ୍ୱିତୀୟ ପାଠ
14ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ବରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ। 15କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ। 16ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। 5:7ଈଶ୍ବର ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ 8ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଈଶ୍ବରଙ୍କଠାରେ ଆଜ୍ଞାବହତା ଶିଖିଲେ, 9ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ;
ସୁସମାଚାର
1ଯୀଶୁ ଏହିସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ। 2ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ। 3ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା। 4ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” 5ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, “ମୁଁ ସେହି।” ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା। 6ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ। 7ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ। 8ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।” 9ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।” 10ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍ଖ। 11ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?” 12ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ 13ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ। 14ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା। 15ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ; 16କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ। ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ। 17ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କଅଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ କହିଲେ, ମୁଁ ନୁହେଁ। 18ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ। 19ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ। 20ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ। 21ମୋତେ କାହିଁକି ପଚାରୁଅଛନ୍ତି? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି।” 22ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ? 23ଯୀଶୁ ତାହାକୁ ଉତ୍ତର ଦେଲେ, “ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ?” 24ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ। 25ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କଅଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ। 26ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି? 27ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା। 28ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। 29ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ? 30ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ। 31ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ। 32ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ। 33ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା? 34ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?” 35ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ? 36ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍ସମ୍ବନ୍ଧୀୟ ନୁହେଁ।” 37ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।” 38ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ। 39କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା? 40ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା। 19:1ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ। 2ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବାହ୍ୟ ବସ୍ତ୍ର ପିନ୍ଧାଇଲେ; 3ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ। 4ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ। 5ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ। ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ! 6ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ। 7ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି 8ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; 9ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ। 10ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ? 11ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।” 12ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ। 13ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ। 14ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା! 15ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ। 16ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ। 17ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ। 18ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅନ୍ୟ ଦୁଇ କ୍ରୁଶରେ ଚଢ଼ାଇଲେ, ଦୁଇ ପାର୍ଶ୍ୱରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ। 19ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା। 20ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା। 21ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ। 22ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ। 23ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା। 24ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, “ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ।” ତେଣୁ ସୈନ୍ୟମାନେ ଏହାସବୁ କଲେ। 25କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍ଦଲୀନୀ ମରୀୟମ ଠିଆ ହୋଇଥିଲେ। 26ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!” 27ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ। 28ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।” 29ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ। 30ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ। 31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍କ୍ଷଣାତ୍ ରକ୍ତ ଓ ଜଳ ବାହାର ହେଲା। 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି। 36କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। 37ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। 38ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ। 39ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ। 41ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା। 42ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର