Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 28

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 28 ଫେବୃଆରୀ 2027

ରବିବାର · ଉପବାସ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ଉପବାସ କାଳର ତୃତୀୟ ରବିବାର

ରବିବାର · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 20:1–17

1ଏଥିଉତ୍ତାରେ ପରମେଶ୍ୱର ଏହିସବୁ କଥା କହିଲେ, ଯଥା, 2“ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ ଅଟୁ।” 3ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। 4ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। 5ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା; 6ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। 7ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେକେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ। 8ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। 9ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; 10ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ। 11ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି। 12ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ। 13ତୁମ୍ଭେ ନରହତ୍ୟା କରିବ ନାହିଁ। 14ତୁମ୍ଭେ ବ୍ୟଭିଚାର କରିବ ନାହିଁ। 15ତୁମ୍ଭେ ଚୋରି କରିବ ନାହିଁ। 16ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ। 17ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ପ୍ରତିଉତ୍ତର ଗୀତ

ଗୀତ 19:7–10

7ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ 8ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ। 9ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ। ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ। 10ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ।

ଦ୍ୱିତୀୟ ପାଠ

ପ୍ର.କରି 1:22–25

22କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, 23କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୁଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ, 24କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି। 25ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ।

ସୁସମାଚାର

ଯୋହ 2:13–25

13ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଗଲେ। 14ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା-ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା-ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ; 15ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ; 16ଆଉ, ସେ କାପ୍ତା-ବ୍ୟବସାୟୀମାନଙ୍କୁ କହିଲେ, “ଏଗୁଡ଼ିକ ଏଠାରୁ ଘେନିଯାଅ, ମୋହର ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ।” 17ତୁମ୍ଭ ଗୃହ ନିମନ୍ତେ ଉଦ୍‌ଯୋଗ ମୋତେ ଗ୍ରାସ କରିବ, ଏହା ଲେଖାଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା। 18ସେଥିରେ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ? 19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି।” 20ସେଥିରେ ଯିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କଅଣ ତାହାକୁ ତିନି ଦିନରେ ତୋଳି ଦେବ? 21କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ। 22ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ। 23ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମ ସହରରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ, 24କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣିଥିଲେ, 25ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କଅଣ ଅଛି, ତାହା ସେ ଆପେ ଜାଣିଥିଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର