Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 25

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 25 ମାର୍ଚ୍ଚ 2027

ଗୁରୁବାର · ନିସ୍ତାର ତ୍ରିଦିବସ

ପର୍ବ ଓ ସନ୍ଥ

ପୁଣ୍ୟ ଗୁରୁବାର

ନିସ୍ତାର ତ୍ରିଦିବସ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 12:1–8, 11–14

1ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ଏହି ମାସ ତୁମ୍ଭମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। 3ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ। 4ଆଉ, ଗୋଟିଏ ମେଷଶାବକ ନେବା ନିମନ୍ତେ ଯଦି କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ, ପ୍ରାଣୀଗଣର ସଂଖ୍ୟାନୁସାରେ ଏକ ମେଷଶାବକ ନେବେ; ତୁମ୍ଭେମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷଶାବକର ଅଟକଳ କରିବ। 5ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ; 6ସେହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ; ଏଥିଉତ୍ତାରେ ଇସ୍ରାଏଲ-ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟାକାଳରେ ସେହି ଶାବକକୁ ବଧ କରିବେ। 7ପୁଣି, ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ସେହି ଗୃହ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ତାହା ଲଗାଇବେ। 8ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ; ଅଗ୍ନିରେ ଦଗ୍ଧ କରି ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ। 11ଏହି ପ୍ରକାରେ ତୁମ୍ଭେମାନେ ତାହା ଚଞ୍ଚଳ ଭୋଜନ କରିବ, କାରଣ ତୁମ୍ଭେମାନେ କଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ହେବ; ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। 12ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ। 13ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ପୁଣି, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। 14ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ।

ପ୍ରତିଉତ୍ତର ଗୀତ

ଗୀତ 116:12–13, 15–18

12ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି? 13ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। 15ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। 16ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ। 17ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। 18ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,

ଦ୍ୱିତୀୟ ପାଠ

ପ୍ର.କରି 11:23–26

23କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, 24“ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 25ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।” 26କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ।

ସୁସମାଚାର

ଯୋହ 13:1–15

1ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। 2ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, 3ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି, 4ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। 5ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। 6କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି? 7ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।” 8ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।” 9ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ। 10ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।” 11କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ। 12ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ? 13ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି। 14ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। 15କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର