ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 1
ଅର୍ଥୋଡକ୍ସ ପଞ୍ଜିକା · 16 ଫେବୃଆରୀ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 1 ମାର୍ଚ୍ଚ 2027
ସୋମବାର · ମାଂସ-ତ୍ୟାଗ ସପ୍ତାହ · ସ୍ୱର 6
ପର୍ବ ଓ ସନ୍ଥ
ମାଂସ-ତ୍ୟାଗ ସପ୍ତାହର ସୋମବାର
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
18ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ। 19ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ। 20ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ। 21ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି। 22ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ। 23ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି। 24ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ। 25ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ। 26ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 27କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। 28ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା। 29ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ। 3:1ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା। 2ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଅଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। 3ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ। 4ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ। 5ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ। 6ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ। 7ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ; 8ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ବରଙ୍କ ପୁତ୍ର ପ୍ରକାଶିତ ହେଲେ। 9ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ। 10ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।
ସୁସମାଚାର
1ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 2“ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ। 3ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।” 4ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ। 5ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ? 6ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ। 7ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ। 8ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ। 9ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! 10ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା! 11ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 16 ନାଗରିକ ପଞ୍ଜିକାର ମାର୍ଚ୍ଚ 1। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର