Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଯିରୂଶାଲମରେ

ପାଖାପାଖି ସୁସମାଚାର · ଯିରୂଶାଲମରେ

ଶୁଖିଯାଇଥିବା ଡିମ୍ବିରିବୃକ୍ଷ

ମାଥି 21:18–22 · ମାର୍କ 11:20–25

ମାଥିଉ

ମାଥି 21:18–22

18ସକାଳେ ସେ ଯିରୂଶାଲମ ସହରକୁ ଫେରିବା ସମୟରେ କ୍ଷୁଧିତ ହେଲେ,

19ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, “ଆଉ କଦାପି ତୋʼଠାରେ ଫଳ ନ ହେଉ।” ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା।

20ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିବୃକ୍ଷଟି କିପରି ସେହିକ୍ଷଣି ଶୁଖିଗଲା?

21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରିବୃକ୍ଷ ପ୍ରତି ଯେପରି ହୋଇଅଛି, କେବଳ ଯେ ସେପରି ହେବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ତାହାହେଲେ ତାହା ହେବ।

22ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।”

ମାର୍କ

ମାର୍କ 11:20–25

20ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିବୃକ୍ଷଟି ମୂଳରୁ ଶୁଖିଯାଇଥିବା ଦେଖିଲେ।

21ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି।

22ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କଠାରେ ବିଶ୍ୱାସ ରଖ।

23ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତାʼ ନିମନ୍ତେ ତାହା ଘଟିବ।

24ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ।

25ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର