Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଯିରୂଶାଲମରେ

ପାଖାପାଖି ସୁସମାଚାର · ଯିରୂଶାଲମରେ

ସର୍ବଶ୍ରେଷ୍ଠ ଆଜ୍ଞା

ମାଥି 22:34–40 · ମାର୍କ 12:28–34

ମାଥିଉ

ମାଥି 22:34–40

34ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,

35ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ,

36ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ?

37ସେ ତାହାଙ୍କୁ କହିଲେ, “‘ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର।’

38ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା।

39ଦ୍ୱିତୀୟଟି ଏହାର ସଦୃଶ, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’

40ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ।”

ମାର୍କ

ମାର୍କ 12:28–34

28ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?

29ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି;

30‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’

31ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।”

32ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି;

33ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।

34ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର