Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଗାଲିଲୀରେ

ପାଖାପାଖି ସୁସମାଚାର · ଗାଲିଲୀରେ

ବାର ଜଣଙ୍କୁ ପ୍ରେରଣ

ମାଥି 10:5–15 · ମାର୍କ 6:7–13 · ଲୂକ 9:1–6

ମାଥିଉ

ମାଥି 10:5–15

5ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,

6ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ।

7ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର।

8ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।

9ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି

10କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ।

11ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ।

12ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର;

13ସେହି ଗୃହ ଯଦି ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ।

14ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।

15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ।”

ମାର୍କ

ମାର୍କ 6:7–13

7ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,

8ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;

9କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ।

10ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।

11ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।”

12ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,

13ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।

ଲୂକ

ଲୂକ 9:1–6

1ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।

2ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।

3ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।

4ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।

5ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”

6ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର