ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 18
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 18 ଅଗଷ୍ଟ 2027
ବୁଧବାର · ସାଧାରଣ କାଳର 20ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 20ତମ ସପ୍ତାହର ବୁଧବାର
ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
6ପୁଣି, ଶିଖିମ ନିବାସୀ ଲୋକମାନେ ଓ ମିଲ୍ଲୋ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନ ବୃକ୍ଷ ମୂଳରେ ଅବୀମେଲକ୍କୁ ରାଜା କଲେ। 7ତହୁଁ ଲୋକମାନେ ଯୋଥମ୍କୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିଷୀମ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ଶିଖିମ ନିବାସୀ ଲୋକଗଣ, “ଆମ୍ଭ କଥା ଶୁଣ, ତହିଁରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ। 8ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ; ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର;’ 9ମାତ୍ର ଜୀତବୃକ୍ଷ ସେମାନଙ୍କୁ କହିଲା, ‘ମୋହର ଯେଉଁ ତୈଳ ଘେନି ଲୋକମାନେ ମୋʼ ଦ୍ୱାରା ପରମେଶ୍ୱରଙ୍କର ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’ 10ତହୁଁ ବୃକ୍ଷମାନେ ଡିମ୍ବିରିବୃକ୍ଷକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’ 11ମାତ୍ର ଡିମ୍ବିରିବୃକ୍ଷ ସେମାନଙ୍କୁ କହିଲା, ‘ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’ 12ଏଉତ୍ତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’ 13ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? 14ତହୁଁ ବୃକ୍ଷଯାକ କଣ୍ଟକଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’ 15ତହିଁରେ କଣ୍ଟକଲତା ବୃକ୍ଷମାନଙ୍କୁ କହିଲା, ‘ଯେବେ ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କ ଉପରେ ସତ୍ୟରେ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ; ନୋହିଲେ କଣ୍ଟକଲତାରୁ ଅଗ୍ନି ବାହାରି ଲିବାନୋନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ।’
ପ୍ରତିଉତ୍ତର ଗୀତ
1ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ ତୁମ୍ଭ ପରିତ୍ରାଣରେ ସେ କେଡ଼େ ମହାନନ୍ଦ କରିବେ! 2ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ, ଓ ତାଙ୍କ ମୁଖର ନିବେଦନ ଅସ୍ୱୀକାର କରି ନାହଁ। [ସେଲା] 3କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ। 4ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, ତୁମ୍ଭେ ତାହା ତାଙ୍କୁ ଦେଲ; ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ। 5ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି; ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ; 6କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ।
ସୁସମାଚାର
1“କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ। 2ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ। 3ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, 4‘ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଉଚିତ୍, ତାହା ତୁମ୍ଭମାନଙ୍କୁ ଦେବି;’ ଆଉ ସେମାନେ ଗଲେ। 5ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ। 6ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ‘ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ?’ 7ସେମାନେ ତାହାଙ୍କୁ କହିଲେ, ‘କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ।’ 8ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ‘ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ।’ 9ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ। 10ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ। 11କିନ୍ତୁ ତାହା ପାଇ ସେମାନେ ଘରର କର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 12‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’ 13କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ‘ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ? 14ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା। 15ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋହର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ?’ 16ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ।”
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର