Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 27

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 27 ମାର୍ଚ୍ଚ 2027

ଶନିବାର · ନିସ୍ତାର ତ୍ରିଦିବସ

ପର୍ବ ଓ ସନ୍ଥ

ପବିତ୍ର ଶନିବାର — ପାସ୍କା ଜାଗରଣ

ନିସ୍ତାର ତ୍ରିଦିବସ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଆଦି 1:1–2:2

1ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ। 2ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। 3ଏଥିଉତ୍ତାରେ ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା। 4ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। 5ପୁଣି, ପରମେଶ୍ୱର ଦୀପ୍ତିର ନାମ “ଦିବସ,” ଓ ଅନ୍ଧକାରର ନାମ “ରାତ୍ରି” ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା। 6ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।” 7ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା। 8ଆଉ ପରମେଶ୍ୱର ସେହି ଶୂନ୍ୟର ନାମ “ଆକାଶମଣ୍ଡଳ” ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା। 9ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା। 10ପୁଣି, ପରମେଶ୍ୱର ସ୍ଥଳର ନାମ “ପୃଥିବୀ,” ଓ ଜଳରାଶିର ନାମ “ସମୁଦ୍ର” ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ। 11ଏଉତ୍ତାରୁ ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜ ସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ,” ତହିଁରେ ସେପରି ହେଲା। 12ଅର୍ଥାତ୍‍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ। 13ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା। 14ଏଥିଉତ୍ତାରେ ପରମେଶ୍ୱର କହିଲେ, “ରାତ୍ରିରୁ ଦିବସକୁ ପୃଥକ କରିବା ପାଇଁ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି, ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ। 15ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ,” ତହିଁରେ ସେପରି ହେଲା। 16ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତିଃ, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। 17ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ, 18ଆଉ ଦୀପ୍ତିକୁ ଅନ୍ଧକାରରୁ ପୃଥକ କରିବା ପାଇଁ, ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। 19ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା। 20ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ।” 21ଆଉ ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। 22ପୁଣି, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ।” 23ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା। 24ଏଥିଉତ୍ତାରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‍), ଗ୍ରାମ୍ୟ ପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା। 25ଏହିରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟ ପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ୱର ସେସମସ୍ତ ଉତ୍ତମ ଦେଖିଲେ। 26ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ।” 27ଏଥିଉତ୍ତାରେ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। 28ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ୱର ସେମାନଙ୍କୁ କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି, ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।” 29ପରମେଶ୍ୱର ଆହୁରି କହିଲେ, “ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ। 30ପୁଣି, ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ୍‍ ଶାକ ଦେଲୁ,” ତହିଁରେ ସେହିପରି ହେଲା। 31ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ହେଲା। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା। 2:1ଏହିରୂପେ ଆକାଶମଣ୍ଡଳ ଓ ପୃଥିବୀର, ପୁଣି, ସେହି ଦୁଇସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା। 2ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।

ଗୀତ

ଗୀତ 104:1–2, 5–6, 10, 12–14, 24, 35

1ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। 2ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ। 5ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, ତାହା କଦାପି ବିଚଳିତ ହେବ ନାହିଁ। 6ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ; ପର୍ବତଗଣ ଉପରେ ଜଳରାଶି ଠିଆ ହେଲା। 10ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି; ତାହା ପର୍ବତଗଣ ମଧ୍ୟରେ ଧାଏଁ; 12ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, ସେମାନେ ଡାଳ ମଧ୍ୟରେ ଗାନ କରନ୍ତି। 13ସେ ଆପଣା ସ୍ବର୍ଗରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି; ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ। 14ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି। 24ହେ ସଦାପ୍ରଭୋ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ। 35ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

ଦ୍ୱିତୀୟ ପାଠ

ଆଦି 22:1–18

1ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଏଠାରେ ଅଛି।” 2ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‌ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।” 3ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇ ଜଣ ଦାସ ଓ ଆପଣା ପୁତ୍ର ଇସ୍‌ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। 4ଏଥିଉତ୍ତାରେ ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। 5ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।” 6ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‌ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ। 7ଆଉ ଇସ୍‌ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ?” 8ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ। 9ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‌ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। 10ଏଥିଉତ୍ତାରେ ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ। 11ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!” ତହିଁରେ ସେ କହିଲେ, “ଦେଖନ୍ତୁ, ମୁଁ ଏଠାରେ।” 12ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।” 13ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। 14ପୁଣି, ଅବ୍ରହାମ ସେହି ସ୍ଥାନର ନାମ “ଯିହୋବାଃ-ଯିରି” ରଖିଲେ। ଏଥିପାଇଁ ଆଜି ପର୍ଯ୍ୟନ୍ତ ଲୋକେ କହନ୍ତି, “ପର୍ବତରେ ସଦାପ୍ରଭୁ ଯୋଗାଇବେ।” 15ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ, 16“ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ; 17ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ। 18ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।”

ଗୀତ

ଗୀତ 16:5, 8–11

5ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ। 8ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। 9ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋʼ ଶରୀର ମଧ୍ୟ ନିରାପଦରେ ବାସ କରିବ। 10କାରଣ ତୁମ୍ଭେ ମୋʼ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। 11ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।

ତୃତୀୟ ପାଠ

ଯାତ୍ରା 14:15–15:1

15ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ସେମାନେ ଅଗ୍ରସର ହେଉନ୍ତୁ। 16ପୁଣି, ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ। 17ପୁଣି, ଆମ୍ଭେ, ଦେଖ, ଆମ୍ଭେ ମିସରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ, ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା। 18ଆଉ ଫାରୋ, ତାହାର ରଥ ଓ ତାହାର ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।” 19ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲେ, ପୁଣି, ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା। 20ସେହି ମେଘସ୍ତମ୍ଭ ମିସରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା, ପୁଣି, ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରିକୁ ଆଲୋକମୟ କଲା; ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସି ପାରିଲେ ନାହିଁ। 21ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍‍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା। 22ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି, ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। 23ଏଥିଉତ୍ତାରେ ମିସରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। 24ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। 25ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସରୀୟ ଲୋକମାନେ କହିଲେ, “ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।” 26ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।” 27ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। 28ପୁଣି, ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ। 29ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା। 30ଏହି ପ୍ରକାରେ ସେହି ଦିନ ସଦାପ୍ରଭୁ ମିସରୀୟମାନଙ୍କ ହସ୍ତରୁ ଇସ୍ରାଏଲଙ୍କୁ ରକ୍ଷା କଲେ ଓ ଇସ୍ରାଏଲ ମିସରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ। 31ସଦାପ୍ରଭୁ ମିସରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ୍ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ୱାସ କଲେ। 15:1ସେତେବେଳେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା, “ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।

ଗୀତ

ଯାତ୍ରା 15:1–6, 17–18

1ସେତେବେଳେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା, “ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି। 2ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା। 3ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ। 4ସେ ଫାରୋଙ୍କର ରଥ ଓ ସୈନ୍ୟଗଣକୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି; ପୁଣି, ତାଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇଅଛନ୍ତି। 5ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି, ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ିଗଲେ। 6ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ, 17ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ, ତୁମ୍ଭର ହସ୍ତ ଯେଉଁ ଧର୍ମଧାମ ସ୍ଥାପନ କରିଅଛି, ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର-ପର୍ବତରେ ରୋପଣ କରିବ। 18ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତକାଳ ରାଜତ୍ୱ କରିବେ।”

ଚତୁର୍ଥ ପାଠ

ଯିଶା 54:5–14

5କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ। 6କାରଣ ତୁମ୍ଭ ପରମେଶ୍ୱର କହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି। 7ଆମ୍ଭେ ଅଳ୍ପକ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା। 8ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି। 9କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେ; ନୋହ ସମୟର ଜଳ ଆଉ ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ। 10ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ। 11ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା। 12ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା। 13ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ। 14ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଉପଦ୍ରବଠାରୁ ଦୂରରେ ରହିବ, କାରଣ ତୁମ୍ଭେ ଭୀତ ହେବ ନାହିଁ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।

ଗୀତ

ଗୀତ 30:1, 3–5, 10–12

1ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ। 3ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ। 4ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ। 5କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ। 10ହେ ସଦାପ୍ରଭୋ, ଶୁଣ ଓ ମୋʼ ପ୍ରତି ଦୟା କର; ସଦାପ୍ରଭୋ, ତୁମ୍ଭେ ମୋହର ସହାୟ ହୁଅ। 11ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ; 12ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।

ପଞ୍ଚମ ପାଠ

ଯିଶା 55:1–11

1“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। 2ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। 3କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍‍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। 4ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ। 5ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି। 6ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର। 7ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। 8ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ। 9କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। 10ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ; 11ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।

ଗୀତ

ଯିଶା 12:2–6

2ଦେଖ, “ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବାଃ ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।” 3ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। 5ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। 6ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”

ଷଷ୍ଠ ପାଠ

ଏହି ଅନୁବାଦରେ ନାହିଁ

ଗୀତ

ଗୀତ 19:7–10

7ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ 8ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ। 9ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ। ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ। 10ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ।

ସପ୍ତମ ପାଠ

ଯିହି 36:16–28

16ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା; 17“ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ନିଜ ଦେଶରେ ବାସ କରିବା ବେଳେ ସେମାନେ ଆପଣାମାନଙ୍କର ଆଚରଣ ଓ କ୍ରିୟା ଦ୍ୱାରା ତାହା ଅଶୁଚି କଲେ; ସେମାନଙ୍କର ଆଚରଣ ଆମ୍ଭ ସାକ୍ଷାତରେ ସ୍ତ୍ରୀଲୋକର ପୃଥକ ସ୍ଥିତିକାଳୀନ ଅଶୌଚର ତୁଲ୍ୟ ଥିଲା। 18ଏନିମନ୍ତେ ସେମାନେ ଦେଶରେ ରକ୍ତ ଢାଳିବା ସକାଶୁ ଓ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା ତାହା ଅଶୁଚି କରିବା ସକାଶୁ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଢାଳିଲୁ, 19ଆଉ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲୁ ଓ ସେମାନେ ନାନା ଦେଶରେ ବିକ୍ଷିପ୍ତ ହେଲେ; ସେମାନଙ୍କର ଆଚରଣ ଅନୁସାରେ ଓ ସେମାନଙ୍କର କ୍ରିୟାନୁସାରେ ଆମ୍ଭେ ସେମାନଙ୍କର ବିଚାର କଲୁ। 20ପୁଣି, ଯେଉଁ ସ୍ଥାନକୁ ସେମାନେ ଗଲେ, ସେହି ସ୍ଥାନରେ ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ସେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କଲେ; ତହିଁରେ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାହାଙ୍କ ଦେଶରୁ ବାହାରି ଯାଇଅଛନ୍ତି।’ 21ତଥାପି ଇସ୍ରାଏଲ ବଂଶ ନାନା ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ଆମ୍ଭର ଯେଉଁ ପବିତ୍ର ନାମ ଅପବିତ୍ର କଲେ, ସେହି ପବିତ୍ର ନାମ ସକାଶୁ ଆମ୍ଭର ଦୟା ଜାତ ହେଲା। 22ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଏପରି କରୁ ନାହୁଁ, ମାତ୍ର ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟକୁ ଯାଇ ଯାହା ଅପବିତ୍ର କରିଅଛ, ଆମ୍ଭ ନିଜର ସେହି ପବିତ୍ର ନାମ ସକାଶୁ କରୁଅଛୁ। 23ପୁଣି, ଯାହା ନାନା ଗୋଷ୍ଠୀ ମଧ୍ୟରେ ଅପବିତ୍ରୀକୃତ ହୋଇଅଛି, ଯାହା ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଅପବିତ୍ର କରିଅଛ, ଆମ୍ଭେ ଆପଣାର ସେହି ମହାନାମ ପବିତ୍ର କରିବା; ଆଉ, ଯେତେବେଳେ ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ। 24କାରଣ ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ଗ୍ରହଣ କରିବା ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭମାନଙ୍କର ନିଜ ଦେଶକୁ ତୁମ୍ଭମାନଙ୍କୁ ଆଣିବା। 25ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା। 26ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା। 27ପୁଣି, ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ପରମେଶ୍ୱରଙ୍କ ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧିରୂପ ପଥରେ ଚଳାଇବା, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କରିବ। 28ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରିବ ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।

ଗୀତ

ଗୀତ 42:2, 4; 43:3–4

2ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି? 4ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି, ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି। 43:3ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ; ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ। 4ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣା ଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।

ପତ୍ର

ରୋମୀ 6:3–11

3ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ? 4ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; 5କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା। 6ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, 7ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି। 8କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ। 9ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ। 10କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ବରଙ୍କ ପ୍ରତି ଜୀବିତ ଅଟନ୍ତି। 11ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ବରଙ୍କ ପ୍ରତି ଜୀବିତ ବୋଲି ଗଣନା କର।

ଗୀତ

ଗୀତ 118:1–2, 16–17, 22–23

1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ; ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 2ଇସ୍ରାଏଲ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ। 16ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। 17ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି। 22ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି। 23ଏହା ସଦାପ୍ରଭୁଙ୍କ କର୍ମ; ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ।

ସୁସମାଚାର

ମାର୍କ 16:1–7

1ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି। 2ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା। 3ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା। 4ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି। 5ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ। 6ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। 7କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର