Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 28

ଅର୍ଥୋଡକ୍ସ ପଞ୍ଜିକା · 15 ଫେବୃଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 28 ଫେବୃଆରୀ 2027

ରବିବାର · ସ୍ୱର 6

ପର୍ବ ଓ ସନ୍ଥ

ଅପବ୍ୟୟୀ ପୁତ୍ରର ରବିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପ୍ରଭାତୀ ପ୍ରାର୍ଥନାର ଷଷ୍ଠ ସୁସମାଚାର

ଲୂକ 24:36–53

36କିନ୍ତୁ ସେମାନେ ଏହିସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ, ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।” 37ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ। 38ସେଥିରେ ସେ ସେମାନଙ୍କୁ କହିଲେ, “କାହିଁକି ଉଦ୍‌ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି? 39ଏ ଯେ ସ୍ୱୟଂ ମୁଁ, ମୋହର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ।” 40[ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।] 41ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି?” 42ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ। 43ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ। 44ପୁଣି, ସେ ସେମାନଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖାଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।” 45ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ; 46ଆଉ ସେମାନଙ୍କୁ କହିଲେ, “ଏହି ପ୍ରକାରେ ଲେଖାଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ, 47ପୁଣି, ଯିରୂଶାଲମ ସହରରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। 48ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ 49ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ।” 50ତତ୍ପରେ ସେ ସେମାନଙ୍କୁ ବେଥନୀୟାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ। 51ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ। 52ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମ ସହରକୁ ବାହୁଡ଼ିଗଲେ, 53ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ବରଙ୍କ ସ୍ତବ କରିବାକୁ ଲାଗିଲେ।

ପତ୍ର

ପ୍ର.କରି 6:12–20

12ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ। 13ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ବର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ; 14ଈଶ୍ବର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ। 15ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ। 16କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।” 17କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। 18ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। 19ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; 20ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର।

ସୁସମାଚାର

ଲୂକ 15:11–32

11ସେ ଆହୁରି କହିଲେ, “ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ। 12ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ। 13ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା। 14କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। 15ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; 16ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ। 17ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। 18ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; 19ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ। 20ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। 21ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। 22କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ବସ୍ତ୍ର ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ, 23ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, 24କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ। 25ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି, 26ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା। 27ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି। 28ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ। 29ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ; 30କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ। 31ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର; 32କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 15 ନାଗରିକ ପଞ୍ଜିକାର ଫେବୃଆରୀ 28। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର